Advertisment

‘ମୁଖ୍ୟମନ୍ତ୍ରୀଙ୍କ ଭାଇ ହୋଇ ବି ମୁଁ ଖୁବ୍‌ ଅସହାୟ, ମୋତେ ବାର୍ଦ୍ଧକ୍ୟ ଭତ୍ତା ଲୋଡ଼ା’

‘ବାହାର ଲୋକ ଭଲମନ୍ଦ ବୁଝୁଥିବା ବେଳେ ନିଜ ଭାଇ କିନ୍ତୁ ଥରେଟେ ସୁଖଦୁଃଖ ହେବାକୁ ଉଚିତ ମଣୁନି। ତେଣୁ ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛି। ’

author-image
Niharika Rout
ଅଦ୍ୟତନ ହୋଇଛି
Brother of CM

Brother of CM

‘ମୁଁ ମୁଖ୍ୟମନ୍ତ୍ରୀଙ୍କ ଭାଇ ହୋଇ ବି ଖୁବ୍‌ ଅସହାୟ । ମୋ’ ପାଖରେ ନା ଅର୍ଥ ବଳ ଅଛି ନା ଲୋକ ବଳ । ଏପରି ସମୟରେ ବି ଆହା ପଦେ କହୁନି ଭାଇ। ବାହାର ଲୋକ ଭଲମନ୍ଦ ବୁଝୁଥିବା ବେଳେ ନିଜ ଭାଇ କିନ୍ତୁ ଥରେଟେ ସୁଖଦୁଃଖ ହେବାକୁ ଉଚିତ ମଣୁନି। ତେଣୁ ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛି। ’ ଆଜି କୋହଭରା କଣ୍ଠରେ ଏପରି କହୁ କହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଲୁହ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକଙ୍କ ଏପରି ଅବସ୍ଥା ସମଗ୍ର ରାଜ୍ୟବାସୀଙ୍କୁ  ଚକିତ କରିଛି। ଦିଲ୍ଲୀପ ପଟ୍ଟନାୟକ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ସାରିଥିବା ବେଳେ ବହୁ ରୋଗରେ ଘାଣ୍ଟି ହେଉଛନ୍ତି। ହେଲେ ନା ଔଷଧ ପାଇଁ ଟଙ୍କା ଅଛି ନା ସେବା ସୁଶ୍ରୁସା କରିବାକୁ ନିଜର କେହି ଅଛି। ଦୀର୍ଘ ଦିନ ହେବ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖଭରା କାହାଣୀ ବିଭିନ୍ନ ଗଣମାଧ୍ୟମରେ ସ୍ଥାନ ପାଇଥିଲେ ବି ଆହା ପଦେ କହି ନାହାନ୍ତି ମୁଖ୍ୟମନ୍ତ୍ରୀ।

ତେଣୁ ନିଜକୁ ଅସହାୟ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଇ। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବାକୁ ସେ ଆବେଦନ କରିଛନ୍ତି। ଏପରି ଦୁଃସମୟରେ ପାଖେପାଖେ ଛିଡ଼ା ହୋଇଥିବା କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ ।

Advertisment

ଏନେଇ ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ଯେଉଁମାନେ ମୋ’ ଅସହାୟ ଅବସ୍ଥା ସମ୍ପର୍କରେ ବୁଝୁଥିଲେ, ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବାକୁ ମୋତେ ପରାମର୍ଶ ଦେଇଛନ୍ତି। ତେଣୁ ମୁଁ ଆବେଦନ କରିଛି।

କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସେ ମୋତେ ମେଡିକାଲ ଚିକିତ୍ସା କରାଇଛନ୍ତି। ତାଙ୍କ ଦ୍ୱାରା ମୁଁ ବହୁତ ଉପକୃତ ବୋଲି କହିଛନ୍ତି ଦିଲ୍ଲୀପ ପଟ୍ଟନାୟକ ।

ସେ କହିଛନ୍ତି, ମୋର ଆର୍ଥିକ ଅବସ୍ଥା ବହୁତ ଖରାପ । ଅବସର ନେବାର ୩୦ ବର୍ଷ ହେଲାଣି। ମୋ ପାଖରେ କିଛି ପଇସା ନାହିଁ, ପେନସନ ବି ନାହିଁ। ନବୀନ ବାବୁଙ୍କ ପାଖରେ ଅର୍ଥବଳ, ବାହୁ ବଳ, ଲୋକ ବଳ ସବୁ ଅଛି । ମୋ’ ପାଖରେ କିଛି ବି ନାହିଁ। ଭାଇ ହିସାବରେ ସେ କେବେ ବି ମୋତେ ପଚାରି ନାହାନ୍ତି। ୧୨ ବର୍ଷ ବୟସରେ ବିଦେଶ ଚାଲିଗଲେ। ଏହାପରେ ରାଜ୍ୟକୁ ଫେରି ସେ ଗରୀବଙ୍କ ପାଇଁ ବହୁତ କରିଛନ୍ତି। କିନ୍ତୁ ନିଜ ରକ୍ତ ସମ୍ପର୍କକୁ ପଚାରୁ ନାହାନ୍ତି। ମୋ ପାଖରେ ସାହାରା ହେବାକୁ କେହି ନାହାନ୍ତି। ତେଣୁ ମୁଁ ସମ୍ପୂର୍ଣ୍ଣ ରୂପେ ଅସହାୟ ବୋଲି କାନ୍ଦ କାନ୍ଦ ସ୍ୱରରେ କହିଛନ୍ତି ଦିଲ୍ଲୀପ ପଟ୍ଟନାୟକ ।

ଦୀର୍ଘ ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଦୁଃସ୍ଥିତି ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇ ଆସୁଛି। ଏହା ଦେଖି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଭାଇ ବାର୍ଦ୍ଧକ୍ୟ ଭତ୍ତା ଆବେଦନ କରିବା ଘଟଣା ପ୍ରଚାରିତ ହେବା ପରେ ରାଜ୍ୟବାସୀ ଚକିତ ରହି ଯାଇଛନ୍ତି।

Naveen Patnaik