Advertisment

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ:ଚର୍ଚ୍ଚାରେ ମନ୍ତ୍ରୀସ୍ତରୀୟ କମିଟି, ଅରବିନ୍ଦଙ୍କୁ ‘ରଥଯାତ୍ରା’ ଦାୟିତ୍ୱ, ଡିଜିପିଙ୍କ ମୁଣ୍ଡରେ ଝୁଲିଲା ଖଡଗ୍

ଚଳିତବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଓ ଅଘଟଣମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୁନ୍ ପ୍ରଥମ ସପ୍ତାହରେ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ,କୃଷ୍ଣଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା ସଦସ୍ୟ ଏବଂ ଆଇନ ସଚିବଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଥିଲା ।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବିଗତ ଦୁଇଦିନ ଧରି ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବାପରେ ଆକ୍ସନମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମଗ୍ର ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ପୁରୀ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ତତ୍କାଳ ପ୍ରଭାବରୁ ବଦଳି ଏବଂ ରଥଯାତ୍ରା ସୁରକ୍ଷା ଦାୟିତ୍ୱରେ ମୁତୟନ ଡିସିପି ବିଷ୍ଣୁପ୍ରସାଦ ପତି ଓ ଓଏଏସଏପି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରିଛନ୍ତି । ଏହାସହିତ ଉଚ୍ଚଶିକ୍ଷା ସଚିବ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ସମଗ୍ର ରଥଯାତ୍ରା ପରିଚାଳନାର ତଦାରଖ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛନ୍ତି । ଆଗାମୀ ଦିନରେ ଆଉ କିଛି ବରିଷ୍ଠ ଅଫିସରଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଙ୍କେତ ଦେବା ସହ ଆଜିର ତ୍ୱରିତ୍ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି ହୋଇଛି । ପୁରୀ ରଥଯାତ୍ରାର ପ୍ରସ୍ତୁତିର ତଦାରଖ ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟି ସମେତ ପୁରୀ ରଥଯାତ୍ରା ନିମନ୍ତେ ବିଭିନ୍ନ ଦାୟିତ୍ୱରେ ଥିବା ଅଫିସରମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ, ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁ ଆଗାମୀ ଦିନରେ ଅନ୍ୟ ପୁଲିସ ମୁଖିଆଙ୍କ ସମେତ କିଛି ବରିଷ୍ଠ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ୍ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ, ତଦନ୍ତ ନିର୍ଦ୍ଦେଶ

ସୂଚନା ଅନୁସାରେ, ପୁରୀ ଶରଧାବାଲିରେ ଭୋର ୪ଟାରେ ଦଳାଚକଟାରେ ୩ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଓ ବହୁସଂଖ୍ୟକ ଲୋକ ଆହତ ହୋଇଥିବାର ଖବର ମିଳିବା ପରେ ସକାଳୁ ସକାଳୁ ରାଜ୍ୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆକ୍ସନମୋଡକୁ ଆସି ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଥିଲା । ଆଉ ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ରଥଯାତ୍ରା ଦାୟିତ୍ୱରେ ନିୟୋଜିତ ଦୁଇ ବରିଷ୍ଠ ପୁଲିସ ଅଧିକାରୀ ବିଷ୍ଣୁପ୍ରସାଦ ପତି ଓ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଥିଲା । ଏହାହିତ ରଥ ଦାୟିତ୍ୱରେ ଥିବା ଜିଲ୍ଲା ଏସପି ବିନିତ ଅଗ୍ରୱାଲ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଯଥାକ୍ରମେ ପୁଲିସ ମୁଖ୍ୟାଳୟରେ ଓଏସଡି ଓ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତତ୍କାଳ ପ୍ରଭାବରୁ ବଦଳି ହୋଇଛି। ସେମାନଙ୍କ ସ୍ଥାନରେ ଏସପି ଭାବେ ପିନାକ ମିଶ୍ର(ଡିଆଇଜି ଏସଟିଏଫ) ଓ ଚଂଚଳ ରାଣା(ଖୋର୍ଦ୍ଧା ଜିଲ୍ଲାପାଳ)ଙ୍କୁ ନିଯୁକ୍ତି ଦିଆ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା । ଉଭୟ ଅଫିସର ଇତିମଧ୍ୟରେ ନୂଆ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ(ପୁରୀର ପୂର୍ବତନ ଜିଲ୍ଲାପାଳ)ଙ୍କୁ ସମଗ୍ର ରଥଯାତ୍ରାର ତଦାରଖ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଅଗ୍ରୱାଲ ତାଙ୍କ ଛୁଟି ବାତିଲ କରି ଆଜି ସକାଳେ ଭୁବନେଶ୍ୱର ଫେରି ପୁରୀ ଯାଇଥିବା ଜଣାପଡ଼ିଛି ।

