/odisha-reporter/media/post_attachments/uploadimage/library/16_9/16_9_0/BJD_1716556441.jpg)
BJD
‘ଏଇ ମାଟିର ଝିଅ, ମୋ ବହିନୀ ପ୍ରଧାନମନ୍ତ୍ରୀ, କ୍ଷମା କରିବେ ରାଷ୍ଟ୍ରପତି...।’ ଇଏ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଭାଷଣର କିଛି ଅଂଶ। ଆଜି ମୁଖ୍ୟମନ୍ତ୍ରୀ ନିଜର ଅତି ଘନିଷ୍ଠ ସହଯୋଗୀ ଭି.କେ ପାଣ୍ଡିଆନ୍ଙ୍କ ସହ ନିର୍ବାଚନ ପ୍ରଚାର କରିବା ପାଇଁ ମୟୂରଭଞ୍ଜ ଯାଇଥିବା ବେଳେ ଭରା ସଭାରେ ଏମିତି ଭାଷଣ ଦେଇଛନ୍ତି। ଏଥିରୁ ମନେ ହେଉଛି ଆମ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଫିଟ୍ ଓ ସୁସ୍ଥ ଅଛନ୍ତି! ବିରୋଧୀ ମିଛରେ ଅପପ୍ରଚାର କରୁଛନ୍ତି!!
ଘଟଣାଟି ଏମିତି। ଆଜି ମୁଖ୍ୟମନ୍ତ୍ରୀ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ମୟୂରଭଞ୍ଜ ଯାଇଥିଲେ। ବାରିପଦା ଛଉ ପଡ଼ିଆରେ ଆୟୋଜିତ ସଭାରେ ଶଙ୍ଖ ନାଦରୁ ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମେ ନିଜ ଯୋଜନାର ଲମ୍ୱା ଲିଷ୍ଟ ପଢ଼ିଥିଲେ। BSKY ଯୋଜନା ଭଲ କି? ମିଶନଶକ୍ତି ଭଲ କି? ମମତା ଭଲ କି? ଲକ୍ଷ୍ମୀବସ୍ ଯୋଜନା ଭଲ କି? 5-T ସ୍କୁଲ ଭଲ କି? ଚାଷୀଙ୍କ ପାଇଁ କାଳିଆ ଯୋଜନା ଭଲ କି? ମଧୁବାବୁ ପେନ୍ସନ୍ ଯୋଜନା ଭଲ କି? ଚାଉଳ ଭଲ କି? ପୁରୀ ମନ୍ଦିର କାମ ଭଲ କି? ନବୀନ ପଟ୍ଟନାୟକ ଭଲ କି? ଶଙ୍ଖ ଚିହ୍ନ ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ସଭା ଆଗରେ ବସିଥିବା କର୍ମୀମାନେ ବଡ଼ ପାଟିରେ ହଁ ବୋଲି କହିଥିଲେ।
ଆଖି ଆଗରେ ଶହଶହ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତୋ? ଏଇ ମାଟିର ଝିଅ, ମୋ ବହିନୀ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ, କ୍ଷମା କରନ୍ତୁ ମାନ୍ୟବର ରାଷ୍ଟ୍ରପତି। ବିଜେଡି ଏହି ମାଟିକୁ ସମ୍ମାନ ଦେଇଛି। ବିରୋଧ ଦଳ ଆପଣମାନଙ୍କୁ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କହୁଛନ୍ତି। ଆପଣମାନେ ବିଜେଡି ଏମ୍ପି ଓ ଏମ୍ଏଲ୍ଏ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଭୋଟ୍ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି, ଏହି ଅଭିଭାଷଣରେ କ’ଣ ନୂତନତ୍ୱ ରହିଛି? ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ କଣ କିଛ ଫରକ ଦେଖିବାକୁ ମିଳିଥିଲା କି? ଏଥିରୁ କ’ଣ ସ୍ପଷ୍ଟ ହେଉଛି? ବିରୋଧୀ କରୁଥିବା ଅଭିଯୋଗ କ’ଣ ସତ କି? ବିରୋଧୀଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନିଜେ ଖଣ୍ଡନ କରିଛନ୍ତି। ଆଉ ଏକ ଜାତୀୟ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି।
ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
