Drone
ବାଂଲାଦେଶରେ ରାଜନୀତିକ ଅସ୍ଥିରତା ଯୋଗୁ ସମୁଦ୍ର ମାର୍ଗ ଦେଇ ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଓଡ଼ିଶା ପୁଲିସର ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ଉପକୂଳ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ଅନୁପ୍ରବେଶ ଉପରେ ନଜର ରଖିବାକୁ ଉପକୂଳ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ଗତ ମାର୍ଚ୍ଚରେ କିଣିଥିବା ଡ୍ରୋନ(ୟୁଏଭି)କୁ ଓଡ଼ିଶା ପୁଲିସ୍ ଉପକୂଳ ସୁରକ୍ଷାରେ ନିୟୋଜିତ ନକରି ନକ୍ସଲ ମୁକାବିଲା ନିମନ୍ତେ ସ୍ପେଶାଲ ଅପରେସନ ଗ୍ରୁପ(ଏସଓଜି)କୁ ହସ୍ତାନ୍ତର କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଉପକୂଳ ସୁରକ୍ଷାକୁ ଅଣଦେଖା କରି କାହା ନିର୍ଦ୍ଦେଶରେ ଏସବୁ ଡ୍ରୋନକୁ ଏସଓଜିକୁ ହସ୍ତାନ୍ତର କରାଯାଇଛି ଓ ଏକ ନିର୍ଦ୍ଦିଷ୍ଟ କମ୍ପାନୀଠୁ କିଣାଯାଇଥିବା ଡ୍ରୋନ୍ କ’ଣ ଉପକୂଳ ସୁରକ୍ଷା ନିମନ୍ତେ ଫିଟ୍ ନଥିଲା କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।
ବିପଦରେ ଉପକୂଳ ସୁରକ୍ଷା, ଅନୁପ୍ରବେଶ ଆଶଙ୍କା ବଢ଼ିଲା
ବାଂଲାଦେଶରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହେବାପରେ ସମୁଦ୍ର ମାର୍ଗ ଦେଇ ଅନୁପ୍ରବେଶର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡ୍ରୋନ୍ କିଣିବା ନିମନ୍ତେ ଉପକୂଳ ସୁରକ୍ଷା ପ୍ଲାନରୁ ୧୨.୭୩କୋଟି ଟଙ୍କା ଓଡ଼ିଶା ପୁଲିସକୁ ମଞ୍ଜୁର କରିଥିଲେ । ଉପକୂଳ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ବିଡିଂ ପ୍ରକ୍ରିୟାରେ ୨୦୨୫ ମାର୍ଚ୍ଚରେ ୧୦ଟି ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ କ୍ରୟ କରାଗଲା । ମାତ୍ର ସେହି ଡ୍ରୋନକୁ ଉପକୂଳ ସୁରକ୍ଷାରେ ନିୟୋଜିତ କରାନଯାଇ ଅତ୍ୟନ୍ତ ବେପରୁୱା ଢଙ୍ଗରେ କାହିଁକି ଓ କାହା ନିର୍ଦ୍ଦେଶରେ ସେଥିରୁ ୫ଟି ଡ୍ରୋନକୁ ଏସଓଜିକୁ ହସ୍ତାନ୍ତର କରାଗଲା ତଥା ଉପକୂଳ ସୁରକ୍ଷାକୁ ବିପଦରେ ରହିବାକୁ ଛାଡ଼ିଦିଆଗଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି । ଯଦିଓ ନକ୍ସଲ ମୁକାବିଲା ନିମନ୍ତେ ଏସଓଜି ପାଖରେ ୨୦୨୪ ମସିହାରୁ ୬ଟି ଡ୍ରୋନ୍ ରହିଛି । ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ଏବେ ଗୁରୁତର ସମସ୍ୟା ହୋଇ ରହିଛି ଓ ୨୦୨୧ ସୁଦ୍ଧା ରାଜ୍ୟରେ ମୋଟ୍ ୩୭୩୮ଜଣ ବାଂଲାଦେଶୀ ନାଗରିକ ରହୁଥିବା ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବିଧାନସଭାରେ ସୂଚନା ଦେଇଥିଲେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାରେ ସମୁଦ୍ର ମାର୍ଗ ଦେଇ ବାଂଲାଦେଶୀଙ୍କ ଅନୁପ୍ରବେଶର ଆଶଙ୍କା ଅଧିକ ରହିଛି । ବାଂଲାଦେଶୀ ଅନୁପ୍ରବେଶକାରୀ ସମୁଦ୍ର ମାର୍ଗରେ ଦେଶୀ ଡଙ୍ଗା ଅବା ବୋଟ ସହାୟତାରେ ସର୍ବାଧିକ ୮-୧୦ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଂଚିବାର ସମ୍ଭାବନା ବି ରହୁଛି । ଏତେ ବିସ୍ତୀର୍ଣ୍ଣ ଉପକୂଳ ଓ ଝାଉଁ ଜଙ୍ଗଲ ଅଂଚଳ ଉପରେ କିଏ କେମିତି ନଜର ରଖୁଛି ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ସତ୍ତ୍ୱେ ଉପକୂଳ ପାଟ୍ରୋଲିଂ ପାଇଁ କିଣାଯାଇଥିବା ଡ୍ରୋନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଓଡ଼ିଶା ପୁଲିସର ଅପରିପକ୍ୱତା ଓ ବେପରୁୱା ମନୋଭାବକୁ ଉଜାଗର କରିଛି ।
ନକ୍ସଲ ଅଭିଯାନରେ ଡ୍ରୋନ୍ ଉପଯୋଗ ସଫଳ ହେଉଛି ତ?
ରାଜ୍ୟର ନିର୍ଦ୍ଦିଷ୍ଟ କିଛି ଜିଲ୍ଲାର ଘଂଚ ଜଙ୍ଗଲ ଓ ଅସମାନ୍ତରାଳ ପାହାଡ଼ିଆ ଅଂଚଳରେ ନକ୍ସଲମାନେ ନିଜର ଗତିବିଧି ଜାରି ରଖିଥିବା ଚର୍ଚ୍ଚା ହେଉଛି । ତେବେ ଡ୍ରୋନ୍ ସହାୟତାରେ ନକ୍ସଲଙ୍କ ଗତିବିଧି ଉପରେ ଓଏସଜି କିଭଳି ନଜର ରଖୁଛି ଓ କେତେ ସଫଳତା ମିଳିଛି ତାହା ଏବେବି ଅସ୍ପଷ୍ଟ । ଯଦିଓ ୨୦୨୪ ମସିହାରୁ ଏସଓଜି ପାଖରେ ଉଚ୍ଚକ୍ଷମତାସମ୍ପନ୍ନ ୬ଟି ଡ୍ରୋନ୍ ରହିଛି । ତଥାପି ଓଡ଼ିଶା ଆର୍ଥିକ ନିୟାମବଳୀର ଉଲ୍ଲଘଂନ କରି ଉପକୂଳ ସୁରକ୍ଷା ପାଣ୍ଠିରୁ କ୍ରୟ ଡ୍ରୋନଗୁଡ଼ିକୁ ଏସଓଜିକୁ ହସ୍ତାନ୍ତର ହୋଇଛି । ଯଦି ଓଏସଜି ପାଇଁ ଅଧିକ ଡ୍ରୋନର ଆବଶ୍ୟକତା ଥିଲା ସେଥିପାଇଁ ଅଲଗା ଟେଣ୍ଡର ଡାକି କ୍ରୟ କରିବାରେ ଅସୁବିଧା ଥିଲା କେଉଁଠି? ଏସବୁ ପୁଲିସ ପ୍ରଶାସନର ଶୀର୍ଷ ନେତୃତ୍ୱଙ୍କ ଅପରିପକ୍ୱତାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି । ଘଂଚ ଜଙ୍ଗଲର ଗଛ ଡାଳ ଓ ପାହାଡ଼ିଆ ଅଂଚଳରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଏହି ଡ୍ରୋନ୍ ଉଡ଼ିବା କିଭଳି ସମ୍ଭବପର ହେଉଛି ତାହା ବି ସନ୍ଦେହଘେରରେ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକ ହ୍ୟୁମାନ୍ ଇଣ୍ଟେଲିଜେନ୍ସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ନକ୍ସଲବିରୋଧୀ ଅଭିଯାନରେ ସଫଳତା ପାଇଥିବାବେଳେ ମଧ୍ୟପ୍ରଦେଶ ମଧ୍ୟ ପାରମ୍ପରିକ ଗୁଇନ୍ଦା ପଦ୍ଧତି ଓ ସୀମିତ ଟେକ୍ନିକାଲ ସର୍ଭିଲାନ୍ସ ଆଧାରରେ ସଫଳତା ପାଇଛି । ମାତ୍ର ଓଡ଼ିଶା ପୁଲିସ ହ୍ୟୁମାନ ଇଣ୍ଟେଲିଜେନ୍ସ ତୁଳନାରେ ଡ୍ରୋନ କିଣାରେ ନିଜର ପାଣ୍ଠି ଖର୍ଚ୍ଚ କରିବାରେ ଲାଗିଛି ।
ଡ୍ରୋନ୍ କିଣାରେ ଅନିୟମିତତାର ଗନ୍ଧ
୨୦୨୪ ମସିହାରେ ୬ଟି ଓ ୨୦୨୫ ମସିହାରେ ମୋଟ ୧୨ଟି ଡ୍ରୋନ କିଣିଥିବା ଓଡ଼ିଶା ପୁଲିସ ଏବେ ପୁଣି ଆଉ ୨ଟି ଡ୍ରୋନ୍ କିଣିବାକୁ ନିଷ୍ପତ୍ତି ନେଇଛି । ନକ୍ସଲ ଗତିବିଧିର ସୂଚନା ଓ ସର୍ଭିଲାନ୍ସ ପାଇଁ ୨୦୨୪ ମସିହାରେ ଆଇଡିଆଫୋର୍ଜ ନାମକ କମ୍ପାନୀର ୬ଟି ଡ୍ରୋନ୍ କିଣିଥିବା ଓଡ଼ିଶା ପୁଲିସ ୨୦୨୫ ମାର୍ଚ୍ଚରେ ଅପରେସନ୍ ୱିଙ୍ଗ ପାଇଁ ଆଉ ୨ଟି ଡ୍ରୋନ୍ ଓ ଉପକୂଳ ସୁରକ୍ଷା ପାଇଁ ୧୦ଟି ଡ୍ରୋନ୍ କିଣିଥିଲା । ଏବେ ଜୁଲାଇରେ ପୁଣିଥରେ ଅପରେସନ୍ ୱିଙ୍ଗ ପାଇଁ ୨ଟି ଡ୍ରୋନ୍ କ୍ରୟ ନିମନ୍ତେ ଟେଣ୍ଡର ଡକାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା ପୁଲିସ ୩ଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ଯେଉଁ ୧୮ଟି ଡ୍ରୋନ୍ କିଣିଛି ତାହା ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର । ଆଉ ପୁଲିସ ଡିଜି ୱାଇବି ଖୁରାନିଆ ଦାୟିତ୍ୱ ନେବାପରଠୁ ମାତ୍ର ୭ମାସ ମଧ୍ୟରେ ୧୨ଟି ଡ୍ରୋନ୍ କ୍ରୟ ହୋଇଛି । ଟେଣ୍ଡର ଦସ୍ତାବିଜ ଓ ସର୍ତ୍ତାବଳୀକୁ ଏଭଳି ପ୍ରସ୍ତୁତ କରାଯାଉଛି ଯାହାକି ଆଇଡିଆଫୋର୍ଜ କମ୍ପାନୀକୁ ଏକମାତ୍ର ଯୋଗ୍ୟ ବିଡର ଭାବେ ଉଭା କରାଉଛି ବୋଲି ଚର୍ଚ୍ଚା । ଏସବୁ ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ଓ ପ୍ରତିଯୋଗିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ତା’ଛଡ଼ା ଯେଉଁସବୁ ଡ୍ରୋନ୍ କ୍ରୟ ହେଉଛି ତାହା ‘ଭାଲ୍ୟୁ ଫର ମନି’ କି ନୁହେଁ, ଏହାର ଉପଯୋଗ ଓ ପ୍ରଭାବର ମୂଲ୍ୟାୟନ ମଧ୍ୟ ପୁଲିସ ନକରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସୂତ୍ର ଅନୁସାରେ ଉପକୂଳ ସୁରକ୍ଷା ପାଇଁ କ୍ରୟ ହୋଇଥିବା ଡ୍ରୋନଗୁଡ଼ିକ ସମୁଦ୍ର କୂଳ ଅଂଚଳରେ ୪୦-୫୦କିମି ବେଗରେ ବୋହୁଥିବା ପବନକୁ ପ୍ରତିରୋଧ କରିପାରିବ ନାହିଁ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ମଧ୍ୟ କରିବାରେ ସକ୍ଷମ ନୁହେଁ ବୋଲି ଜଣାପଡ଼ିଛି । ଏସବୁ ସତ୍ତ୍ୱେ ଓଡ଼ିଶା ପୁଲିସ କାହିଁକି ଏହି ନିର୍ଦ୍ଧିଷ୍ଟ କମ୍ପାନୀର ଡ୍ରୋନକୁ କ୍ରୟ କରୁଛି ଓ ଗୋଟିଏ ଲେଖାଏଁ ଡ୍ରୋନ୍ ପାଇଁ ୧.୨୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛି ତାହା ଏବେ ଶୀର୍ଷସ୍ତରର ଅଫିସରମାନଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣି ଆଣିଛି ବୋଲି ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
