Advertisment

ଭାବମୂର୍ତ୍ତି ସଜାଡ଼ିବା ଚକ୍କରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ: ଗିରଫ ହେବେ ତିର୍ତ୍ତୋଲ ବିଧାୟକ

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଗତମାସ ୨୧ ତାରିଖରେ କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି।

BJD

BJD

Advertisment

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାବମୂର୍ତ୍ତି ସଜାଡ଼ିବା ପାଇଁ ବିଜୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଜସଙ୍କେତ ଦେଇଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ବାରମ୍ବାର ଥାନାକୁ ଡାକି ମାନସିକସ୍ତରରେ ହଇରାଣ କରୁଛି ଓ ସେ ଏଥିଯୋଗୁ ଡିପ୍ରେସନକୁ ଯିବା ଭଳି ଅବସ୍ଥାକୁ ଆସିଗଲେଣି ବୋଲି ସୋମାଲିକା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପାର୍ଟି ପାୱାରରେ ଥିବାରୁ ପୁଲିସ ବିଜୟଶଙ୍କରଙ୍କୁ ସୁରକ୍ଷା ଦେଉଛି। ନାରୀକୁ ସମ୍ମାନ ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ମୋତେ କି ପ୍ରକାରର ସମ୍ମାନ ଦିଆଯାଉଛି କ’ଣ ଦେଖିପାରୁନାହାନ୍ତି ବୋଲି ସୋମାଲିକା କହିଛନ୍ତି।

Advertisment

ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଗତମାସ ୨୧ ତାରିଖରେ କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି। ଯାହାକୁ ନେଇ ବିଜୟଶଙ୍କରଙ୍କ ପୁରୁଣା ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଆଜି କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଲିଖିତ ଆପତ୍ତି ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ପାଖରେ ପୁଣିଥରେ ଏଫଆଇଆର ରୁଜୁ କରିଛନ୍ତି। ଏହାସହିତ ବିଜୟଶଙ୍କର ତାଙ୍କୁ ବିବାହ ପାଇଁ ଗତବର୍ଷ ମେ’ ୧୭ତାରିଖରେ ଅନୁରୂପ ଆବେଦନ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ କରିଥିଲେ ଓ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନଥିବାବେଳେ ପୁଣି ସେ କିଭଳି ବିବାହ ପାଇଁ ଆବେଦନ କଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହିତ ସେ ୨୦୨୨ ମସିହାରୁ ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ଦେବାରେ ସକ୍ଷମ ହୋଇନି ।

ଓଲଟା ବିଭିନ୍ନ ଆଳ ଦେଖାଇ ବାରମ୍ବାର ଥାନାକୁ ଡକାଇ ମାନସିକ ନିର୍ଯାତନା ଦେଉଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କର ଅଭିଯୋଗ ବିଜୟଶଙ୍କରଙ୍କ ନାଁରେ ଥିଲେ ମଧ୍ୟ ଦିନେକାଳେ ତାଙ୍କୁ ପୁଲିସ ଡାକିନି । ଓଲଟା ସେ ଜଣେ ପୀଡ଼ିତା ଭାବେ ନ୍ୟାୟ ଚାହୁଁଥିବାବେଳେ ପୁଲିସ ତାଙ୍କୁ ଏଭଳି ମାନସିକସ୍ତରରେ ହଇରାଣ କରୁଛି ଯେ ସେ ଡିପ୍ରେସନକୁ ଚାଲିଆସିଲେଣି ବୋଲି  ଅଭିଯୋଗ କରିଛନ୍ତି । ନ୍ୟାୟ ଅପେକ୍ଷାରେ ଥିବାବେଳେ ବିଜୟଶଙ୍କର କିଭଳି ଅନ୍ୟଜଣେ  ମହିଳାଙ୍କୁ ବିବାହ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ୨୦୨୨ ଜୁଲାଇ ୨ତାରିଖରେ ସୋମାଲିକା ବିଧିବଦ୍ଧ ଭାବେ ବିଧାୟକ ବିଜୟଶଙ୍କରଙ୍କ କାର୍ଯ୍ୟକଳାପ ଓ କିଭଳି ତାଙ୍କୁ ପ୍ରତାରଣା କରିଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ତାଙ୍କ ଅଭିଯୋଗ ପଞ୍ଜିକୃତ ହୋଇଛି ଓ ତା’ର ନମ୍ବର-ସିଏମଓ୨୦୨୨୨୬୭୪୨୦ ବୋଲି ଉଲ୍ଲେଖ କରିବା ସହ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଯିବ ବୋଲି ସୋମାଲିକାଙ୍କୁ ଚିଠି ଲେଖି ଜଣାଇଥିଲେ ।

