Advertisment

'ଆମେ ଶାନ୍ତିପୂର୍ଣ୍ଣ ଭାବେ ସଂସଦ ଭିତରକୁ ଯାଉଥିଲୁ...'

ଅସଲ ପ୍ରସଙ୍ଗରୁ ବିଜେପି ନଜର ହଟାଇବାକୁ ଚାହୁଁଛି କହିଲେ ରାହୁଲ ଗାନ୍ଧୀ। ବିଜେପି କହିଲା କ୍ଷମା ନମାଗି ପ୍ରେସମିଟରେ ଅହଂକାର ଦେଖାଇଲେ ରାହୁଲ ଓ ଖଡଗେ।

author-image
Debadatta Aryashrestha
Rahul Gandhi and Shivraj Shing Chouhan

Rahul Gandhi and Shivraj Shing Chouhan

ସଂସଦରେ ଘଟିଥିବା ଅପ୍ରୀତିକର ସ୍ଥିତିକୁ ନେଇ ରାଜନୀତି ତେଜିଥିବାବେଳେ ରାହୁଲ ଗାନ୍ଧୀ ଏହାକୁ ବିଜେପିର ଏକ ଚାଲ ବୋଲି କହିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାସହ ବାବା ସାହେବ ଆମ୍ବେଦକରଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଅପମାନିତ କରିବା ଓ ଆଦାନୀ ପ୍ରସଙ୍ଗ ଉପରୁ ଦେଶର ନଜର ହଟାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ରାହୁଲ। ସେପଟେ ରାହୁଲ ଗାନ୍ଧୀ ଜାଣିଶୁଣି ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ କରିଛି ବିଜେପି।

Advertisment

'ଅସଲ ପ୍ରସଙ୍ଗରୁ ନଜର ହଟାଇବାକୁ ଚାହୁଁଛି ବିଜେପି'
ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସଂସଦ ଅଧିବେଶନ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଆଦାନୀ ଗ୍ରୁପ ବିରୋଧରେ ଆମେରିକାର ଅଭିଯୋଗ ସାମ୍ନାକୁ ଆସିଲା। ବିଜେପି ଏହି ପ୍ରସଙ୍ଗରେ ଆଲୋଚନା ଏଡ଼ାଇବାକୁ ଶତପ୍ରତିଶତ ଚେଷ୍ଟା କରୁଛି। ବିଜେପିର ପ୍ରାଥମିକତା ହେଉଛି ଯେ ଆଦାନୀ ପ୍ରସଙ୍ଗରେ ଯେପରି କିଛି ଆଲୋଚନା ସଂସଦରେ ନହୁଏ। ଏହାକୁ ଚପାଇ ଦେବାକୁ ଶାସକ ଦଳ ଚେଷ୍ଟା କରୁଛି। ଏହାପରେ ବାବା ସାହେବ ଆମ୍ବେଦକରଙ୍କ ବିରୋଧରେ ଅମିତ ଶାହଙ୍କ ବୟାନ ଆସିଲା। ଆମେ ଆରମ୍ଭରୁ କହିଆସୁଛୁ ଯେ ବିଜେପି ଓ ଆରଏସଏସର ବିଚାରଧାରା ସବୁବେଳେ ସମ୍ବିଧାନ ଓ ଆମ୍ବେଦକ ବିରୋଧୀ। ଏହି ପ୍ରେସମିଟରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆମ୍ବେଦକରଙ୍କୁ ଅପମାନିତ କରିଥିବାରୁ ଅମିତ ଶାହଙ୍କ କ୍ଷମାପ୍ରାର୍ଥନା ଓ ଇସ୍ତଫା ଦାବି କରିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମ୍ବେଦକରଙ୍କ ସ୍ମୃତି ଏବଂ ଅବଦାନକୁ ବିଜେପି ଲିଭେଇଦେବାକୁ ଚାହୁଁଛି। ଆମେ ଦାବି କଲୁ ଯେ ଗୃହମନ୍ତ୍ରୀ ଶାହ କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ଦେବା ଉଚିତ। ତେଣୁ ଆଜି ସେମାନେ ଆଉ ଏକ ନାଟକ ଆରମ୍ଭ କରିଛନ୍ତି। ଆମେ ଶାନ୍ତିପୂର୍ଣ୍ଣ ଭାବେ ଆମ୍ବେଦକରଙ୍କ ମୂର୍ତ୍ତି ନିକଟରୁ ସଂସଦ ଭିତରକୁ ଯାଉଥିଲୁ। ହେଲେ ବିଜେପି ସାଂସଦମାନେ ଆମକୁ ଯିବାକୁ ଦେଲେ ନାହିଁ। ବାସ୍ତବତା ହେଉଛି ସେମାନେ ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ବନ୍ଧୁ ଆଦାନୀ ବିରୋଧରେ ଆମେରିକାରେ ହୋଇଥିବା ମାମଲାକୁ ସେମାନେ ଲୁଚେଇବାକୁ ଚାହୁଁଛନ୍ତି। ଏଗୁଡ଼ିକ ହେଉଛି ମୁଖ୍ୟ ପ୍ରସଙ୍ଗ, ଆଉ ବିଜେପି ଏହା ଉପରେ ଆଲୋଚନା କରିବାକୁ ଚାହୁଁନାହିଁ।

Advertisment

'କ୍ଷମା ନମାଗି ପ୍ରେସମିଟରେ ଅହଂକାର ଦେଖାଇଲେ ରାହୁଲ ଓ ଖଡଗେ' 
ତେବେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରି ତୁରନ୍ତ ବିଜେପି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା ନକରି ନିଜ ଅହଂକାର ଦେଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ କହିଛନ୍ତି ଯେ ଖଡଗେ ଓ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କଲେ। ଆମେ ଭାବିଲୁ ସେମାନେ ଆଜି ଯାହା କରିଛନ୍ତି ସେଥିପାଇଁ ସେମାନେ କ୍ଷମା ପ୍ରାର୍ଥନା କରିବେ। ହେଲେ ସେମାନେ ଏହା କଲେ ନାହିଁ। ତାଙ୍କ ସାମ୍ବାଦିକ ସମ୍ମିଳନୀ ତାଙ୍କ ଅହଂକାରକୁ ଦେଖାଇଛି। ମୁଁ ରାହୁଲଙ୍କ ବ୍ୟବହାର ଦେଖୁଛି। ହେଲେ ଆଜି ସେ ଯାହା କଲେ, ଗୋଟିଏ ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଯେତେବେଳେ ସଂସଦର ମକର ଦ୍ଵାରରେ ବିଜେପି ସାଂସଦମାନେ ବିରୋଧ ପ୍ରଦର୍ଶନ କରୁଥିଲେ, ସେତେବେଳେ ରାହୁଲ ଗାନ୍ଧୀ ସେଠାକୁ ଆସିଥିଲେ। ସୁରକ୍ଷାକର୍ମୀମାନେ ଅନ୍ୟ ରାସ୍ତା ଦେଇ ଭିତରକୁ ଯିବା ପାଇଁ  ତାଙ୍କୁ କହିଲେ। ହେଲେ ସେ ସେଠାକୁ ଉଦ୍ଦେଶ୍ୟମୂଳକ ଭାବେ ଗୁଣ୍ଡାଗର୍ଦ୍ଦି କରିବାକୁ ଆସିଥିଲେ। କଂଗ୍ରେସ ଓ ଅନ୍ୟ ଦଳର ସାଂସଦ ମାନେ ପ୍ରାୟ ସବୁଦିନ ସେହି ମକର ଦ୍ଵାରରେ ବିରୋଧ ପ୍ରଦର୍ଶନ କରନ୍ତି। ଆମେ ସେମାନଙ୍କୁ କିଛି ନକହି ଅଲଗା ରାସ୍ତାରେ ସଂସଦ ଭିତରକୁ ଆସୁ। ହେଲେ ରାହୁଲ ଗାନ୍ଧୀ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସାଂସଦମାନଙ୍କୁ ଧକ୍କା ମାରି ହିଂସା ସୃଷ୍ଟି କରିବାକୁ ଆସିଥିଲେ।'

Bjp Congress Rahul Gandhi Parliament Mallikarjun Kharge Shivraj Singh Chouhan Congress Press Meet BJP Press Meet