Advertisment

ପାଣ୍ଡିଆନଙ୍କୁ ନେଇ ବିବାଦ ପରେ ମୁହଁ ଖୋଲିଲେ ନବୀନ: କହିଲେ- ମୁଁ ପଠାଉଛି, ଏବେ ବିରୋଧୀ କରିବେ କ’ଣ?

ପାଣ୍ଡିଆନଙ୍କ ରାଜ୍ୟ ବୁଲିବାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇଥିବା ପ୍ରଶ୍ନ ଓ ବିବାଦ ଉପରେ ତାଳି ପକାଇବାକୁ ଉଦ୍ୟମ ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
CM Naveen Patnaik

CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯିବା, ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ନବୀନଙ୍କ ଏକ ଅଡିଓ ରେକର୍ଡିଂକୁ ଖୋଦ୍ ଫାଇଭ-ଟି ସଚିବ ଶ୍ରୀ ପାଣ୍ଡିଆନ ଆଜି ବରଗଡ଼ ଜିଲ୍ଲାରେ ମିଶନ ଶକ୍ତି ମା’ମାନଙ୍କୁ ଭେଟିବାବେଳେ ନିଜ ଫୋନରୁ ବଜାଇ ଶୁଣାଇଛନ୍ତି । କାଳେ ଲୋକେ ଠିକ୍ ସେ ଶୁଣିନପାରିବେ ସେଥିପାଇଁ ପୂର୍ବରୁ ରେକର୍ଡିଂ ହୋଇଥିବା ନବୀନଙ୍କ ଏହି ଅଡିଓ ସନ୍ଦେଶକୁ ଦୁଇଦୁଇ ଥର ବଜାଇ ଶୁଣାଇଛନ୍ତି ।

Advertisment

ଏହାସହିତ ପାଣ୍ଡିଆନଙ୍କ ରାଜ୍ୟ ବୁଲିବାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇଥିବା ପ୍ରଶ୍ନ ଓ ବିବାଦ ଉପରେ ତାଳି ପକାଇବାକୁ ଉଦ୍ୟମ ହୋଇଛି । ମାତ୍ର ଜଣେ ସଚିବ ପାହ୍ୟାର ଅଫିସରଙ୍କ ଜିଲ୍ଲା ଗସ୍ତରେ ଯେଉଁ ଭବ୍ୟ ସମ୍ବର୍ଦ୍ଧନା ଓ ସୁରକ୍ଷା ଆଦି ବ୍ୟବସ୍ଥା ହେଉଛି ତାହା କ’ଣ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି ନା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି ତାହା ଜଣାପଡ଼ିନି । ରାଜ୍ୟ ବୁଲିବା ପାଇଁ ଅନୁମତି ଦେଇଥିବା ନେଇ ନବୀନଙ୍କ ସ୍ପଷ୍ଟୀକରଣ ପରେ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ଆଭିମୁଖ୍ୟ ପୋଷଣ କରୁଛି ଓ ନବୀନଙ୍କୁ ଜଣେ ଭଲ ଛାତ୍ର କହି ଉତ୍ତର ଦେବାକୁ ଡର କାହିଁକି ବୋଲି ସୌମ୍ୟ ପ୍ରଶ୍ନ କରିବା ପରେ ନବୀନ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ବୋଲି ଚର୍ଚ୍ଚା ।

ଦୁଇଦିନିଆ ବରଗଡ଼ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ବରଗଡ଼ର ନିଶାମଣି ହାଇସ୍କୁଲ ପଡ଼ିଆରେ ଫାଇଭ-ଟି ସଚିବ ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ସନ୍ଦେଶକୁ ଶୁଣାଇଥିଲେ । ଯେଉଁଥିରେ ନବୀନ କହିଥିଲେ, “ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି । ଆପଣମାନେ ଭଲ କାମ କରନ୍ତୁ । ମୁଁ ସାହାଯ୍ୟ କରିବି ।” ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ପଦ କଥା ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ସ୍ପଷ୍ଟ ହୋଇଛି । ମାତ୍ର ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବେଳେ ଯେଉଁଭଳି ଭାବେ ସୁରକ୍ଷା ବ୍ୟବସ୍ଥା ସହ ସାଧାରଣ ସଭାର ଆୟୋଜନ ହେଉଛି ଓ ଯେଉଁ ଢଙ୍ଗରେ ଏସବୁ ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଉପରେ ଆପତ୍ତି ଉଠାଉଥିବା ତଥା  ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି କି ନାହିଁ , ଏପରିକି ପାଣ୍ଡିଆନଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଉଥିବା ବିରୋଧୀ ବିଜେପି ଓ କଂଗ୍ରେସ ଏବେ କିଭଳି ଆଭିମୁଖ୍ୟ ପୋଷଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ତାଙ୍କର ଗସ୍ତ ପାଇଁ ଶାସକ ବିଜେଡି ବେଶ୍ ଚଳଚଂଚଳ ରହିବା ସହ ତାଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମଂଚ ବନ୍ଧାଠୁ ଆରମ୍ଭ କରି ଲୋକ ସଂଗ୍ରହ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ଏପରିକି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଗଣମାଧ୍ୟମରେ ବିଜେଡି ନେତା-ମନ୍ତ୍ରୀମାନେ କାହା ଦାସତ୍ୱ ସ୍ୱୀକାର କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଜଣେ ସଚିବସ୍ତରର ନିମ୍ନପଦସ୍ଥ ଅଧିକାରୀ ଚଂଚକତା କରି ରାଜ୍ୟର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି । ସଚିବଙ୍କୁ ଜିଲ୍ଲା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ କ’ଣ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ଅପରାଜିତା ପ୍ରଶ୍ନ କରିବା ସହ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଫାଇଭ-ଟି ସଚିବଙ୍କ ଜିଲ୍ଲାଗସ୍ତକୁ ଟାର୍ଗେଟ୍ କରିଥିଲା । ତେବେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ  ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ତାଙ୍କର ଏକ ସମ୍ପାଦକୀୟ   ରାଜନୀତିକ ହଟଚମଟ ସୃଷ୍ଟି କରିଥିଲା ।

ସୌମ୍ୟ ଏହି ସମ୍ପାଦକୀୟ ମାଧ୍ୟମରେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଏବଂ ଅପରାଜିତାମାନଙ୍କ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ଜଣେ ଭଲ ଛାତ୍ର ଓ ସେ ଉତ୍ତର ରଖିବାରେ ଅସୁବିଧା କେଉଁଠି ତଥା ଓଡ଼ିଶାବାସୀଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାର ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ରହିଛି ବୋଲି ସୌମ୍ୟ କହିଥିଲେ। ଗତକାଲି ଦିନତମାମ ସୌମ୍ୟଙ୍କ ଏହି ସମ୍ପାଦକୀୟକୁ ନେଇ ହଟଚମଟ ହେବା ସହ ଶାସକ ବିଜେଡି ବ୍ୟାକଫୁଟରେ ରହିଥିବାବେଳେ ଆଜି ବରଗଡ଼ ଗସ୍ତରେ ଯାଇଥିବା ଫାଇଭ ଟି ସଚିବ ଶ୍ରୀ ପାଣ୍ଡିଆନ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଛନ୍ତି । ଅବଶ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଏବେ ଓଡ଼ିଶାରେ ଶଶୀକଳା ସିଣ୍ଡ୍ରୋମର ଅଭିଯୋଗ କରୁଛନ୍ତି ।

Bjp Congress Naveen Patnaik Cmo Of Odisha Vk Pandian