ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ; 5Tକୁ କଲେ କଟାକ୍ଷ

 ପୂର୍ବ ସରକାରରେ ଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗା ମରାଯାଉଥିଲା। ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥକୁ ରଙ୍ଗୀନ କରାଯାଉଥିଲା। ସ୍କୁଲ କାନ୍ଥରେ ରଙ୍ଗ ମାରିଲେ ଶିକ୍ଷାର ବିକାଶ ହୁଏ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • Published: Friday, 27 September 2024
  • , Updated: 27 September 2024, 01:23 PM IST

ଏଣିକି ଗାଦିମଡ଼ା ବାବୁଙ୍କୁ ନିସ୍ତାର ନାହିଁ କି କୌଣସି ପରିସ୍ଥିତିରେ ଦୁର୍ନୀତି ବରାଦାସ୍ତ କରାଯିବନି, ଜନ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବେ ଅଫିସର, ଜିଲ୍ଲାପାଳଙ୍କ ହାତରେ ତ୍ୱରାନିତ୍ୱ ହେବ ବିକାଶ। ଆଜି ଏଭଳି କଡ଼ା ଭାଷାରେ ଜିଲ୍ଲାପାଳଙ୍କୁ ତାଗିଦ୍ କରିବା ସହ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ  ବିକାଶ ହୁଏନି ବୋଲି କହି ପୂର୍ବ ସରକାରର 5Tଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି।

ଆଜି ଲୋକସେବା ଭବନର କନଭେନସନ ହଲ୍‌ରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରି କହିଛନ୍ତି ଯେ, ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରନ୍ତୁ ଜିଲ୍ଲାପାଳ। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ, ଯଦି କିଛି ଅନିୟମିତତା ହେଉଛି ଦେଖୁଛନ୍ତି, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏଥିସହ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ଜିଲ୍ଲାପାଳ ତଦନ୍ତ କରନ୍ତୁ। ଗଣମାଧ୍ୟମ, ସୋଶାଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରନ୍ତୁ।

ଏହି ଅବସରରେ ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳ ମାନଙ୍କୁ ବୁଝିଥାନ୍ତି। ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଯାଇଥାଏ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୋଇଥାଏ।

ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ ରହିଛି। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ। 'ଉନ୍ନତିମୂଳକ କାର୍ଯ୍ୟରେ ବିଳମ୍ବ ହେଲେ ଦୁର୍ନୀତି ହୁଏ, ସେଥିପ୍ରତି ନଜର ରଖିବା ଆବଶ୍ୟକ। ଜିଲ୍ଲାପାଳ ତ୍ରୟମାସିକ ସମୀକ୍ଷା କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରନ୍ତୁ। ଜିଲ୍ଲାପାଳମାନେ ଥାନା ଓ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଯାଆନ୍ତୁ। ଯଦି କୌଣସି ବିଚ୍ୟୁତି ଦେଖୁଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଏହି ଅବସରରେ ପୂର୍ବ ସରକାରର 5T ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।  ପୂର୍ବ ସରକାରରେ ଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗା ମରାଯାଉଥିଲା। ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥକୁ ରଙ୍ଗୀନ କରାଯାଉଥିଲା। ସ୍କୁଲ କାନ୍ଥରେ ରଙ୍ଗ ମାରିଲେ ଶିକ୍ଷାର ବିକାଶ ହୁଏ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜିଲ୍ଲାପାଳ ସମ୍ମିଳନୀରେ ସରକାରୀ ଅଧିକାରୀଙ୍କ ନିୟମିତ ବଦଳି ଉପରେ ଗୁରୁତ୍ୱ ଦେବା ସହ କିଛି ଅଧିକାରୀ ବର୍ଷ ବର୍ଷ ଧରି ଗୋଟିଏ ଯାଗାରେ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ ବର୍ଷ ରହିବା କଥା। ୪ ବର୍ଷ ପରେ ଅଧିକାରୀଙ୍କ ବଦଳି ନେଇ ସରକାରୀ ନିୟମ ରହିଛି। କିନ୍ତୁ ପୂର୍ବ ସରକାରରେ ଜଣେ ଜଣେ ଅଧିକାରୀ ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ଦେଖାଯାଇଛି। ଗୋଟିଏ ଗୋଟିଏ ବିଭାଗରେ ୧୫ ବର୍ଷ, ୧୦ ବର୍ଷ ଧରି ରହିଛନ୍ତି। ଆଉ ସେକାଳ ପଖାଳ ନାହିଁ, ସରକାରୀ ଅଧିକାରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହେଲେ ସ୍ୱଚ୍ଛତା ଆସିବ, ଅଭିଜ୍ଞତା ଆଧାରରେ ବିକାଶ ତ୍ୱରାନ୍ୱିତ ହେବ। ପ୍ରଶାସନରେ ସ୍ୱଚ୍ଛତା ଆସିଲେ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ମୋହନ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକ ପ୍ରତିନିଧିମାନଙ୍କୁ ଅଫିସରମାନେ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ୱାର୍ଡ ମେମ୍ବର ହେଉ କି ହେଉ ଜିଲ୍ଲା ପରିଷଦ ସଭ୍ୟ ସମସ୍ତଙ୍କୁ ସମ୍ମାନ ମିଳିବା ଆବଶ୍ୟକ। ପୂର୍ବ ସରକାରରେ ଲୋକ ପ୍ରତିନିଧିଙ୍କୁ ସମ୍ମାନ ମିଳୁନଥିଲା, ଲୋକପ୍ରତିନିଧିଙ୍କୁ ବସିବାକୁ ଚେୟାରଟିଏ ବି ଅଫର କରୁନଥିଲେ ଅଫିସର। ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁକ୍ ସର୍କୁଲାର୍-୪୭ ଅନୁସାରେ ସମ୍ମାନ ଦିଆଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ଏବଂ ଅନ୍ୟ
ଲୋକପ୍ରତିନିଧି ଉପସ୍ଥିତ ଥିଲେ। ସେହି ବୈଠକରେ ଜଣେ ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିଲେ। ହେଲେ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ନମସ୍କାର ଜଣାଇଥିଲେ ବି ରାଜ୍ୟ ମନ୍ତ୍ରୀଙ୍କୁ ସମ୍ମାନ ଦେଇ ନ ଥିଲେ। ସେହି ରାଜ୍ୟ ମନ୍ତ୍ରୀ ଏବେ ଦେଶର ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ତେଣୁ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବାରେ ଏତେ କୁଣ୍ଠା କାହିଁକି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

ସେହିପରି ଚୋରା ମଦ କାରବାର ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚୋରା ମଦ କାରବାରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୋହନ। ଜିଲ୍ଲାପାଳ ଅପମିଶ୍ରିତ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଅବକାରୀ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଚୋରା ମଦ କାରବାର ରୋକିବା ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ ରହିଛି। ଏଥିପାଇଁ ନିଜ ଜିଲ୍ଲାରେ ଯଦି କିଛି ଅଘଟଣ ହୁଏ, ଜିଲ୍ଲାପାଳ ଉତ୍ତରଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିଥିଲେ ରାଜ୍ୟ ସରକାର। ଆଜି ଓ କାଲି ଦୁଇ ଦିନ ଧରି ଏହି ବୈଠକ ଚାଲିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହ ଦେଓଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ।

Related story