Advertisment

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କେବଳ ଏକ ପ୍ରହସନ, ଖଣି ମାଲିକଙ୍କ ମଧ୍ୟସ୍ଥିଙ୍କୁ କାହିଁକି ନେଇଛନ୍ତି : ବିଜେପି

ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ଛୁଟି ବିତାନ୍ତୁ ମନା ନାହିଁ କିନ୍ତୁ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।

author-image
Ordigital Desk
Naveen Patnaik

Naveen Patnaik

ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ୍ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ । ୫ଘଣ୍ଟାର କାର୍ଯ୍ୟ ପାଇଁ ସରକାରୀ ଖର୍ଚ୍ଚରେ ନିଜର ଟିମ୍ ସହ ୭ଦିନ ଗସ୍ତ କରିବା କାହା ସ୍ୱାର୍ଥରେ ବୋଲି ବିଜେପି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଜାପାନରୁ ପୁଞ୍ଜି ଆଣିବା ନାଁରେ କେବଳ ପୁରୁଣା ବହିରେ ନୂଆ ମଲାଟ ମଡ଼ାଇବାରେ ଲାଗିଥିବା କହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳରେ ଖଣି ଦଲାଲଙ୍କ ମଧ୍ୟସ୍ଥି ସାମିଲ ଥିବା ବିଜେପି ଅଭିଯୋଗ କରିଛି ।

Advertisment

ଆଜି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ଅଛି କିନ୍ତୁ ରାଜକୋଷରେ ଥିବା ସାଧାରଣ ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯାଇଛନ୍ତି । ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ଛୁଟି ବିତାନ୍ତୁ ମନା ନାହିଁ କିନ୍ତୁ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ରାଜ୍ୟ ସରକାର ମଡ଼ାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଇଟାଲି ଏବଂ ୟୁଏଇ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲାର ବାବୁମାନେ ଜାପାନ ଗସ୍ତ କରିଛନ୍ତି । ୫ ଘଂଟାର କାର୍ଯ୍ୟ ପାଇ ୭ ଦିନ ଗସ୍ତ କରିବାର ମାନେ କ’ଣ? ଏହା ଛୁଟି କାଟିବା ନୁହେଁ ତ ଆଉ କଣ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିବା ଓ ବ୍ୟାପକ ନିବେଶ ଆସିବା ନେଇ ବିଜେଡ଼ି ସରକାର ଦ୍ୱାରା ଯେଉଁ ସବୁ ପ୍ରଚାର କରାଯାଉଛି, ସେ ସବୁର ସତ୍ୟାସତ୍ୟ କେତେ? ଓଡ଼ିଶା ସରକାର ଓ ଖଣି ମାଲିକଙ୍କର ମଧ୍ୟସ୍ଥି କରୁଥିବା ଉପକୂଳ ଜିଲ୍ଲାର ସାଂସଦ ତଥା ଯେଉଁ ଅଂଚଳରେ ଖଣିର ନାଁ ଗନ୍ଧ ନାହିଁ ସେ ବି ସରକାରୀ ପାଣ୍ଠିରେ ଜାପାନ ଯିବା ଗସ୍ତର ସ୍ୱାର୍ଥ କ’ଣ ? ପୂର୍ବରୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା ଇଟାଲୀ ଏବଂ ୟୁଏଇ ଗସ୍ତ ପରେ ଓଡ଼ିଶାକୁ କେତେ ନିବେଶକ ଆସିଛି? ଏସବୁ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି। ୨୦୧୯ ଅକ୍ଟୋବର ୨୫ରେ ତତକାଳୀନ କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜାପାନ ଗସ୍ତରେ ଯାଇ ନିପନ ଷ୍ଟିଲ ସମେତ ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀଙ୍କ ସଙ୍ଗେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ୨୦୨୦ ଫେବୃୟାରୀ ୨୭ରେ ଜାପାନର ରାଷ୍ଟ୍ରଦୂତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ସରକାରଙ୍କ ସହ ଏକ ମିଳିତ ବୈଠକ ହୋଇଥିଲା ଏବଂ ଏହା ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଘୋଷଣା କରାଯାଇଥିଲା । ଓଡ଼ିଶାରେ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୧.୨ ଲକ୍ଷ କୋଟି ବିଦେଶୀ ପୁିନିବେଶରେ ୨୪ ଏମଟିପିଏ ବିଶିଷ୍ଟ ଷ୍ଟିଲ୍ ପ୍ଲାଂଟ ଓ  ଜଗତସିଂହପୁରରେ ମଧ୍ୟ ୩୮ ହଜାର କୋଟି ପୁଞ୍ଜିନିବେଶରେ ୭ ଏମଟିପିଏ ବିଶିଷ୍ଟ ଷ୍ଟିଲ ପ୍ଲାଂଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୧ ଡିସେମ୍ବର ୧୭ରେ କେନ୍ଦ୍ରପଡ଼ାରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇସାରିଛି । ତେବେ ଓଡ଼ିଶା ସରକାର ଏହି ପୁରୁଣା କଥାକୁ ନୂଆ କଥା କହି ଯୁବ ସମାଜକୁ ବିଭ୍ରାନ୍ତ କରୁଛି, ଯାହା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲର ସେହି ବାର୍ଷିକ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଓ ୭ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଂଟ୍ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବ ଯାହା ରହିଛି ସେହି କଥାକୁ ମୁଖ୍ୟମନ୍ତ୍ରୀ ଦୋହରାଉଛନ୍ତି ନା ଏହାକୁ ବାଦ୍ ଦେଇ ଅତିରିକ୍ତ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ କଥା କହୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା ଦାବି କରିଛନ୍ତି ।

Advertisment

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ନବୀନ ପଟ୍ଟନାୟକ କେବେ ଲୋକଦେଖାଣିଆ କାମ କରନ୍ତି ନାହିଁ । ସରଳ ଜୀବନ ଉଚ୍ଚ ଚିନ୍ତାଧାରାରେ ସେ ବିଶ୍ୱାସ ରଖନ୍ତି । ଜାପାନରେ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚସମ୍ମାନ ମିଳୁଛି । ଏବେସୁଦ୍ଧା ୨୬ହଜାର କୋଟିର ନିବେଶ ପ୍ରସ୍ତାବ ଆସିଗଲାଣି । ଜାପାନ ଗସ୍ତର ସଫଳତା ମିଳିବ ଓ ଯେଉଁ ଉଦ୍ଦେଶ୍ୟରେ ଯାଇଛନ୍ତି ତାହା ସାଧିତ ହେବ ବୋଲି ସେ କହିଛନ୍ତି ।

State Bjp Naveen Patnaik Japan