Advertisment

ନିତି ଆୟୋଗ ବୈଠକରେ ବର୍ଷକର ସଫଳତା କହିଲେ ମୁଖ୍ୟମନ୍ତ୍ରୀ, ୧୨ରେ ରିଲିଜ୍ ହେବ ‘ଓଡ଼ିଶା ଭିଜନ’ ଦସ୍ତାବିଜ

ଡବଲ ଇଞ୍ଜିନ’ ସରକାରଙ୍କ ସମର୍ଥନରେ ଓଡ଼ିଶାର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି । ଆଗାମୀ ୨୫ବର୍ଷ ମଧ୍ୟରେ ଓଡ଼ିଶା ଦେଶର ବିକାଶର ଏକ ପ୍ରମୁଖ ଇଞ୍ଜିନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
CM Mohan Majhi

CM Mohan Majhi

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତ ଅବସରରେ ଆସନ୍ତା ଜୁନ୍ ୧୨ତାରିଖରେ ଓଡ଼ିଶା ଭିଜନ ଦସ୍ତାବିଜ ଉନ୍ମୋଚନ ହେବ । ୩.୨୦ଲକ୍ଷ ଲୋକଙ୍କ ମତାମତ ଆଧାରରେ ଏହି ଭିଜନ ଦସ୍ତାବିଜ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀରେ ନିତି ଆୟୋଗ ବୈଠକରେ ଯୋଗ ଦେଇ ରାଜ୍ୟର ବିକାଶ, ଅର୍ଥନୀତି, ସାମାଜିକ ନ୍ୟାୟ, ଏବଂ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତାର ୧୮ଟି ପଏଂଟ ଉପସ୍ଥାପନ କରିଛନ୍ତି ।

Advertisment

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ‘ଅପରେସନ ସିନ୍ଦୁର’ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଗତ ୧୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫ ଥର ପରିଦର୍ଶନ କରିଛନ୍ତି । ଆଉ ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ୭୩ହଜାର କୋଟି ଟଙ୍କା ଏବଂ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୪୬୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇସାରିଛି । ଆଗାମୀ ଦିନରେ ୧୭୫୦୦କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ମଧ୍ୟ ମଞ୍ଜୁର ହେବା ଅପେକ୍ଷାରେ ରହିଛି । କେନ୍ଦ୍ର ସହ ମିଳିତ ଭାବେ ରାଜ୍ୟରେ ଏବେ ପିଏମ ଉଷା, ପିଏମ ଶ୍ରୀ, ମମତା-ପିଏମ ମାତୃତ୍ୱ ଯୋଜନା, ଜାତୀୟ ଶିକ୍ଷା ନୀତି-୨୦୨୦ ଓ ପିଏମଜେୱାଇ ଭଳି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ୭.୨%

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ୨୦୨୪-୨୫ରେ ୬.୫% ହାରରେ ବୃଦ୍ଧି ପାଇଛି, ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ସର୍ବାଧିକ । ସେହିପରି ‘ଡବଲ ଇଞ୍ଜିନ’ ସରକାରଙ୍କ ସମର୍ଥନରେ ଓଡ଼ିଶାର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ୨୫ବର୍ଷ ମଧ୍ୟରେ ଓଡ଼ିଶା ଦେଶର ବିକାଶର ଏକ ପ୍ରମୁଖ ଇଞ୍ଜିନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

୧୨ରେ ଉନ୍ମୋଚିତ ହେବ ଓଡ଼ିଶା ଭିଜନ ଦସ୍ତାବିଜ

୨୦୩୬ ମସିହାରେ ରାଜ୍ୟ ଗଠନର ୧୦୦ବର୍ଷ ପୂର୍ତ୍ତି ହେବ । ୨୦୪୭ରେ ଦେଶ ସ୍ୱାଧୀନର ୧୦୦ବର୍ଷ ପୂରଣ ହେବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଭିଜନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ରାଜ୍ୟର ୩.୨୦ଲକ୍ଷରୁ ଅଧିକ ଲୋକ ନିଜର ମତାମତ ଦେଇଛନ୍ତି । ଏହାକୁ ଏଆଇ ସହାୟତାରେ ବିଶ୍ଲେଷଣ କରାଯାଇଛି । ଏହି ଭିଜନ ଦସ୍ତାବିଜ ଆସନ୍ତା ଜୁନ୍ ୧୨ତାରିଖରେ ଉନ୍ମୋଚନ କରାଯିବ । ଯାହାର କାର୍ଯ୍ୟକାରିତା ସେ ନିଜେ ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।  ଏହି ଦୃଷ୍ଟିକୋଣରେ ସମସ୍ତ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଅଧୀନକୁ ଆଣିବା, ଦ୍ରୁତ ସହରୀକରଣ, ବିଶ୍ୱସ୍ତରୀୟ ରାସ୍ତା, ରେଳ, ଓ ବିମାନ ସଂଯୋଗୀକରଣ ଏବଂ ବନ୍ଦର ଆଧାରିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ସ୍ଥାପନ ମାଧ୍ୟମରେ ଅର୍ଥନୀତିକୁ ଗତିଶୀଳ କରିବା ଅନ୍ତର୍ଭୁକ୍ତ । ରାଜ୍ୟ ଟେକ୍ସଟାଇଲ, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନୂତନ ଯୁଗର ଶିଳ୍ପ ପ୍ରତି ବିନିଯୋଗ ଆକର୍ଷଣ କରୁଛି । ‘ସ୍କିଲଡ ଇନ ଓଡ଼ିଶା’ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହୋଇଛି, ଯାହା ଓଡ଼ିଶାକୁ ଆଇଟିଇଏସ ଓ ଗ୍ଲୋବାଲ କ୍ୟାପାବିଲିଟି ସେଂଟର ହବ ଭାବେ ପରିଚିତ କରାଇଛି ।

