Advertisment

ଫାଇଭ-ଟି ସଚିବଙ୍କ ଗସ୍ତଖର୍ଚ୍ଚର ବିବରଣୀ ମାଗିଲା କଂଗ୍ରେସ, ମୁଖ୍ୟ ସଚିବଙ୍କୁ ବି କଲା ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ୱାରା ସର୍ବଭାରତୀୟ ପ୍ରଶାସନିକ ପ୍ରଶାସନିକ ସେବା ଆଇନ୍ ୧୯୬୮ ବିଭିନ୍ନ ଧାରାର ଉଲଘଂନର ତଦନ୍ତ କରିବାକୁ ୨୦୨୩ ଜୁନ୍ ମାସ ୨୩ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

author-image
Ordigital Desk
ଅଦ୍ୟତନ ହୋଇଛି
VK Pandian

VK Pandian

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟଙ୍କ ଚିଠିକୁ ୯୮ଦିନ ପୁରିଥିଲେ ମଧ୍ୟ କାହିଁକି ରାଜ୍ୟ ମୁଖ୍ୟ ସଚିବ କୌଣସି ପଦକ୍ଷେପ ନେଇନାହାନ୍ତି ଓ ଫାଇଭ-ଟି ଗସ୍ତ ଖର୍ଚ୍ଚକୁ ସରକାର କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ୱାରା ସର୍ବଭାରତୀୟ ପ୍ରଶାସନିକ ପ୍ରଶାସନିକ ସେବା ଆଇନ୍ ୧୯୬୮ ବିଭିନ୍ନ ଧାରାର ଉଲଘଂନର ତଦନ୍ତ କରିବାକୁ ୨୦୨୩ ଜୁନ୍ ମାସ ୨୩ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜକୁ ୯୮ ଦିନ ପରେ ବି ଏହି ଘଟଣାର ତଦନ୍ତ ରିପୋର୍ଟ ଡିଓପିଟିଙ୍କୁ ରାଜ୍ୟ ମୁଖ୍ୟ ସଚିବ ପ୍ରଦାନ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସହ ଯଦି କରାଯାଇ ନାହିଁ ତାହାଲେ ଏହାକୁ କାହିଁକି ଚାପି ରଖାଯାଇଛି ।

ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ୍ ୧୯୬୮ କହୁଛି ମୁଖ୍ୟ ସଚିବ ୪୫ ଦିନ ଭିତରେ ଏହି ତଦନ୍ତ ରିପୋର୍ଟ କାର୍ମିକ ମନ୍ତ୍ରଣାଳୟଙ୍କୁ ପ୍ରଦାନ କରିବା କଥା । ୯୮ ଦିନ ପରେ ମଧ୍ୟ ତଦନ୍ତ ରିପୋର୍ଟ ନଦେବା ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ । ଏ ସଂପୂର୍ଣ୍ଣ ଘଟଣାର ବିଜେପି ସାଂସଦଙ୍କଠୁ ଆରମ୍ଭ କରି ଦଳର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ କାହିଁକି ନିରବ ଅଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ବିଜେଡ଼ି ଓ ବିଜେପି ଉଭୟ ଏକ, କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଗଣମାଧ୍ୟମ ଆଗରେ ତୁମ୍ଭିତୋଫାନ କରୁଛନ୍ତି । ଜଣେ ଆଇଏଏସ୍ ଅଫିସର ନିଜର ଚାକିରି ସର୍ତାବଳୀର ସମସ୍ତ ନିୟମକୁ ଉଲଘଂନ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ କାହିଁକି? କେନ୍ଦ୍ର ସରକାରଙ୍କର ଗୃହମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଆଲୋଚନା ପରେ ଏ ସମସ୍ତ ଘଟଣା ସଂପୂର୍ଣ୍ଣ ଚାପି ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୯ ମସିହା ଅଗଷ୍ଟ ୨୮ ତାରିଖ,ଚିଠି ସଂଖ୍ୟା ୨୪୧୫୭ରେ ନିର୍ଦ୍ଦେଶନାମା ଜାରି କରି ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦବୀ ସହିତ ଫାଇଭ-ଟି ରୁପାୟନ କାର୍ଯ୍ୟକ୍ରମର ସଚିବ ରୂପେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କଲେ । ରାଜ୍ୟ ସରକାର ଏହି ଫାଇଭ-ଟି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟତଃ ସବୁ ବିଭାଗରେ ଲାଗୁ କରିଛନ୍ତି । ତା’ହେଲେ ଏହି ସବୁ ବିଭାଗର ସଚିବମାନେ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି କି ନାହିଁ? ଯଦି ଏହି ସବୁ ବଭାଗର ସଚିବମାନେ ବିଭାଗୀୟ ମୁଖ୍ୟ ହିସାବରେ ଏହି କାର୍ଯ୍ୟକ୍ରମକୁ ରୁପାୟନ କରୁଛନ୍ତି ଏବଂ ଏହାର ମନିଟରିଙ୍ଗ କରୁଛନ୍ତି । ତାହାଲେ ପୁଣି ଆଉ ଜଣେ ସଚିବ କ'ଣ କରୁଛନ୍ତିି?

ଫାଇଭ-ଟି କାର୍ଯ୍ୟକ୍ରମରୁ ରୂପାୟନ ସଚିବଙ୍କୁ କେବଳ ଅଥରଟି ଦିଆଯାଇଛି, କିନ୍ତୁ ଉତ୍ତରଦାୟିତ୍ୱ କାହିଁକି ଦିଆଯାଇନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ୪ ବର୍ଷ ପରେ ମଧ୍ୟ ଏହି ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିନଥିବା କହିଛି । ଯେଉଁଥିପାଇଁ ଏହି ଫାଇଭ-ଟି ସଚିବ ଯାହା କାର୍ଯ୍ୟ କରୁଛନ୍ତି ତାଙ୍କର ଉତରଦାୟିତ୍ୱ ନିର୍ଦ୍ଧାରଣ ହୋଇପାରୁନାହିଁ । ୫ଟି କାର୍ଯ୍ୟକ୍ରମ ରୂପାୟନ ସଚିବ ବିଗତ ୪ ବର୍ଷ ଭିତରେ କେଉଁ କେଉଁ ଜିଲ୍ଲାକୁ ଗସ୍ତ କରିଛନ୍ତି ଏବଂ ଏବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତା’ର ଜବାବ ସରକାର ଜନସାଧାରଣଙ୍କୁ ଦେଉନାହାନ୍ତି କାହିଁକି? ଜଣେ ସଚିବ ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ପାଇଁ ହେଲିକେପ୍ଟର ବ୍ୟବହାର କରିବା ପାଇଁ ରାଜ୍ୟ ସରକାର କିଭଳି ଅନୁମତି ଦେଉଛନ୍ତି ଓ ରାଜ୍ୟର ଗରିବ ଲୋକଙ୍କ ଟିକସ ଅର୍ଥକୁ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ କରାଯିବା କେତେ ଯଥାର୍ଥ ବୋଲି କଂଗ୍ରେସ କହିଛି । ଆଉ ଏସବୁ ଜାଣି ମୁଖ୍ୟ ସଚିବ ଓ ରାଜ୍ୟର ମନ୍ତ୍ରୀମାନେ ଚୁପ୍ ରହିବା ଅତ୍ୟନ୍ତ ଗର୍ହିତ ଅପରାଧ ଏବଂ ଏଥିପାଇଁ ରାଜ୍ୟବାସୀ କଦାପି କ୍ଷମା ଦେବେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଓ କଂଗ୍ରେସ ନେତା ପଂଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Congress Odisha Congress Vk Pandian