Advertisment

ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ, ୩ ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ପ୍ରକଳ୍ପକୁ ଶୁଭ ଦେଲେ

ଆଜି ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ’କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି।

ଅଦ୍ୟତନ ହୋଇଛି
Chief Minister Naveen Patnaik

Chief Minister Naveen Patnaik

Advertisment

ଗଡ଼ ସୁରକ୍ଷା ପାଇଁ ତଥା ୨୦୨୪ ନିର୍ବାଚନକୁ ଲକ୍ଷ୍ୟରେ ରଖି ବିଜେଡି ତା’ର ଗୋଟି ଚାଳନା ଆରମ୍ଭ କରିଛି। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ନିଜର ପଇଁତରା ବୃଦ୍ଧି ଏବଂ ନବ ଦାସ ହତ୍ୟା ମାମଲାକୁ ନେଇ ଉଠିଥିବା ଅସନ୍ତୋଷକୁ ଶୀତଳ କରିବା ନିମନ୍ତେ ମାଷ୍ଟରକାର୍ଡ ଖେଳିଛି ବିଜେଡି।

Advertisment

ଆଜି ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ’କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି। ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହ ବରଗଡ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତିରେ ଯୋଡ଼ି ହୋଇଥିବା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ୪୨ କୋଟି ଟଙ୍କାର ଋଣ ଓ ରିହାତି ପ୍ରଦାନ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାବେଶମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା। ଏହି ଏକ୍ସପ୍ରେସ୍ ୱେ’ କେବଳ ଏ ଅଞ୍ଚଳ ନୁହେଁ ବରଂ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ। ବିଜୁ ଏକ୍ସପ୍ରେସ ଓ୍ଵେ’ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ପାଇଁ ବଜାର ସୁବିଧା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ, ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ କରିବେ। ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ନିଜ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ କଥା ନୁହେଁ କାମରେ ବିଶ୍ୱାସ କରନ୍ତି। ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ। ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ। ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ। ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେ’ର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି। ସମ୍ବଲପୁର- ରାଉରକେଲା ରାସ୍ତା ବିଜୁ ବାବୁଙ୍କ ପରିକଳ୍ପନା ଥିଲା। L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁ ବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ। ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁ ବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ତଥା ବିଧାୟକମାନେ ଉପସ୍ଥିତ ଥିଲେ।

Biju Pattanaik Bjd Politics Naveen Govt. Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe