Advertisment

Assembly ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ଧାଡ଼ିକିଆ ଉତ୍ତର ଦେଇ ଚାଲିଯାଏନି, ଚାଷୀଙ୍କ ନାଁରେ ରାଜନୀତିକୁ ନାପସନ୍ଦ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପ୍ରଶ୍ନ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ବିରୋଧୀ ଦଳ ଆଲୋଚନାରେ ଭାଗ ନନେଇ କେବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ କରିବା ଅତ୍ୟନ୍ତ ନୈରାଶ୍ୟଜନକ। ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କ ଠାରୁ ମୁଖ୍ୟ ବିରୋଧି ଦଳର ମାନ୍ୟତା ମିଳିଯିବ ନାହିଁ।

author-image
Prakaash Sethi
CM-ASSEMBLY

“ମୁଁ ସେଭଳି ରାଜନେତା ନୁହେଁ ଯିଏ ନିଜ ଘର କି ସଚିବାଳୟ ପାହାଚରେ ଛିଡ଼ା ହୋଇ ଧାଡ଼ିଏ ଉତ୍ତର ଦେଇ ଚାଲିଯାଏ। ମୁଁ ପଳାୟନପନ୍ଥୀ ନୁହେଁ, ବିରୋଧି ଦଳ ଯାହା ପ୍ରଶ୍ନ ପଚାରିବେ, ତାର ଉତ୍ତର ଦେବି। ଗଣମାଧ୍ୟମ ସହ ଖୋଲା ସାମ୍ବାଦିକ ସମ୍ମିଳନୀ କରିବା ଆମ ସରକାରର ପାରଦର୍ଶିତାର ପ୍ରମାଣ।” ଆଜି ଏଭଳି ଢଙ୍ଗରେ ବିଧାନସଭାରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିଧାନସଭା( Odisha Assembly)ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ ବିରୋଧୀ କଂଗ୍ରେସ ଓ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି।

ବିରୋଧୀଙ୍କ ମାନସିକତାକୁ କଡ଼ା ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ବିଜେଡି ଓ କଂଗ୍ରେସ ଦୂରେଇ ରହି ଗୃହରେ ହଟ୍ଟଗୋଳ କରିବାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପ୍ରଶ୍ନ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ବିରୋଧୀ ଦଳ ଆଲୋଚନାରେ ଭାଗ ନନେଇ କେବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ କରିବା ଅତ୍ୟନ୍ତ ନୈରାଶ୍ୟଜନକ। ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କ ଠାରୁ ମୁଖ୍ୟ ବିରୋଧି ଦଳର ମାନ୍ୟତା ମିଳିଯିବ ନାହିଁ।

Advertisment

ବିଶେଷକରି କଂଗ୍ରେସର କକ୍ଷତ୍ୟାଗ ଦେଖି ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଭଳି ବାଧ୍ୟବାଧକତାରେ ଗୃହ ତ୍ୟାଗ କଲା, ତାହା ସେମାନଙ୍କର ଅସ୍ଥିର ମାନସିକତାକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି। ବିରୋଧୀଙ୍କ କଥା ଓ ଶରୀରର ଭାଷା ମଧ୍ୟରେ କୌଣସି ତାଳମେଳ ନାହିଁ ଓ ସେମାନେ ଲୋକଙ୍କ ସ୍ୱର ଶୁଣାଇବାକୁ ଚାହୁଁନାହାନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ଚାଷୀଙ୍କ ନାଁରେ ରାଜନୀତିକ ତାମସା କରୁଛନ୍ତି ବିରୋଧୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ,  ଯେଉଁମାନେ ଆଜି ସରକାରଙ୍କ ଇନପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ସୋହେଲାଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ ବୋଲି ଭୁଲିଯାଇଛନ୍ତି । ହିନ୍ଦୀରେ ଗୋଟିଏ ଢଗ ଅଛି, ‘ରାତ ଗୟୀ, ବାତ୍ ଗୟୀ।  ତମାସା ଖତମ, ପୈସା ହଜମ’ ନ୍ୟାୟରେ ସେମାନେ ପୁରା ଭୁଲିଗଲେ। କିନ୍ତୁ, ଆମେ ଭୁଲି ନ ଥିଲୁ। ଆମ ସରକାର ମାତ୍ର ୨୪ ମିନିଟରେ ଇନପୁଟ୍ ସବସିଡି ପାଇଁ ନିଷ୍ପତ୍ତି ନେଲା ଓ ସେହି ସୋହେଲାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲୁ । ପ୍ରତିଶ୍ରୁତି ରଖି ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ଦେଉଛୁ । ଅନ୍ନଦାତାଙ୍କୁ ହଇରାଣ କରୁଥିବା ପୁରୁଣା ‘ଇକୋ-ସିଷ୍ଟମ'କୁ ସୁଧୁରିଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି।

ଏକଛତ୍ରବାଦୀ ଶାସନ ଚାଲିଥିଲା, ଏବେ ସଂସ୍କାର ଆସିଛି 

ଶାସନ ବ୍ୟବସ୍ଥାରେ ଆସିଥିବା ବଡ଼ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଗତ ୨୪ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚାଲିଥିଲା। ସେ ସମୟରେ ମନ୍ତ୍ରୀମାନେ ଅଣନିଶ୍ୱାସୀ ହୋଇ ରହୁଥିଲେ ଓ ଶାସନ କେବଳ ‘ଅଧିକାରୀ-କୈନ୍ଦ୍ରିକ' ଥିଲା। କିନ୍ତୁ ଏବେ ସରକାର ଏହି ବ୍ୟବସ୍ଥାରେ ସଂସ୍କାର ଆଣି ଶାସନକୁ ‘ଜନପ୍ରତିନିଧି-କୈନ୍ଦ୍ରିକ' କରିଛନ୍ତି । ଯେଉଁ ସଦସ୍ୟମାନେ ପୂର୍ବରୁ ନିଜ ମୁଖିଆଙ୍କୁ ଭେଟିବାକୁ ସୁଯୋଗ ପାଉନଥିଲେ, ଆଜି ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ସବୁବେଳେ ଖୋଲା ଅଛି। 

ବିରୋଧୀ ଦଳ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ପାଇଁ  ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ । ଆମ ସରକାର କେବଳ ଭୋଟ ବ୍ୟାଙ୍କ ତିଆରି କରିବା ପାଇଁ ଯୋଜନା କରନ୍ତି ନାହିଁ । ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ଓ ୨୦୪୭ ସୁଦ୍ଧା ‘ବିକଶିତ ଭାରତ'ର ଗ୍ରୋଥ୍ ଇଞ୍ଜିନ ଭାବେ ଗଢ଼ିତୋଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Odisha Assembly