ନିର୍ବାଚନୀ ବର୍ଷରେ ନବୀନ ପଟ୍ଟନାୟକ ସରକାର କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଜ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମର ବ୍ରାଣ୍ଡ ପ୍ରମୋସନ କରିବେ । ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସମେତ ଇଞ୍ଜିନିୟରିଂ, ମେଡିକାଲ, କୃଷି ବିଜ୍ଞାନ ଆଦି ପାଠ ପଢ଼ୁଥିବା ପିଲାମାନେ ସରକାରଙ୍କ ୱେଲଫେୟାର ସ୍କିମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିୟୋଜିତ ହେବେ । ଏଥିପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ପାଣ୍ଠି କଲେଜଗୁଡ଼ିକୁ ଯୋଗାଇ ଦେଇଛନ୍ତି । କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ନୂଆ ଯୋଜନା ଚଳିତବର୍ଷରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଯୋଜନାରେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି । ୭ଟି ବିଭାଗର ମିଳିତ ସହଯୋଗରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ । କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି ହୋଇଛି । ବିଶେଷକରି କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ କରିବା ଆଳରେ ଚଳିତବର୍ଷ ସରକାର ଆଖିବୁଜା ଅର୍ଥ ଖର୍ଚ୍ଚ କରିବେ । ସର୍ବନିମ୍ନ ୧୦୦ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଯୁକ୍ତ ଦୁଇ ଓ ତଦୁଦ୍ଧ୍ର୍ ଶ୍ରେଣୀର କଲେଜ ନିମନ୍ତେ ଏହି ପାଣ୍ଠି ବରାଦ ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ(ଯୁକ୍ତ ଦୁଇ ବା ଏକାଦଶ-ଦ୍ୱାଦଶ ଶ୍ରେଣୀ), ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା(ଇଞ୍ଜିନିୟରିଂ କଲେଜ), ଅନୁସୂଚିତ ଜାତି ଓ ଜନଜାତି ବିଭାଗ(ଆଶ୍ରମ ସ୍କୁଲ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ( ମେଡିକାଲ ଓ ଅନ୍ୟାନ୍ୟ କଲେଜ), କୃଷି ଓ କୃଷକ ସଶକ୍ତିକରଣ(କୃଷି ଓ ପଶୁସମ୍ପଦ କଲେଜ) ବିଭାଗ ଅଧୀନରେ ଥିବା କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ପାଇଁ ଏହି ପାଣ୍ଠି ଖର୍ଚ୍ଚ ହେବ । ନଭେମ୍ବର ୧୫ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ହେବ ।
ପ୍ରଥମଥର ପାଇଁ ସରକାର ନିଜର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ଓ ସଚେତନତା ସୃଷ୍ଟି ନିମନ୍ତେ କଲେଜ ପିଲାଙ୍କୁ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ଯୋଜନାରେ ‘ସାମାଜିକ କାର୍ଯ୍ୟ ଓ ଗତିବିଧି’ ବର୍ଗରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୨୨ଟି ପ୍ରଚାରଧର୍ମୀ କାର୍ଯ୍ୟ ମଧ୍ୟରୁ ପ୍ରତ୍ୟେକ କଲେଜ୍ ଅତିକମରେ ୫ଟି କାର୍ଯ୍ୟକୁ କରିବେ । ସ୍ୱଚ୍ଛତା ଅଭିଯାନ, ପ୍ଲାଷ୍ଟିକମୁକ୍ତ ଅଭିଯାନ, ପାର୍କ-ନଦୀ-ନାଳ, ଐତିହ୍ୟ ଓ ପର୍ଯ୍ୟଟନସ୍ଥଳର ସଫେଇ, ସରକାରଙ୍କ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱେଚ୍ଛାକୃତ ଭାବେ ସାଧାରଣ ଲୋକଙ୍କୁ ସଚେତନ କରାଇବା, ରକ୍ତଦାନ ଶିବିର ଆୟୋଜନ, ବାଲ୍ୟବିବାହ ଓ ଯୌତୁକ ବିରୋଧୀ ଅଭିଯାନ ଆଦିକୁ ଏହି ସାମାଜିକ କାର୍ଯ୍ୟ ଓ ଗତିବିଧିରେ ସାମିଲ କରାଯାଇଛି ।
ସେହିପରି କ୍ରୀଡ଼ା ବର୍ଗରେ ଆଥଲେଟ୍, ଫୁଟବଲ, ହକି, ବାସ୍କେଟବଲ, କବାଡ଼ି, ବ୍ୟାଡମିଣ୍ଟନ, ଖୋ-ଖୋ, କ୍ୟାରମ, ଟଗ ଅଫ ୱାର, କ୍ରିକେଟ, ଟେବୁଲ ଟେନିସ, ଚେସ୍, ଭଲିବଲ ଆଦିର ପ୍ରତିଯୋଗିତା ହେବ ।
ସଂସ୍କୃତି ପ୍ରତିଯୋଗିତା ଅନ୍ତର୍ଗତ ସୃଜନଶୀଳତା ପ୍ରତିଯୋଗିତା(କବିତା,କ୍ଷୁଦ୍ର ଗଳ୍ପ, କାହାଣୀ ବର୍ଣ୍ଣନା ସହ ବକ୍ତୃତା ଓ ସୃଜନଶୀଳ ଲେଖନୀ), ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା, କଳାକାରଙ୍କ ମଧ୍ୟରେ ପ୍ରତିଯୋଗିତା, ଗୀତ-ନାଚ-କମେଡି ଓ ମ୍ୟୁଜିକ୍ ଆଦିର ପ୍ରତିଯୋଗିତା ବ୍ୟତୀତ ନିଜର ଅର୍ନ୍ତନିହିତ ପ୍ରତିଭାକୁ ପ୍ରଦର୍ଶନ କରି ସାମାଜିକ ବାର୍ତ୍ତା ଦେବାର ପ୍ରତିଯୋଗିତା ମଧ୍ୟ ହେବ ।
ଆଉ ଏହି ସମସ୍ତ ପ୍ରତିଯୋଗିତାରେ ଉଭୟ ଛାତ୍ର ଓ ଛାତ୍ରୀ ଭାଗ ନେବାକୁ ବାଧ୍ୟ । ପ୍ରତ୍ୟେକ ପିଲା ଯେକୌଣସି ଗୋଟିଏ ଅବା ଏକାଧିକ ପ୍ରତିଯୋଗିତାରେ ସାମିଲ ହେବେ । ପ୍ରତ୍ୟେକ କଲେଜରେ ଏନେଇ ଜଣେ ନୋଡାଲ ଅଫିସର ରହିବେ ଯିଏକି ଏସବୁ ପ୍ରତିଯୋଗିତା ସମ୍ପନ୍ନ କରିବା ନିମନ୍ତେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ସହ ସମନ୍ୱୟ ରକ୍ଷା କରିବେ ।
୧୦୦ରୁ ୨୦୦ ପିଲା ଥିବା କଲେଜଗୁଡ଼ିକୁ ଦେଢ଼ଲକ୍ଷ ଟଙ୍କା, ୨୦୦ରୁ ୫୦୦ ପିଲା ଥିଲେ ୩ଲକ୍ଷ ଟଙ୍କା, ୫୦୦ରୁ ହଜାରେ ପିଲା ପଢ଼ୁଥିଲେ ୪ଲକ୍ଷ, ୧ହଜାରୁ ୨ହଜାର ପିଲା ଥିଲେ ୬ଲକ୍ଷ ଏବଂ ୨ହଜାରରୁ ଅଧିକ ପିଲା ପଢ଼ୁଥିବା କଲେଜକୁ ୯ଲକ୍ଷ ଟଙ୍କା ପ୍ରତିଯୋଗିତା ବାବଦରେ ସରକାର ଯୋଗାଇ ଦେବେ ।
କେବଳ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୦୦ରୁ ଅଧିକ ପିଲା ପଢ଼ୁଥିବା ସମସ୍ତ ସରକାରୀ, ୬୬୨ ଓ ୪୮୮ ବର୍ଗର ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଏହି ପ୍ରତିଯୋଗିତା ପାଇଁ ମୋଟ ୪୦.୬୭କୋଟି ଟଙ୍କା ସରକାର ଯୋଗାଇ ଦେବେ । ଅନୁରୂପ ଭାବେ ପ୍ରାୟ ୧୨୦୦ରୁ ଅଧିକ ଯୁକ୍ତ ତିନି କଲେଜ, ୧୮୦ରୁ ଅଧିକ ଇଞ୍ଜିନିୟରିଂ କଲେଜ ସମେତ କୃଷି ବିଜ୍ଞାନ କଲେଜ, ମେଡିକାଲ କଲେଜ, କ୍ରୀଡ଼ା ସ୍କୁଲ ଆଦିକୁ ମିଶାଇଲେ ଏହି ଅନୁଦାନ ପ୍ରାୟ ୧୦୦କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି।
ଅର୍ଥାତ୍ ନିର୍ବାଚନୀ ବର୍ଷରେ ସରକାର ଏହି ନୂଆ ଯୋଜନା ମାଧ୍ୟମରେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରି ଯୁବଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମଥର ପାଇଁ କଲେଜଗୁଡ଼ିକୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଦିଆଯାଇଛି । କିନ୍ତୁ ସାମାଜିକ କାର୍ଯ୍ୟକ୍ରମ ବର୍ଗରେ ସରକାର ନିଜର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସ୍ୱେଚ୍ଛାକୃତ ସଚେତନର ଯେଉଁ ପ୍ରାବଧାନ ରଖିଛନ୍ତି ତାହା ହିଁ ସରକାରଙ୍କ ବାସ୍ତବ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛି । ଏହି ନୂଆ ଭୋଟର(କଲେଜ ଛାତ୍ରଛାତ୍ରୀ)ଙ୍କୁ ପ୍ରଭାବିତ କରି ନିଜର ବ୍ରାଣ୍ଡ ପ୍ରମୋସନ ପାଇଁ ଏଭଳି ନୂଆ ଶୈଳୀକୁ ଆପଣାଇବାକୁ ସରକାର ପଛାଇ ନଥିବା ଚର୍ଚ୍ଚା ହେଉଛି ।