Advertisment

ତାରାଙ୍କୁ ପୁଣି କୋଣଠେସା, ୭ ଜଣିଆ ତାଲିକାରେ ନାହିଁ ନାଁ

ସାଧାରଣ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଦର୍ଶନ ଓ ପିସିସି ସଭାପତିଙ୍କ ବିରୋଧରେ ନାନାଦି ଅଭିଯୋଗ ପରେ ରାଜ୍ୟରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲା।

author-image
Jitendra Garnayak
Tara

Tara

ନଅ ଦିନ ତଳେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲା ଏଆଇସିସି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଥିବା ବେଳେ ଦଳର ଅନେକ ବଡ଼ ନେତାଙ୍କୁ ଏଥିରେ ସାମିଲ କରାନଯିବାକୁ ନେଇ ଦେଖାଯାଇଥିଲା ବିବାଦ। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଭଳି ନେତାଙ୍କୁ ଏହି କମିଟିରେ ସାମିଲ କରାଯାଇ ନଥିଲେ। ଅନ୍ୟପକ୍ଷରେ ଏଆଇସିସି ଆଜି ଏହି ଷ୍ଟିୟରିଂ କମିଟିରେ ୭ ଜଣ ନେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରିଛି। କିନ୍ତୁ ଏହି ୭ ଜଣଙ୍କ ମଧ୍ୟରେ ନାହାନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଏଭଳି କରି ତାଙ୍କୁ ଦଳ ପୁଣି କୋଣଠେସା କରିଛି ବୋଲି କୁହାଯାଉଛି।

Advertisment

ଷ୍ଟିୟରିଂ କମିଟି ପାଇଁ ଏଆଇସିସି ପକ୍ଷରୁ ଆଜି ଯେଉଁମାନଙ୍କ ନାଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଘୋଷଣା କରାଯାଇଛି, ସେମାନେ ହେଉଛନ୍ତି- ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ।

ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଷ୍ଟିୟରିଂ କମିଟିରେ ତାଙ୍କ ସହିତ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା ଅଛନ୍ତି। AICC ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି। ସେ ଏହି କମିଟିର ଆବାହକ ଦାୟିତ୍ୱରେ ଅଛନ୍ତି।

Advertisment

ଏହି ଷ୍ଟିୟରିଂ କମିଟି ରାଜ୍ୟରେ କଂଗ୍ରେସର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମର ତଦାରଖ ଓ ସମନ୍ୱୟ ରକ୍ଷା ଦିଗରେ କାର୍ଯ୍ୟ କରିବା ସହ ନୂଆ ପିସିସି କମିଟି ଗଠନ ପାଇଁ ମାର୍ଗ ପ୍ରଶସ୍ତ କରିବ। ସାଧାରଣ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଦର୍ଶନ ଓ ପିସିସି ସଭାପତିଙ୍କ ବିରୋଧରେ ନାନାଦି ଅଭିଯୋଗ ପରେ ରାଜ୍ୟରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲା।

Congress Pradesh Congress Committee Tara Prasad Bahinipati