ବର୍ଷକର ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗତବର୍ଷକ ମଧ୍ୟରେ ସୁଶାସନ, ନିଯୁକ୍ତି, ଆର୍ଥିକ ଶୃଙ୍ଖଳା, ସୁଭଦ୍ର ଯୋଜନା, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ବିନିଯୋଗ ଆଦିକୁ ନେଇ ରାଜ୍ୟ ସରକାରଙ୍କ ସଫଳତାର ୧୮ଟି ପଏଂଟକୁ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ଶୁଣିବା ସହ ରାଜ୍ୟରେ ନାଗରିକକେନ୍ଦ୍ରିକ ସୁଶାସନ ମଡେଲ ଅନୁସରଣ କରାଯାଉଛି, ଯାହାକି ଏକ ପ୍ରତିବଦ୍ଧତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ୫ ବର୍ଷରେ ଦେଢ଼ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ପାରଦର୍ଶୀ ନିଯୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ଓଡ଼ିଶା ସୁଦୃଢ଼ ଆଥିଁକ ଶୃଙ୍ଖଳା ପ୍ରଦର୍ଶନ କରିଛି ଓ ଜନସାଧାରଣଙ୍କ ଖର୍ଚ୍ଚର ଗୁଣବତ୍ତା ଉନ୍ନତ କରି ଅର୍ଥନୀତିକ ବୃଦ୍ଧି ଓ ଜୀବନଧାରାରେ ଉନ୍ନତି ଆଣିପାରିଛି । ସେହିପରି ମହିଳା ସଶକ୍ତିକରଣ ପାଇଁ ସୁଭ୍ରଦା ଏକ ପ୍ରମୁଖ ଯୋଜନା ପାଲଟିଛି । ପ୍ରାୟ ୧କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୧୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବଂଟନ କରାଯାଇଛି । ଯାହା ସେମାନଙ୍କୁ ଆର୍ଥିକ ଓ ସାମାଜିକ ସଶକ୍ତିକରଣ କରିଛି । ଓଡ଼ିଶା ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରି ଦେଶରେ ପ୍ରଥମ ସ୍ଥାନରେ ରହିଛି । ଗୋଟିଏ ଗଛ ମା’ ନାଁରେ ନାମକ ଅଭିଯାନ ମାଧ୍ୟମରେ ବର୍ଷକ ମଧ୍ୟରେ ୬.୬କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ’ ନାମକ ଏକ ଗେମଚେଞ୍ଜର ଯୋଜନା ଆରମ୍ଭ କରିଛି । ପ୍ରାୟ ୭ହଜାର ପ୍ରାଥମିକ ସ୍କୁଲକୁ ଆଧୁନିକ ଭିତ୍ତିଭୂମି,ଶିକ୍ଷା ଉପକରଣ, ଦକ୍ଷତା ଓ ଉନ୍ନତ ଶିକ୍ଷା ପ୍ରଦାନ କରାଯିବ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଓଡ଼ିଶାକୁ ପୂର୍ବାଂଚଳର ପ୍ରମୁଖ ନିବେଶର ଗନ୍ତବ୍ୟସ୍ଥଳ କରାଇଛି । ନିକଟରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଓଡ଼ିଶାକୁ ୧୬.୭୩କୋଟି ଟଙ୍କାର ୫୯୩ଟି ନିବେଶ ପ୍ରସ୍ତାବ ମିଳିଛି । ଏହାଦ୍ୱାରା ୧୨.୮୮ଲକ୍ଷ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି । ହୀରାକୁଦକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ଜୋନ ଏବଂ ବୌଦ୍ଧ ସର୍କିଟ ବିକାଶ ପାଇଁ ବିଶେଷ ଯୋଜନା ରହିଛି । ସେହିପରି ୨୦୩୬ ମସିହା ସୁଦ୍ଧା ୪୦% ଏବଂ ୨୦୪୭ ସୁଦ୍ଧା ୬୦% ସହରୀକରଣ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, କଟକ, ପାରାଦୀପ ଓ ପୁରୀ ଆଦିକୁ ନେଇ ପ୍ରାୟ ୭ହଜାର ବର୍ଗକିମି ଅଂଚଳରେ ମେଟ୍ରୋପଲିଟାନ ରିଜିଅନ ବିକାଶ କରାଯିବ । ‘ୱାର୍ଲଡ ସ୍କିଲ୍ ସେଂଟର’ ମାଧ୍ୟମରେ ରାଜ୍ୟର ଯୁବକଯୁବତୀମାନଙ୍କୁ ସିଙ୍ଗାପୁର, ଜାପାନ, ଓ ସାଉଦି ଆରବ ଭଳି ଦେଶରେ ନିଯୁକ୍ତି ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରାଯାଉଛି । ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଏବଂ ଚାଷୀଙ୍କ ଆୟବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ଏଆଇ, ରୋବୋଟିକ୍ସ, ଓ ବାୟୋଟେକ ଭଳି କ୍ଷେତ୍ରରେ ନୂତନ ଉଦ୍ଭାବନ ପାଇଁ ବିଶେଷ ବଜେଟ ବ୍ୟବସ୍ଥା ହୋଇଛି । 

କଟକ ବାଲିଯାତ୍ରାକୁ ଉନ୍ନତ ସାଂସ୍କୃତିକ ମହତ୍ତ୍ୱ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଲୋକପ୍ରିୟ କରିବାକୁ ନୂଆଦିଲ୍ଲୀସ୍ଥିତ ଜାତୀୟ ନାଟ୍ୟ ବିଦ୍ୟାଳୟ ସହ ସହଯୋଗ ନିମନ୍ତେ ଯୋଜନା କରାଯାଉଥିବା ସେ କହିଛନ୍ତି ।

Niti Aayog Meeting CM Mohan Charan Majhi