ଏହି ଅବ୍ୟବସ୍ଥା ଓ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ମାଗିଛନ୍ତି । ଏହି ଅବହେଳା ଅକ୍ଷମଣୀୟ ଓ  ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଦଳାଚକଟାରେ ମୃତ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସଙ୍କ ନିକଟ ଆତ୍ମୀୟଙ୍କ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିବା ସହ ଏହି ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ନିମନ୍ତେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ଗର୍ଗଙ୍କ ତଦନ୍ତ ରିପୋର୍ଟ ମିଳିବା ପରେ ଅଧିକ କିଛି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଜୁନ୍ ପ୍ରଥମ ସପ୍ତାହରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷାବେଳେ ପୁଲିସ ଡିଜି ୱାଇବି ଖୁରାନିଆ ନିଜେ ରଥଯାତ୍ରାରେ ୧୫ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ଓ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୁଲିସର ଅତ୍ୟାଧୁନିକ ‘ଇଣ୍ଟିଗ୍ରେଟେଡ୍ କମାଣ୍ଡ କଂଟ୍ରୋଲ ରୁମ୍‌’ ଓ ରଥଯାତ୍ରା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଫେଲ୍ ମାରିଥିବାରୁ ଦଳାଚକଟା ଓ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିବା  କୁହାଯାଉଛି । ଯେଉଁଥିପାଇଁ ଏହି ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ଓ ପୁଲିସ ଡିଜି ଖୁରାନିଆଙ୍କୁ ମଧ୍ୟ ସରକାରଙ୍କ କୋପର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ।

Advertisment

ମନ୍ତ୍ରୀସ୍ତରୀୟ କମିଟିର ତଦାରଖ ଓ ପ୍ରଶାସନିକ ସମନ୍ୱୟ ଅଭାବ

ଚଳିତବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଓ ଅଘଟଣମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୁନ୍ ପ୍ରଥମ ସପ୍ତାହରେ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ,କୃଷ୍ଣଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା ସଦସ୍ୟ ଏବଂ ଆଇନ ସଚିବଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଥିଲା । ଏହି କମିଟି ଜୁନ୍ ୧୯ତାରିଖରେ ପୁରୀ ଗସ୍ତ କରି ଦିନତମାମ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ରଥଯାତ୍ରା ସହ ଜଡ଼ିତ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ମନ୍ତ୍ରିସ୍ତରୀୟ କମିଟି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର, ବଡ଼ଦାଣ୍ଡ, ରଥଖଳା ଏବଂ ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା, କମାଣ୍ଡ ଓ କଂଟ୍ରୋଲ ସେଂଟର, ତୀଥର୍ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ରହଣୀ ସ୍ଥଳୀ ଆଦିକୁ ଗସ୍ତ କରି ସେଠାରେ ତଦାରଖର ସମୀକ୍ଷା କରିଥିଲେ । ଏହାପରେ ପୁଲିସ ଡିଜି, ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରାୟ ୧୦୦ରୁ ଅଧିକ ଓଡ଼ିଶା ପ୍ରଶାସନିକ ସେବା ଅଫିସରଙ୍କୁ ରଥଯାତ୍ରାରେ ନିୟୋଜିତ କରିଥିଲେ । ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ ପାଇଁ ପୁଲିସ ଡିଜି ଶ୍ରୀ ଖୁରାନିଆ ନିଜେ ୫ଦିନ ଧରି ଆଗୁଆ ପୁରୀରେ ଡେରା ପକାଇଥିଲେ । ଏସବୁ ସତ୍ତ୍ୱେ ଚଳିତ ରଥଯାତ୍ରାରେ ଅବ୍ୟବସ୍ଥା ପୂର୍ବର ସବୁବର୍ଷକକୁ ଟପି ଯାଇଥିଲା । ରଥଯାତ୍ରା ଦିନ ସବୁବର୍ଷ ଭଳି ଚଳିତଥର ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ବସିବାର ବ୍ୟବସ୍ଥା ହୋଇନଥିଲା । ଏପରିକି କିଛି ଆଗଧାଡ଼ିର ଅଭିଜ୍ଞ ଆଇପିଏସ୍ ମଧ୍ୟ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିଲେ । ଯାହାକି ରଥଯାତ୍ରା ଦିନ ହିଁ ପୁଲିସ ବିଭାଗରେ ସମନ୍ୱୟ ଅଭାବର ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା । ପୁଲିସ ଡିଜିଙ୍କ ଉପସ୍ଥିତି ସତ୍ତ୍ୱେ ଏଭଳି ଅଭାବନୀୟ ଆଇନଶୃଙ୍ଖଳା ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ କାହିଁକି ହେଲାନି, କମାଣ୍ଡ କଂଟ୍ରୋଲ ସେଂଟର କାହିଁକି ଫେଲ୍ ମାରିଲା ଏବଂ ବିଶେଷକରି ଦୁଇଟି ଟ୍ରକ କିଭଳି ରଥ ନିକଟକୁ ଆସିଲା ଓ ତା’ପୂର୍ବରୁ କାହିଁକି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କଲାନି ତାକୁ ନେଇ ପ୍ରଶ୍ନ ଉଠିଛି । କମାଣ୍ଡ କଂଟ୍ରୋଲ ସେଂଟର ପାଇଁ ଦିଆଯାଇଥିବା ଟେଣ୍ଡରକୁ ନିଜେ ଡିଜି ଶ୍ରୀ ଖୁରାନିଆ ଚୂଡ଼ାନ୍ତ କରିଥିଲେ । ଏସବୁ ଘଟଣା ପାଇଁ ତାଙ୍କ ମୁଣ୍ଡରେ ‘ଡେମୋକ୍ଲିସ୍ ଖଡଗ’ ଝୁଲୁଥିବା ଯୋଗୁ ଆଜି ତରବରିଆ ଭାବେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମଗ୍ର ରଥଯାତ୍ରାରେ ପୁଲିସ ବ୍ୟବସ୍ଥାର ତଦାରଖ ନ୍ୟସ୍ତ ହୋଇଛି । ପୂର୍ବରୁ ଏହି ଦାୟିତ୍ୱରେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ରହିଥିଲେ । ଡିଜି ଶ୍ରୀ ଖୁରାନିଆ ଏହି ନିର୍ଦ୍ଦେଶନାମା ଜାରି କରି ସଞ୍ଜୟ କୁମାରଙ୍କୁ ସାଇଡ୍ କରିଥିବାବେଳେ ଆଜିଠୁ ଯାହା ହେବ ସେସବୁ ସୌମେନ୍ଦ୍ରଙ୍କ ମୁଣ୍ଡରେ ଯିବ ବୋଲି ସନ୍ଦେଶ ଦେଇଛନ୍ତି ।

ଆଉ ଜଣେ ଅରବିନ୍ଦଙ୍କୁ ଦାୟିତ୍ୱ

ରଥଯାତ୍ରା ଦିନ ୬୦୦ରୁ ଅଧିକ ଶ୍ରଦ୍ଧାଳୁ ଦଳାଚକଟା ଓ ଠେଲାପେଲାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଜେ ଯାଇନଥିଲା । ଏହାସତ୍ତ୍ୱେ ଉଭୟ ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନର ଚେତା ପଶିନଥିଲା । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଂଚିବା ପରେ ଯିିଏ ଯାହା ମୁଣ୍ଡରୁ ଦାୟିତ୍ୱ ଖସାଇ ପଳାଇଥିଲେ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନିରଥରେ ପହୁଡ଼ ପଡ଼ିବା ଓ ଖୋଲାଯିବା ନିଷ୍ପତ୍ତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅବହେଳା ତଥା ଦାୟିତ୍ୱହୀନତା ପରେ ସରକାର ପୁରୀର ପୂର୍ବତନ ଜିଲ୍ଲାପାଳ ତଥା ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ସମଗ୍ର ରଥଯାତ୍ରା ପରିଚାଳନାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସରକାର ଏହି ନିଷ୍ପତ୍ତି ନେଇ ସିଧାସଳଖ ଶ୍ରୀମନ୍ଦିର ପ୍ରଶାସକ ତଥା ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କ ଉପରେ ସରକାର ଅସନ୍ତୁଷ୍ଟ ଥିବାର ପ୍ରମାଣ ଦେଇଛନ୍ତି ।

ଭାବମୂର୍ତ୍ତି ରକ୍ଷା ପାଇଁ ହୋଇପାରେ ଅଧିକ କାର୍ଯ୍ୟାନୁଷ୍ଠାନ

ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସରକାରଙ୍କ ପକ୍ଷରୁ କ୍ଷମା ମାଗିଥିଲେ ମଧ୍ୟ ନିଜ ସରକାରର ଭାବମୂର୍ତ୍ତି ରକ୍ଷା ନିମନ୍ତେ କିଛି ବରିଷ୍ଠ ଅଫିସରଙ୍କ ଉପରେ ଛାଟ ପଡ଼ିପାରେ ବୋଲି ଜଣାପଡ଼ିଛି । ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ବରିଷ୍ଠ ପାହ୍ୟାର ଜଣେ ଅବା ଦୁଇଜଣ ଆଇପିଏସ୍ ଅଫିସର ଏବଂ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଯଥେଷ୍ଟ ସମ୍ଭାବନା ଥିବା ସୂଚନା ମିଳିଛି । ନୀଳାଦ୍ରି ବିଜେ ସରିବା ପରେ ସରକାର ଏହି ଶୀର୍ଷ ପାହ୍ୟାର ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Ratha Yatra