Advertisment

ଥମୁନି ପାଣ୍ଡିଆନ-କାମିୟା ଓ ଗୋମାଂସ ବିବାଦ

କାମିୟା ଗୋମାଂସର ପ୍ରଚାର କରୁଥିବା ବେଳେ ତାଙ୍କୁ କାହିଁକି ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ନେଲେ ବୋଲି ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି।

Odisha

Odisha

Advertisment

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିୟା ଜାନିଙ୍କ ପ୍ରବେଶ ଓ ମହାପ୍ରସାଦ ଖାଇବାକୁ ନେଇ ବିବାଦ ତେଜିବାରେ ଲାଗିଛି। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏହାକୁ ପ୍ରସଙ୍ଗ କରି ଶାସକ ବିଜେଡିକୁ ଘେରିବାରେ ଲାଗିଛନ୍ତି। ଦୁଇ ବିରୋଧୀ ଦଳ ସିଧାସଳଖ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

Advertisment

କାରଣ ପାଣ୍ଡିଆନଙ୍କ ସହ କାମିୟା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। କାମିୟା ଗୋମାଂସର ପ୍ରଚାର କରୁଥିବା ବେଳେ ତାଙ୍କୁ କାହିଁକି ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ନେଲେ ବୋଲି ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ବିବାଦ ଏତେ ତେଜିଛି ଯେ ଭିଡିଓ ବାର୍ତ୍ତା ଜାରି କରି କାମିୟା ସ୍ପଷ୍ଟୀକରଣ ରଖିଛନ୍ତି। ସେ କେବେ ହେଲେ ପ୍ରଶାସନର ନିୟମ ଭାଙ୍ଗି ନାହାନ୍ତି କିମ୍ବା ଗୋମାଂସ ଖାଇନାହାନ୍ତି ବୋଲି କହିଛନ୍ତି। ତଥାପି ବିବାଦ କମିବା ବଦଳରେ ବଢ଼ିବାରେ ଲାଗିଛି। ଆଜି ବି କଳାପାହାଡ଼ ସରକାର କହି ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଆଉ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ଦୋହରାଇଛି।

ବିବାଦ ଘନଉଥିବାରୁ କାମିୟା ପ୍ରଥମେ ଲେଖା ମାଧ୍ୟମରେ ନିଜର ପକ୍ଷ ରଖିଥିଲେ। ଏହାପରେ ଆଜି ଭିଡିଓ ବାର୍ତ୍ତା ଜାରି କରି ପୁଣି ସ୍ପଷ୍ଟୀକରଣ ରଖିଛନ୍ତି। ସେ ବାରମ୍ବାର ସ୍ପଷ୍ଟୀକରଣ ରଖୁଥିଲେ ହେଁ ପାଣ୍ଡିଆନ- କାମିୟା ଜାନି ଓ ଗୋମାଂସ ବିବାଦ ଥମିବାର ନାଁ ଧରୁନି। କାମିୟା କହିଛନ୍ତି, ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀ ଯାଇଥିଲି। ଶ୍ରୀମନ୍ଦିରର ଭିତ୍ତିଭୂମି ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଏହି ଭ୍ରମଣ ବିବାଦୀୟ ହୋଇଛି। ମନ୍ଦିର ପ୍ରଶାସନର କୌଣସି ନିୟମ ମୁଁ ଭାଙ୍ଗି ନାହିଁ। ଏହା ସହ ମୁଁ କେବେ ହେଲେ ଗୋମାଂସ ଖାଇନି କିମ୍ବା ପ୍ରଚାର କରିନି ବୋଲି ସେ ସ୍ପଷ୍ଟୀକରଣ ରଖିଛନ୍ତି।

Advertisment

କିନ୍ତୁ ଏହି ସ୍ପଷ୍ଟୀକରଣ ପରେ କାମିୟା ଓ ରାଜ୍ୟ ସରକାରଙ୍କୁ ଆହୁରି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “କାମିୟାଙ୍କ ସୋଶାଲ ମିଡିଆରେ ଏକାଧିକ ଭିଡିଓରେ ରହିଛି। ତାଙ୍କ ପ୍ଲେଟରେ ଗୋମାଂସ ରହିଛି ଓ ସେ ଗୋମାଂସ ଖାଇଛନ୍ତି। ଏହା ସହ ଗୋମାଂସ ଭକ୍ଷଣକୁ ପ୍ରଚାର ପ୍ରସାର ସହ ପ୍ରୋତ୍ସାହିତ କରିଛନ୍ତି। କାହିଁକି ତାଙ୍କର ବ୍ୟାକଗ୍ରାଉଣ୍ଡ ନବୁଝି ପାଣ୍ଡିଆନ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇଲେ?”

ଏଥିସହ ପାଣ୍ଡିଆନଙ୍କୁ ଆଟାକ୍ କରି ସୂରଜ କହିଛନ୍ତି, “ରାଜ୍ୟ ସରକାରଙ୍କ ମାନସିକତା ଏବେ କଳାପାହାଡ଼ର ମାନସିକତା ସହ ସମାନ। କାମିୟାଙ୍କୁ ମନ୍ଦିର ପ୍ରବେଶ କରାଇଥିବା ପ୍ରଭାବଶାଳୀ ଲୋକ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।”

ବିଜେପିର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ ଓ ମଠ ମନ୍ଦିରର ସୁରକ୍ଷା ଓଡ଼ିଆଙ୍କ ଦାୟିତ୍ୱ। ଆମେ ଏହାକୁ ଅଣ ଓଡ଼ିଆ ହାତରେ ଟେକି ଦେଇପାରିବାନାହିଁ। ସରକାର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କବଳରେ ରହିଛନ୍ତି। ୫ଟି ରୂପାନ୍ତୀକରଣ ନାଁରେ ଓଡ଼ିଶାର ଧର୍ମକ୍ଷେତ୍ରଗୁଡ଼ିକ ସହ ଖେଳ ଚାଲିଛି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଉତ୍କଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କ୍ଷମା ମାଗନ୍ତୁ।

ବିରୋଧୀଙ୍କ ଅଭିଯୋଗ ଉପରେ ବିଜେଡି ଜବାବ ରଖିଛି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, “ସେମାନେ ଯେତେବେଳେ ତାଙ୍କୁ ଅଯୋଧ୍ୟାରେ ବ୍ରାଣ୍ଡଆମ୍ବାସାଡର କରୁଥିଲେ ସେତେବେଳେ ହିନ୍ଦୁତ୍ୱ କ୍ଷୁର୍ଣ୍ଣ ହେଉନାହିଁ। କିନ୍ତୁ ଆମ ଜଗନ୍ନାଥ ମନ୍ଦିରରେ ବୁଲିରେ ହିନ୍ଦୁତ୍ୱ କ୍ଷୁର୍ଣ୍ଣ ହୋଇଯାଉଛି? ପ୍ରସଙ୍ଗକୁ ନେଇ ସେମାନେ କେବଳ ରାଜନୀତି କରୁଛନ୍ତି। ”

ଅଳ୍ପ କିଛିଦିନ ତଳେ ୟୁଟ୍ୟୁବ ବ୍ଲଗର କାମିୟା ଜାନିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭିକେ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ଭିତରକୁ ନେଇ ତାଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। 

Odisha Vk Pandian Kamiya-jani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe