/odisha-reporter/media/post_attachments/uploadimage/library/16_9/16_9_0/IMAGE_1754400661.jpg)
CM Mohan Charan Majhi
ଦୀର୍ଘ ପ୍ରାୟ ୪ବର୍ଷ ପରେ ଆସନ୍ତା ୨୨ ତାରିଖରୁ ଓଡ଼ିଶା ପୁଲସିର ଦୁଇଦିନିଆ ‘ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ’ ଅନୁଷ୍ଠିତ ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଉଠିଥିବା ପ୍ରଶ୍ନବାଚୀ ମଧ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯିବା ବେଶ୍ ଗୁରୁତ୍ୱ ବହନ କରୁଛି । ବିଜେଡି ଶାସନକାଳରେ ପୁଲିସ ବ୍ୟବସ୍ଥାରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ୨୦୨୧ ମସିହା ପରଠୁ ରାଜ୍ୟରେ ‘ବରିଷ୍ଠ ପୁଲିସ ଅଫିସର୍ସ’ ସମ୍ମିଳନୀ ଆୟୋଜନ ସମ୍ଭବପର ହୋଇପାରିନଥିଲା । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଣିଥରେ ଏହି ସମ୍ମିଳନୀ କରିବାକୁ ରାଜ୍ୟ ପୁଲିସ ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ରାଜ୍ୟବାସୀଙ୍କୁ ଉନ୍ନତମାନର ଜନସେବା ପ୍ରଦାନ ଓ ପୁଲିସ ବ୍ୟବସ୍ଥାରେ ବ୍ୟାପକ ସୁଧାରକୁ ସୁନିଶ୍ଚିତ କରାଇବା ନିମନ୍ତେ ଏହି ସମ୍ମିଳନୀ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବା ଉଚିତ୍ ବୋଲି ପୂର୍ବତନ ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି ।
୨୨ରୁ ଦୁଇଦିନିଆ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ
ଚଳିତମାସ ୨୨ତାରିଖରୁ ଦୁଇଦିନିଆ ବରିଷ୍ଠ ପୁଲିସ୍ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସବୁ ଜିଲ୍ଲାର ପୁଲିସ ଏସପି, ଡିସିପି, ବିଭିନ୍ନ ବାଟାଲିୟନର କମାଣ୍ଡାଣ୍ଟ, ଗୁଇନ୍ଦା, ଜେଲ,ଅଗ୍ନିଶମ, ଭିଜିଲାନ୍ସ ଓ ରେଳବାଇ ଆଦିରେ କାର୍ଯ୍ୟରତ ରାଜ୍ୟର ବରିଷ୍ଠ ପୁଲିସ ଅଫିସରଙ୍କ ସମେତ ସମସ୍ତ ଆଇପିଏସ୍ ଅଫିସରମାନେ ଯୋଗ ଦେବେ । ଏହି ସମ୍ମିଳନୀର ଆୟୋଜନର ସମ୍ପାଦକ ଭାବେ ଅତିରିକ୍ତ ଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ସମ୍ମିଳନୀରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇବ ତାହା ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଶେଷଥର ପାଇଁ ୨୦୨୧ ଡିସେମ୍ବର ୧୭ତାରିଖରେ ତତକାଳୀନ ପୁଲିସ ଡିଜି ଅଭୟଙ୍କ ନେତୃତ୍ୱରେ ୩ଦିନିଆ ୬୩ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କିନ୍ତୁ ତା’ପରଠୁ ବିଭିନ୍ନ କାରଣ ଯୋଗୁ ତତକାଳୀନ ବିଜେଡି ସରକାରର ଅଧସ୍ତନ ପୁଲିସ ଏହି ସମ୍ମିଳନୀ କରାଇବା ଦିଗରେ ଆଗ୍ରହ ଦେଖାଇନଥିଲା । ବିଜେଡି ଶାସନକାଳରେ ତୃତୀୟ ମହଲାରେ ଅବସ୍ଥାପିତ ଜଣେ ଜୁନିୟର ଆଇପିଏସ୍ ଅଫିସର ‘ସୁପର ହୋମମିନିଷ୍ଟର’ ଭଳି କାର୍ଯ୍ୟ କରୁଥିବା ଯୋଗୁ ସେତେବେଳେ ପୁଲିସ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଥିଲା । ଯେଉଁଥିପାଇଁ ଆଇପିଏସ୍ ସୁନୀଲ କୁମାର ବଂଶଲ ଓ ଅରୁଣ ଷଡ଼ଙ୍ଗୀ ପ୍ରାୟ ଅଢ଼େଇବର୍ଷରୁ ଅଧିକ ସମୟ ଧରି ରାଜ୍ୟ ପୁଲିସର ମୁଖ୍ୟ(ଡିଜିପି) ଥିଲେ ମଧ୍ୟ ଏହି ‘ବରିଷ୍ଠ ପୁଲିସ ଅଫିସର୍ସ’ ସମ୍ମିଳନୀ ଆୟୋଜନ କରାଇବାରେ ସକ୍ଷମ ହୋଇନଥିଲେ ।
ତେବେ ୨୦୨୪ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହୋଇଥିଲା ଓ ବର୍ତ୍ତମାନର ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଦିଲ୍ଲୀରୁ ଆଣି ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟର ପୁଲିସ ଡିଜି ଦାୟିତ୍ୱ ନ୍ୟସ୍ତ କରିଥିଲେ । ଶ୍ରୀ ଖୁରାନିଆ ମଧ୍ୟ ବିଭିନ୍ନ କାରଣରୁ ବିଗତ ବର୍ଷକ ମଧ୍ୟରେ ଏହି ସମ୍ମିଳନୀ ଆୟୋଜନ ଦିଗରେ ଆଗ୍ରହ ଦେଖାଇନଥିଲେ ।
ସୂତ୍ର ଅନୁସାରେ, ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ଏଭଳି ଆଭିମୁଖ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୁବ୍ଧ ହୋଇ ତୁରନ୍ତ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟକୁ ଦେଖି ଅଗଷ୍ଟ ୨୨ ଓ ୨୩ତାରିଖରେ ଦୁଇଦିନିଆ ସମ୍ମିଳନୀ ନିମନ୍ତେ ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ପୁଲିସର କାର୍ଯ୍ୟଶୈଳୀ ଓ ସରକାରଙ୍କ ଭାବମୂର୍ତ୍ତି
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୧୪ମାସ ବିତିଲାଣି । ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସର କାର୍ଯ୍ୟଶୈଳୀରେ ସୁଧାର ପରିବର୍ତ୍ତେ ଏହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଶେଷକରି ରାଜ୍ୟରେ ମହିଳା ବିରୋଧୀ ହିଂସା ଘଟଣା ବୃଦ୍ଧିକୁ ନେଇ ସରକାରଙ୍କୁ ବିଭିନ୍ନସ୍ତରରୁ ସମାଲୋଚିତ ହେବାକୁ ପଡ଼ିଛି । ରାଜ୍ୟରେ ଅପରାଧ ବୃଦ୍ଧି ପାଉଥିବାରୁ ଓ ଜାତୀୟସ୍ତରରେ ଓଡ଼ିଶା ବଦନାମ ହେଉଥିବାରୁ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟଶୈଳୀ ଓ ନେତୃତ୍ୱ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋପାଳପୁରରେ ଛାତ୍ରୀ ଗଣଦୁଷ୍କର୍ମ, ପୁରୀ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା, ବଳଙ୍ଗାରେ ନିଆଁରେ ନାବାଳିକା ମୃତ୍ୟୁ ସମେତ ରାଜ୍ୟର ବିଭିନ୍ନ ଭାଗରେ ନିୟମିତ ନାନାଦି ଅପରାଧ ବୃଦ୍ଧି ଯୋଗୁ ପୁଲିସର ବିଶ୍ୱସନୀୟତାକୁ ନେଇ ସଙ୍କଟ ଦେଖାଦେଇଥିବା ଅଭିଯୋଗ ହେଉଛି । ବିଭିନ୍ନ କାରଣରୁ ଦକ୍ଷ-ଯୋଗ୍ୟ ଅଫିସରମାନଙ୍କୁ କୋଣଠେସା କରି ରଖାଯାଇଛି । ପୁଲିସର ଅପାରଗତା ଯୋଗୁ ମୋହନ ସରକାରଙ୍କ ଭାବମୂର୍ତ୍ତି ମଧ୍ୟ ସଙ୍କଟ ଭିତରକୁ ଠେଲି ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଏହି ସମ୍ମିଳନୀର ଆୟୋଜନ କରି ସରକାର ନିଜର କଡ଼ା ସନ୍ଦେଶ ଦେବାକୁ ଚାହୁଁଥିବା ଜଣାପଡ଼ିଛି ।
ପରମ୍ପରା ଅନୁରୂପ ପ୍ରତିବର୍ଷ ସମ୍ମିଳନୀ କରାଯାଉ: ବିକେ ଶର୍ମା
ଅଗଷ୍ଟ ୨୨ରେ ‘ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ’ ଆୟୋଜନକୁ ରାଜ୍ୟର ପୂର୍ବତନ ପୁଲିସ ଡିଜି ବିଜୟ କୁମାର ଶର୍ମା ‘ସ୍ୱାଗତଯୋଗ୍ୟ ପଦକ୍ଷେପ’ ବୋଲି କହିଛନ୍ତି । ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ ବରିଷ୍ଠ ପୁଲିସ ଅଫିସର୍ସଙ୍କ ସମ୍ମିଳନୀ ନିଶ୍ଚିତ ଭାବେ ପ୍ରତିବର୍ଷ ଆୟୋଜନ କରାଯିବା ଉଚିତ୍, ଯାହାକି ଏକ ପରମ୍ପରା ରହିଛି । ଏହି ସମ୍ମିଳନୀ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ପୁଲିସ ଅଫିସରମାନେ ପେଷାଗତ ଆଲୋଚନା କରିବା ସହ ପ୍ରାଥମିକତା ନିର୍ଦ୍ଧାରଣ କରିଥାନ୍ତି ଓ କାର୍ଯ୍ୟଦକ୍ଷତାର ମଧ୍ୟ ସମୀକ୍ଷା ହୁଏ । ଏସବୁର ନିର୍ଯ୍ୟାସ ବା ଅନ୍ତିମ ଉଦ୍ଦେଶ୍ୟ ହେଉଛି ରାଜ୍ୟବାସୀଙ୍କୁ ଉନ୍ନତମାନର ଜନସେବା ପ୍ରଦାନକୁ ସୁନିଶ୍ଚିତ କରାଇବା ବୋଲି ଶ୍ରୀ ଶର୍ମା କହିଛନ୍ତି ।”
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ତତକାଳୀନ ଚିଫ୍ ଅଫ ଡିଫେନ୍ସ ଜେନେରାଲ ବିପିନ ରାୱତ୍ ଓଡ଼ିଶା ପୁଲିସର ୬୨ତମ ବରିଷ୍ଠ ଅଫିସର୍ସ ସମ୍ମିଳନୀରେ ଯୋଗ ଦେବା ସହ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । କିନ୍ତୁ ଏହାସତ୍ତ୍ୱେ ଓଡ଼ିଶା ପୁଲିସ ନିଜର ପୋଷାଦାର ମନୋଭାବ ପୋଷଣ ନକରି ରାଜନୀତିକ ହାତବାରିସି ସାଜି ୪ବର୍ଷ ଧରି ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଆୟୋଜନ ନକରିବା ସିଧାସଳଖ ଭାବେ ରାଜ୍ୟ ପୁଲିସ ବାହିନୀର ରଣନୀତିକ ଦିଗ ଚୂଡ଼ାନ୍ତ ଏବଂ କାର୍ଯ୍ୟଦକ୍ଷତା ସମୀକ୍ଷା ପ୍ରକ୍ରିୟାକୁ ବ୍ୟାକଫୁଟକୁ ନେଇଯାଇଛି ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