ସେହିପରି ସୋମାଲିକାଙ୍କ ଦ୍ୱାରା ଜଗତସିଂହପୁର ଥାନାରେ ୨୦୨୨  ଜୁନ୍ ୧୮ତାରିଖରେ କେସ ନମ୍ବର-୩୯୭ରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ ଆଇପିସିର ଆକ୍ଟର ଧାରା ୧୯୫-କ,୪୨୦,୫୦୬-ଖ,୨୯୪,୫୦୯,୩୪୧, ୧୨୦-ଖ ଓ ୩୪ ସମେତ ଇମୋରାଲ ଟ୍ରାଫିକ୍ ପ୍ରିଭେନ୍ସନ୍ ଆକ୍ଟର ଧାରା ୩,୪,୫ ଓ ୬ରେ ମାମଲା ରୁଜୁ ହୋଇଛି । ଏଭଳି ସଙ୍ଗୀନ ଦଫାରେ ବିଜୟଶଙ୍କର ନାଁରେ ମାମଲା ରୁଜୁ କରିଥିବା ଜଗତସିଂହପୁର ପୁଲିସ ସିଆରପିସର ଧାରା ୧୬୧ରେ ମଧ୍ୟ ସୋମାଲିକାଙ୍କ ବୟାନ ରେକର୍ଡ କରିସାରିଛି । କିନ୍ତୁ ଇତିମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ ବିଜୟଶଙ୍କରଙ୍କୁ ଦିନେ ବି ଡାକି ଜେରା କରିବାକୁ ପୁଲିସ ସାହାସ ଜୁଟାଇ ପାରିନି । ଅବଶ୍ୟ ଜିଲ୍ଲା ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ବିଧାୟକ ବିଜୟଶଙ୍କରଙ୍କୁ ଏହି ମାମଲାରେ ତତକାଳୀନ ଜିଲ୍ଲା ଏସପି ଅଖିଳେଶ୍ୱର ସିଂ ହାଜର ହେବାକୁ କହିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଚାପରେ ବିଧାୟକଙ୍କୁ ସେତେବେଳେ ସୁରକ୍ଷା ମିଳିଥିଲା ।

ଆଗାମୀ ସାଧାରଣ ନିର୍ବାଚନରେ ବିଜୟଶଙ୍କରଙ୍କୁ ପୁଣିଥରେ ରିପିଟ୍ କରିବା ମୁଡରେ ଶାସକ ବିଜେଡି ନାହିଁ । ଏବେ ନିଜର ପ୍ରେମ-ପ୍ରତାରଣା ପାଇଁ ପୁଣିଥରେ ବିଜୟଶଙ୍କର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ଏବଂ ନିଜେ ବିବାଦକୁ ଆମନ୍ତ୍ରଣ କରିଥିବାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କ୍ଷୁବ୍ଧ ହୋଇଥିବା ସୂଚନା ମିଳିଛି । ବିଜୟଶଙ୍କର ଏଭଳି କାର୍ଯ୍ୟ ପାଇଁ ଦଳକୁ ବଦନାମ ହେବାକୁ ପଡ଼ିଛି । ତେଣୁ ବିଜୟଶଙ୍କରଙ୍କୁ ସୁରକ୍ଷା ଦେଇ ଦଳ ନିଜର ମହିଳାବିରୋଧୀ ଛବି ପ୍ରସ୍ତୁତ କରିବାକୁ ଚାହୁଁନଥିବା ଜଣାପଡ଼ିଛି । ଯେଉଁଥିପାଇଁ ସୋମାଲିକା ମାମଲାରେ ବିଜୟଶଙ୍କରଙ୍କୁ ଜେଲ୍ ପଠାଇ ଭାବମୂର୍ତ୍ତି ସଜାଡ଼ିବାକୁ ପ୍ରୟାସ ହେଉଥିବା ସୂଚନା ମିଳିଛି।

BjD Naveen Patnaik Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe