Advertisment

ଦୁର୍ନୀତିଗ୍ରସ୍ତଙ୍କ ସୁରକ୍ଷାଦାତା ନିଜେ ମୁଖ୍ୟମନ୍ତ୍ରୀ, ୨୨୭ଜଣ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଦୁର୍ନୀତଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଅନୁମତିର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ବିଜେପି ସ୍ୱାଗତ କରିଛି।

Odisha BJP

Odisha BJP

Advertisment

ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଛନ୍ତି। ରାଜ୍ୟ ସରକାରଙ୍କ ‘ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ’ କେବଳ ପ୍ରଚାର ଓ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଜେପି କହିବା ସହ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ସମଗ୍ର ଦେଶରେ ଆଗରେ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଦୁର୍ନୀତଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଅନୁମତିର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ବିଜେପି ସ୍ୱାଗତ କରିଛି। ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ଯେଉଁ ୨୨୭ଜଣ ଆଇଏଏସ ଓ ଓଏଏସ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଭିଜିଲାନ୍ସ ଅନୁମତି ମାଗିଥିଲେ, ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରି ଦଣ୍ଡବିଧାନ କରିବାକୁ ତୁରନ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ଦଳର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଭିଜିଲାନ୍ସ ପ୍ରାୟତଃ ପ୍ରତିଦିନ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ନବୀନ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ, ତେଣୁ ଭିଜିଲାନ୍ସ ନିୟମିତ ଭାବେ ଚଢ଼ଉ କରୁଛି ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି । କିନ୍ତୁ ବାସ୍ତବ କଥା ହେଲା ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ ଫାଇଲ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଲୋଡ଼ିଲେ ନବୀନଙ୍କ ଅସଲ ରୂପ ପଦାକୁ ଆସୁଛି। 

Advertisment

ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅନୁମତି ସତ୍ୱେ ବର୍ଷ ବର୍ଷ ଧରି ଫାଇଲ ପଡ଼ିରହୁଛି । ସେଥିପାଇଁ ଦୁର୍ନୀତିଗ୍ରସ୍ତ ବାବୁମାନେ ଆରାମରେ ବୁଲୁଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି  ସହନଶୀଳତା ନା ଦୁର୍ନୀତି ପ୍ରତି ସୁରକ୍ଷା କବଚ ତାହା ରାଜ୍ୟବାସୀ ବିଚାର କରିବେ ବୋଲି ସେ କହିବା ସହ ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ସ୍ୱୟଂ ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ  ୫ଜଣିଆ ଖଣ୍ଡପୀଠ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିକଟରେ ଏକ ଐତିହାସିକ ରାୟ ଦେଇଛନ୍ତିି । ତେଣୁ କୋର୍ଟଙ୍କ ଆଦେଶ ଅନୁଯାୟୀ ୨୦୦୩ ମସିହାରୁ ଅଦ୍ୟାବଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସରକାରୀ ବିଭାଗ ବା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଆବଶ୍ୟକତା ନାହିଁ । ତେଣୁ ଓଡ଼ିଶାର ଯେଉଁ ଦୁର୍ନୀତିଗ୍ରସ୍ତ ୨୨ଜଣ ଆଇଏଏସ୍‌ଙ୍କ ସମେତ ମୋଟ ୨୨୭  ଅଫିସର(ଓଏଏସ)ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା କରାଯାଇଥିଲା ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଆଉ ସରକାରଙ୍କ ମଞ୍ଜୁରୀର ଆବଶ୍ୟକତା ନାହିଁ।୨୨ଜଣ ଦୁର୍ନୀତିଗ୍ରସ୍ତ ଆଇଏଏସଙ୍କ ମଧ୍ୟରୁ କେବଳ ବିନୋଦ କୁମାରଙ୍କୁ ଛାଡ଼ିଦେଲେ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।

ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ରାଜ୍ୟରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି । ରାଜ୍ୟରେ ଏବେ ପ୍ରଶାସନିକ ଅଧିକାରୀ ସର୍ବେସବା ।  ବିଛାଖଣ୍ଡି ଓ ଡଙ୍କାରୀ ପାହାଡ଼ ଲୁଟ୍ ଘଟଣାରେ ସମ୍ପୃକ୍ତ ତତ୍‌କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଯିଏ ଅଭିଯୋଗ କରିଥିଲେ ତାଙ୍କୁ ଜେଲରେ ପୁରାଇଥିବା ତହସିଲଦାର ଏବେ ବେଶ୍ ଭଲ ପଦବୀରେ । ବୋଧହୁଏ ଦୁର୍ନୀତି କର ସୁରକ୍ଷା ପାଇବ ଓ ଦୁଧିଆଳୀ ପଦବୀରେ ଅବସ୍ଥାପିତ ହେବ ବୋଲି ପ୍ରଶାସନିକ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଲିଖିତ ନିର୍ଦ୍ଦେଶ ଅଛି ବୋଲି ବିଜେପି କଟାକ୍ଷ କରିଛି । ମୁଖ୍ୟମନ୍ତ୍ରୀ ଆଲିବାବା ଚାଲିଶ୍ ଚୋର ନୀତିରେ ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତିି । 

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Bjp State Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe