Advertisment

‍‍‍‍‍ବଲାଙ୍ଗିର: ରାଜ୍ୟ ସଭାପତିଙ୍କ ରାଲିରେ ଦୁଇ ବିଜେପି ନେତା ପିଟାପିଟି

ଅନନ୍ତ ଦାସଙ୍କର ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସହିତ ମତାନ୍ତର ଅଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
BJP Leaders

BJP Leaders

ବଲାଙ୍ଗିରରେ ପଦାରେ ପଡ଼ିଛି ବିଜେପିର ଗୋଷ୍ଠୀ କନ୍ଦଳ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦଳୀୟ ନେତା ପିଟାପିଟି ହୋଇଛନ୍ତି। ଉଭୟ ଗୋଷ୍ଠୀର ସମର୍ଥକ ବି ମୁହାଁମୁହିଁ ହୋଇଛନ୍ତି।

Advertisment

ଆଜି ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ଶୋଭଯାତ୍ରାରେ ଆସି ଅପରାହ୍ନ ପ୍ରାୟ ୫ଟା ବେଳେ ବଲାଙ୍ଗିରରେ ପହଞ୍ଚିଥିଲେ। ଏହି ସମୟରେ ମନମୋହନ ସାମଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଚେଷ୍ଟା କରିଥିଲେ ୨୦୧୯ରେ ବଲାଙ୍ଗିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସ ଓ ନିଜକୁ ବିଜେପି ନେତା କହୁଥିବା ବଳରାମ ସିଂହ ଯାଦବ।

ବାରଣ କରାଯିବା ସତ୍ତ୍ୱେ ଅନନ୍ତ ଦାସ ରାଜ୍ୟ ସଭାପତି ମନମୋହନ ସାମଲ ସବାର ହୋଇଥିବା ଜିପ୍‌ରେ ଚଢ଼ି ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ପ୍ରୟାସ କରିଥିଲେ। ସେ ଜିପ୍‌କୁ ଚଢ଼ୁଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ ତାଙ୍କୁ ବାରଣ କରିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଟଣାଓଟରା ଓ ହାତାହାତି ହୋଇଥିଲା। ତା’ଭିତରେ ଗୋପାଳଜୀ ପ୍ରାଣିଗ୍ରାହୀ ଜିପ୍‌ରୁ ପଡ଼ି ଯାଇଥିଲେ। ଏହା ପରେ ଗୋପାଳଜୀ ପାଣିଗ୍ରାହୀଙ୍କ ସମର୍ଥକମାନେ ଅନନ୍ତ ଦାସଙ୍କୁ ମାଡ଼ମାରିଥିଲେ। ତାଙ୍କ ଶାର୍ଟ ପୂରା ଚିରି ଯାଇଥିଲା।

Advertisment

ତେବେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ଅନନ୍ତ ଦାସଙ୍କୁ କାହିଁକି ବାରଣ କରାଗଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକ ହୋଟେଲ କର୍ମୀଙ୍କ ସହିତ ବୈଠକ କରିଥିଲେ। କିନ୍ତୁ ବୈଠକରେ ଏହି ଘଟଣା ଉପରେ କିଛି ଆଲୋଚନା ହୋଇନଥିଲା। ବୈଠକ ପରେ ମଧ୍ୟ ଶ୍ରୀ ସାମଲ ଗଣମାଧ୍ୟମରେ ଏପରି କିଛି ଘଟି ନଥିବା କହିଥିଲେ।

କୁହାଯାଉଛି, ଏହା ହେଉଛି ବଲାଙ୍ଗିର ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପରିଣାମ। ଅନନ୍ତ ଦାସଙ୍କର ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସହିତ ମତାନ୍ତର ଅଛି। ଅନନ୍ତ ଅଲଗା ଏକ ଗୋଷ୍ଠୀ କରିଛନ୍ତି। ନିଜକୁ ବିଜେପି ନେତା କହୁଥିବା ବଳରାମ ସିଂହ ଯାଦବ ତାଙ୍କ ସହିତ ସାମିଲ ହୋଇଛନ୍ତି ଓ ସେମାନେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭାସମିତି ମଧ୍ୟ କରୁଛନ୍ତି। 

ଆଜିର ଘଟଣା ପରେ ଗୋପାଳଜୀ ପାଣିଗ୍ରାହୀ ଥାନାରେ ଯାଇ ଏତଲା ଦେଇଛନ୍ତି। କିନ୍ତୁ ଖବର ଲେଖାଯିବା ସୁଦ୍ଧା ଅନନ୍ତ ଦାସ ଥାନାରେ ଏତଲା ଦେଇ ନଥିଲେ।

Bjp