Advertisment

ଝାଳ ବୁହାଉଛନ୍ତି କଂଗ୍ରେସ, ବିଜେପି; ମୁଖ୍ୟମନ୍ତ୍ରୀଙ୍କ ଦେଖାନାହିଁ

ବିଜେଡି ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଖା ଦର୍ଶନ ନାହିଁ। ତେଣୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ଗାଁକୁ ଗାଁ ଆସି ପ୍ରଚାର କରନ୍ତୁ, ଆମକୁ ଭୋଟ ଭିକ୍ଷା କରନ୍ତୁ ବୋଲି କହିଛନ୍ତି ଭୋଟର କହିଛନ୍ତି।

author-image
Manoranjan Sial
Naveen Patnaik

Naveen Patnaik

ବଲାଙ୍ଗିର ଜିଲ୍ଲାର ସବୁଠାରୁ ହାଇପ୍ରୋଫାଇଲ୍‌ ନିର୍ବାଚନମଣ୍ଡଳୀ ହେଉଛି କଣ୍ଟାବାଞ୍ଜି। ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ଓ ବିଜେପି ଦିନ ରାତି ଏକ କରିଦେଇଛନ୍ତି। ଗାଁରୁ ଗାଁ ଓ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ହେଲେ ବିଜେଡି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଖା ମିଳୁନି। ୭ ଦିନ ତଳେ ନାମାଙ୍କନ ଦାଖଲ କରି ଆସିଛନ୍ତି। ତା’ପରଠାରୁ କଣ୍ଟାବାଞ୍ଜିରେ ତାଙ୍କର ଦେଖାମିଳୁନି। ଏପରିକି ତାଙ୍କ କର୍ମୀମାନେ ପ୍ରଚାର କରୁନଥିବା ଜଣାପଡ଼ିଛି।

Advertisment

ଦାଦନ ପ୍ରବଣ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମଇ ୨ ତାରିଖରେ ସେ ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବାକୁ ସପ୍ତାହେ ବିତି ଗଲାଣି। ହେଲେ କଣ୍ଟାବାଂଜିରେ ପ୍ରଚାର ଆରମ୍ଭ କରିନାହାନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ କଣ୍ଟାବାଂଜି ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ପ୍ରଚାର ପାଇଁ ପ୍ରତି ସକାଳୁ ଘରୁ ବାହାରୁଛନ୍ତି। ଦିନ ତମାମ ଗାଁକୁ ଗାଁ ଓ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି। ବିଭିନ୍ନ ଜାଗାରେ ସଭା ସମିତି କରୁଛନ୍ତି। ଅନ୍ୟ ବର୍ଷ ତୁଳନାରେ ଏଥର ପ୍ରଚାରକୁ ଜୋରଦାର କରିଛନ୍ତି ସନ୍ତୋଷ ସିଂ ସାଲୁଜା।

Advertisment

କଂଗ୍ରେସ ପ୍ରାର୍ଥୀଙ୍କ ପରି ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ମଧ୍ୟ କମ୍‌ ନୁହେଁନ୍ତି। ସେ ଦିନରାତି ଏକ କରି ପ୍ରଚାର କରୁଛନ୍ତି। ଘରକୁ ଘର ଯାଇ ଲୋକଙ୍କ ସୁଖଦୁଃଖ ବୁଝୁଛନ୍ତି। ଏପରିକି ତାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାବାଂଜି ଆସି ପ୍ରଚାର କରିଛନ୍ତି। ବିଭିନ୍ନ ଜାଗାରେ କାନ୍ଦି କାନ୍ଦି ମାଟିର ପୁଅକୁ ବିଜୟୀ କରିବାକୁ ଭୋଟ ଭିକ୍ଷା କରୁଛନ୍ତି ଲକ୍ଷ୍ମଣ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଖା ଦର୍ଶନ ନାହିଁ। ତେଣୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ଗାଁକୁ ଗାଁ ଆସି ପ୍ରଚାର କରନ୍ତୁ, ଆମକୁ ଭୋଟ ଭିକ୍ଷା କରନ୍ତୁ ବୋଲି କହିଛନ୍ତି ଭୋଟର କହିଛନ୍ତି।

ସେପଟେ ଦେଖିବାକୁ ଗଲେ କଣ୍ଟାବାଞ୍ଜି ବିଜେଡି ଗଣତ ଗୋଳିଆ ହୋଇଛି। କଣ୍ଟାବାଂଜି ବିଜେଡିରେ ଏଥର ଅନେକ ଆଶାୟୀଙ୍କ ଭିତରେ ତିନିଜଣ ସବୁଠାରୁ ଆଗରେ ରହିଥିଲେ। ସେମାନେ ହେଲେ- ଗତଥରର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ପୂର୍ବତନ ବିଧାୟକ ଆୟୁବ ଖାନ ଓ ଆଦିବାସୀ ନେତ୍ରୀ ନିରୂପମା ମାଝି। କିନ୍ତୁ ସମସ୍ତଙ୍କୁ ଚଖମା ଦେଇ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ। ସମସ୍ତ ଆଶାୟୀଙ୍କୁ ନବୀନ ନିବାସକୁ ଡାକି ତାଙ୍କ ପାଇଁ ପ୍ରଚାର କରିବାକୁ କହିଲେ ମୁଖ୍ୟମନ୍ତ୍ରୀ। ଏପରିକି ତିନିଜଣଙ୍କୁ କଣ୍ଟାବାଂଜି ନିର୍ବାଚନମଣ୍ଡଳୀର ବଂଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଳକର ପ୍ରଚାରର ଦାୟିତ୍ୱ ମଧ୍ୟ ଦେଇଥିଲେ। କିନ୍ତୁ ତିନି ନେତାଙ୍କ ଭିତରେ ଜାରୀ ରହିଛି ଶୀତଳ ଯୁଦ୍ଧ। ଯାହା ଫଳରେ ପ୍ରାର୍ଥୀ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଧିମେଇ ଯାଇଛି ବିଜେଡିର ପ୍ରଚାର। ଗାଁଠୁ ସହର, ସବୁଠି କଂଗ୍ରେସ ଓ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପୋଷ୍ଟର ଓ ବ୍ୟାନର ଛାଇ ଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ବିଜେଡି ବିଧାୟକ ପ୍ରାର୍ଥୀ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ପୋଷ୍ଟରର ଦେଖା ଦର୍ଶନ ମିଳୁନାହିଁ। ତେଣୁ ପ୍ରତିଦ୍ୱନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ଅନ୍ୟପଟେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ କହିଛନ୍ତି, ଏଥର ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଭୋଟରେ ବିଜୟୀ ହେବେ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

BjD Naveen Patnaik Balangir