ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ ଓ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

‘ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ରାଜ୍ୟ ସରକାରଙ୍କ ଦଳିତ ଆଦିବାସୀ ମନୋଭାବକୁ ସ୍ପଷ୍ଟ କରୁଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବକ୍ତବ୍ୟ ବିଜେଡି ସରକାରର ଦଳିତ, ଆଦିବାସୀ ଓ ମହିଳାବିରୋଧୀ ଆଭିମୁଖ୍ୟର ପ୍ରତିଫଳନ।’

ବିଜେପି ନେତା ବିଭୁ ତରାଇ(ଫାଇଲ ଫଟୋ)

  • Published: Tuesday, 24 January 2023
  • , Updated: 24 January 2023, 10:33 PM IST

ପୀଡ଼ିତା କ୍ଷତିପୂରଣ ଯୋଜନାରେ ପୁଲିସ ଓ ଓକିଲମାନେ କମିଶନ ନେଉଛନ୍ତି ତଥା ଅନୁସୂଚିତ ଜାତି ଓ ଜନଜାତି  ଲୋକଙ୍କୁ ରାଜନୀତିକ ହାତବାରିସି ଭାବେ ବ୍ୟବହାର କରାଯାଉଛି ବୋଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି । ରାଜ୍ୟ ବିଜେପି ଆଜି ମନ୍ତ୍ରୀ ଶ୍ରୀ ବେହେରାଙ୍କ ବରଖାସ୍ତ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟର ଦଳିତ ଓ ଆଦିବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୂ ପ୍ରସାଦ ତରାଇ କହିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ରାଜ୍ୟ ସରକାରଙ୍କ ଦଳିତ ଆଦିବାସୀ ମନୋଭାବକୁ ସ୍ପଷ୍ଟ କରୁଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବକ୍ତବ୍ୟ ବିଜେଡି ସରକାରର ଦଳିତ, ଆଦିବାସୀ ଓ ମହିଳାବିରୋଧୀ ଆଭିମୁଖ୍ୟର ପ୍ରତିଫଳନ । ପୁଲିସ ବିଭାଗରେ ବ୍ୟାପକ କମିଶନି କାରବାର ଚାଲୁଥିବା ନେଇ ଖୋଦ୍ ପୁଲିସ ବିଭାଗର ମନ୍ତ୍ରୀ ସ୍ୱୀକାର କରିଛନ୍ତି । ରାଜ୍ୟରେ ପୁଲିସର ଅସହଯୋଗ କାରଣରୁ ଦଳିତ ଆଦିବାସୀଙ୍କ ଉପରେ ନିର୍ଯାତନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବେହେରା ଗତକାଲି ଦେଇଥିବା ମନ୍ତବ୍ୟ ବିଜୁ ଜନତା ଦଳ ସରକାରର ଦଳିତ, ଆଦିବାସୀ ଓ ମହିଳା ବିରୋଧି ଆଭିମୁଖ୍ୟର ପ୍ରତିଫଳନ ବୋଲି କହି ଶ୍ରୀ ତରାଇ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ପ୍ରତିବର୍ଷ ଶତକଡା ୮% ନିର୍ଯାତନା ବୃଦ୍ଧି ପାଉଥିବାବେଳେ ବୋଧହୁଏ ଗୃହମନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ । ରାଜ୍ୟରେ ପୁଲିସର ଅସହଯୋଗ କାରଣରୁ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନା ମାମଲା ଅଦ୍ୟାବଧି ୨୨ହଜାରରୁ ଉର୍ଦ୍ଧ୍ୱ ମାମଲାର ଚାର୍ଜସିଟ୍ ଦିଆଯାଇନଥିବାରୁ ମାମଲା ଗୁଡିକ ବିଚାର ନହୋଇ ପଡ଼ିରହିଛି ବୋଲି ଶ୍ରୀ ତରାଇ କହିଛନ୍ତି । ଦଳିତ ଆଦିବାସୀ ମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିଜୁ ଜନତା ଦଳ ନେତା, ମନ୍ତ୍ରୀ ଓ ବିଧାୟକମାନେ ଅନୁଭବ ନକରି ଅପରାଧୀଙ୍କୁ ଖସାଇ ଦେବା ପାଇଁ କରୁଥିବା ଉଦ୍ୟମକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଆହୁରି ପ୍ରୋତ୍ସାହନ ଯୋଗାଇଛି । ପିପିଲିର ବେବିନା, କୁନ୍ଦୁଲିର ସସ୍ମିତା ଓ ରାୟଗଡ଼ା ଜିଲ୍ଲା ଅଣ୍ଡିରାକଂଚର ଗର୍ଭବତୀ ଦଳିତ ମହିଳା ମୁଲା ନାଏକଙ୍କ ହତ୍ୟା ଘଟଣାରେ ଶାସକ ଦଳ ନେତା, କମ୍ପାନୀ ଓ ପୁଲିସ ବିଭାଗର ମିଳିତ ଷଡ଼ଯନ୍ତ୍ର ସମଗ୍ର ଓଡିଶାରେ ଚାଂଚଲ୍ୟକର ଘଟଣା ହୋଇଥିଲାବେଳେ ଏସବୁ ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିବା କେବଳ ନିନ୍ଦନୀୟ ନୁହେଁ ବରଂ ଦଳିତ ସମୁଦାୟଙ୍କ ପାଇଁ ଦୁର୍ଭାଗ୍ୟଜନକ । ସେହିପରି ହତ୍ୟାର ଶିକାର ହୋଇଥିବା ମହିଳା କ୍ରିକେଟିୟର ରାଜଶ୍ରୀ ସ୍ୱାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହୋଇଥିଲେ ବି ମନ୍ତ୍ରୀ ଆଖି ବୁଜି ଦେଇଛନ୍ତି ବୋଲି ଶ୍ରୀ ତରାଇ କହିଛନ୍ତି ।

ଗୃହରାଷ୍ଟ୍ର ମନ୍ତ୍ରୀ ନିଜ ସରକାରଙ୍କୁ କ୍ଲିନ ଚିଟ୍ ଦେବାପାଇଁ ଏପରି ଅଗଣତାନ୍ତ୍ରିକ ମନ୍ତବ୍ୟ ଦେଇଛନ୍ତି । ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ୍ ରାଜ୍ୟ ସରକାର ଓ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବୟାନ ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି । ତେଣୁ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ଦଳିତ ଓ ଆଦିବାସୀ ବିରୋଧି ବୟାନ ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ବିଜେପି ଆଗାମୀ ଦିନରେ ରାଜରାସ୍ତାରେ ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଗଣମାଧ୍ୟମ ମୁଖ୍ୟ ଦିଲିପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Related story