Advertisment

ହରିୟାଣା ନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ବିଜେପି ଓ କଂଗ୍ରେସ

କେବଳ କ୍ଷମତାସୀନ ବିଜେପିରେ ଟିକେଟ ବଣ୍ଟାକୁ ନେଇ ବିଦ୍ରୋହ ସୃଷ୍ଟି ହୋଇ ନାହିଁ, ବରଂ ବିରୋଧୀ କଂଗ୍ରେସ ମଧ୍ୟ ସମ୍ଭାବ୍ୟ ବିଦ୍ରୋହ ଆଶଙ୍କାରେ ଏଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରୁନାହିଁ।

author-image
Hemant Lenka
Congress

Congress

ଆସନ୍ତା ୫ ତାରିଖରେ ହରିୟାଣାର ୯୦ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ପ୍ରାର୍ଥୀ ଚୟନ ସେମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Advertisment

କେବଳ କ୍ଷମତାସୀନ ବିଜେପିରେ ଟିକେଟ ବଣ୍ଟାକୁ ନେଇ ବିଦ୍ରୋହ ସୃଷ୍ଟି ହୋଇ ନାହିଁ, ବରଂ ବିରୋଧୀ କଂଗ୍ରେସ ମଧ୍ୟ ସମ୍ଭାବ୍ୟ ବିଦ୍ରୋହ ଆଶଙ୍କାରେ ଏଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରୁନାହିଁ।

ବିଜେପି ପ୍ରଥମ ପର୍ଯ୍ୟାୟରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ବିସ୍ଫୋରଣ ସ୍ଥିତିର ସମ୍ମୁଖୀନ ହୋଇଛି। ଅନେକ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତା ଟିକେଟ ପାଇବାରୁ ବଞ୍ଚିତ ହେବାରୁ ଦଳକୁ ବାଏବାଏ କହିବା ଆରମ୍ଭ କରିଛନ୍ତି। କିଛି ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତା ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ଏଥିରେ ତାଳି ପକାଇବାକୁ ଚେଷ୍ଟା କରୁଥିଲେ ହେଁ ଏଯାଏ ସୁଫଳ ମିଳି ନାହିଁ। ବିଦ୍ରୋହକୁ ଦେଖି ଦଳ ବାକି ଆସନଗୁଡ଼ିକ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିପାରୁ ନାହିଁ।

Advertisment

ଆପ ଓ କଂଗ୍ରେସ ଏକାକୀ ହରିୟାଣା ବିଧାନସଭା ନିବାଚନ ଲଢ଼ିବେ ବୋଲି କହିଥିଲେ। ହେଲେ ଉଭୟ ଏବେ ସିଟ ଶେୟାରିଂ ଫର୍ମୁଲା ଉପରେ ଆଲୋଚନା କରୁଛନ୍ତି। ହରିୟାଣର ୧୦ ଲୋକସଭା ଆସନର ନିର୍ବାଚନ ବେଳେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିଥିଲେ।

କଂଗ୍ରେସ ୯ଟି ଆସନରେ ପ୍ରାର୍ଥୀ ଦେଇ ୫ଟିରେ ଜିତିଥିଲା। ଅବଶ୍ୟ ଆପ୍‌ କରୁକ୍ଷେତ୍ର ଆସନ ବିଜେପି ଠାରୁ ଛଡ଼ାଇ ଆଣି ପାରି ନଥିଲା। ତଥାପି ଏବେ ଦଳ କଂଗ୍ରେସ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛି।

ତେବେ ହରିୟାଣାର କଂଗ୍ରେସ ନେତାମାନେ ସିଟ ଶେୟାରିଂ ଆଲୋଚନା ବିରୋଧରେ ରହିଛନ୍ତି। କେନ୍ଦ୍ରୀୟ ନେତାମାନେ ଆପ ସହ ମେଣ୍ଟ କରିବାକୁ ଚାହୁଁଥିଲେ ହେଁ ରାଜ୍ୟସ୍ତରୀୟ ନେତାମାନେ ଏହା ସପକ୍ଷରେ ନାହାନ୍ତି। ଆପ ପକ୍ଷରୁ ଯେଉଁ ସବୁ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ଦିଆଯାଇଛି, ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡାଙ୍କ ବିଶ୍ୱସ୍ତମାନେ ବାଟ ଛାଡ଼ିବାକୁ ନାରାଜ। ଭୂପେନ୍ଦ୍ର ହୁଡ୍ଡା ମଧ୍ୟ ନିଜ ଲୋକଙ୍କୁ ଉକ୍ତ ଆସନରେ ପ୍ରାର୍ଥୀ କରିବା ସପକ୍ଷରେ ରହିଛନ୍ତି।

ଆପ୍‌ ହରିୟାଣର ୧୦ ଆସନରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛି। କିନ୍ତୁ କଂଗ୍ରେସ ୫ରୁ ୭ ଆସନ ଦେବାକୁ ଚାହୁଁଛି। କାରଣ କଂଗ୍ରେସ କିଛି ଆସନ ସମାଜବାଦୀ ପାର୍ଟି ପାଇଁ ମଧ୍ୟ ଛାଡ଼ିବ।

ସେହିପରି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଉଭୟଙ୍କୁ ଦଳ ପ୍ରାର୍ଥୀ କରି ବିଜେପିକୁ ମାତ ଦେବା ମୁଡରେ ରହିଛି।

ବିଜେପି ଓ କଂଗ୍ରେସ ଫୁଲଦମରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲେ ହେଁ ପ୍ରାର୍ଥୀ ଚୟନ ଉଭୟ ଦଳ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Bjp Congress Haryana News