/odisha-reporter/media/post_attachments/uploads/2021/02/kotia-2.jpg)
kotia
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରୁଛି। ହେଲେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କ ପାଖରେ ଖବର ନାହିଁ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଆଉ କୋଟିଆ ଯିବେ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଟିଆକୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ। କୋଟିଆ ଯିବି ଓ ଆପଣମାନଙ୍କୁ ଭେଟିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଲକାନଗିରିରୁ ମୟୂରଭଂଜ ସବୁ ଅଞ୍ଚଳର ବିକାଶ ପାଇଁ କାମ ଚାଲିଛି। ସବୁ ପରିବାର ପାଖରେ ବିକାଶ ପହଞ୍ଚାଇବାକୁ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ୧୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାମଧ୍ୟରୁ ୧୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ୫ କୋଟି ବ୍ୟୟରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କର ପ୍ରକଳ୍ପ କାମ ଚାଲିଛି। ୨୦୧୮ରେ କୋଟିଆର ବିକାଶ ପାଇଁ ୧୫୦ କୋଟିର ପ୍ରକଳ୍ପ ଘୋଷଣା ହୋଇଥିଲା।
ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଜନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ୩ ସରପଞ୍ଚ, ୧୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟୁଚେନୁରୁ ହୋଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ଓ ପଟୁଗୁନେରୀ ହୋଇଥିବା ଫଗୁଣସିନେରୀରୁ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆନ୍ଧ୍ର ସାଲୁର ବ୍ଲକ କୁଟୁଗୁଟି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ସୂଚନା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
