/odisha-reporter/media/post_attachments/uploadimage/library/16_9/16_9_0/IMAGE_1758202103.jpg)
Congress MLAS
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ମନ୍ତ୍ରିପରିଷଦ ବିରୁଦ୍ଧରେ କଂଗ୍ରେସ ଆଜି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଗୃହରେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ସୁବିଧାଜନକ ସ୍ଥିତିରେ ଥିବା ଶାସକ ବିଜେପି ଏହି ପ୍ରସ୍ତାବକୁ ବିଶେଷ ଗୁରୁତ୍ୱ ଦେଉନଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ନିଜ ଭୋଟ ବିଭାଜନର ଭୟ ଘାରିଛି । ବିଗତ କିଛି ବର୍ଷ ଧରି ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଖୁସି କରିବାକୁ ଉପରେ ପଡ଼ି ପ୍ରେମ ନିବେଦନ କରୁଥିବା ବିଜେଡି ନେତୃତ୍ୱଙ୍କ ଏଭଳି ସନ୍ଦେହଜନକ ଆଭିମୁଖ୍ୟକୁ ନେଇ ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି ।
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ, ଦ୍ୱନ୍ଦ୍ୱରେ ବିଜେଡି
କଂଗ୍ରେସ ନିଜର ପୂର୍ବ ଘୋଷଣା ମୁତାବକ, ବିଧାନସଭାର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିପରିଷଦ ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ଦଳର ସମସ୍ତ ୧୪ ବିଧାୟକ ଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସ୍ୱାକ୍ଷରରେ ସମ୍ବଳିତ ଅନାସ୍ଥା ନୋଟିସ୍ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶା ବିଧାନସଭାର ରୁଲ ୧୧୭(୧) ପ୍ରାବଧାନ ଅନ୍ତର୍ଗତ ଏହି ନୋଟିସ୍ ଦିଆଯାଇଥିବା ସେମାନେ ଉଲ୍ଲେଖ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ଏହି ଅନାସ୍ଥା ପ୍ରସ୍ତାବ ଉପରେ କ’ଣ ପଦକ୍ଷେପ ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନି । ମାତ୍ର କଂଗ୍ରେସ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ନିମନ୍ତେ ବିଜେଡିକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଛି ।
ନବୀନଙ୍କ ଚାମ୍ବରରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ମଧ୍ୟରେ ଆଲୋଚନାବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଆମେ ବିଜେଡିକୁ ଅନୁରୋଧ କରିଛୁ । ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ଭେଟି ଏକଥା ଜଣାଇଛୁ । ସେମାନେ ସନ୍ଧ୍ୟା ୫ଟା ରେ ବୈଠକ କରି ଏକଥା ଆଲୋଚନା କରିବେ ଓ ଆମକୁ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି । କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚାମ୍ବରକୁ ଯାଇ ବିଜେଡି ବିଧାୟକମାନଙ୍କ ସହ ଆଲୋଚନା କରିଥଲେ । କଂଗ୍ରେସ ପୂର୍ବାହ୍ନରୁ ଅନାସ୍ଥା ପ୍ରସ୍ତାବ ଦେଇଥିଲେ ମଧ୍ୟ ବିଜେଡି ନିଜର କାର୍ଡ ଖୋଲୁନାହିଁ । ଦଳ ଭିତରେ ରହିଥିବା ବିରୋଧାଭାସ ଯୋଗୁ ବିଜେଡି ବିଧାୟକମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ।
ନିଷ୍ପତ୍ତି ନେଇପାରିଲେନି, ନବୀନଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜଣାଇଲେ!
ବିଜେଡି ସୂତ୍ର ଅନୁସାରେ, ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବା ପାଇଁ କଂଗ୍ରେସ ବିଧିବଦ୍ଧ ଭାବେ ଅନୁରୋଧ ଜଣାଇବା ପରେ ବିଜେଡି ବିଧାୟକମାନେ ପୂର୍ବାହ୍ନରେ ଏକ ବୈଠକ କରିଥିଲେ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ,ବିଧାୟକ ଅରୁଣ ସାହୁ, ମନୋହର ରନ୍ଧାରୀ, ଶାରଦା ଜେନା, ଗୌତମବୁଦ୍ଧ ଦାସ ପ୍ରମୁଖ ଏହି ବୈଠକରେ ସାମିଲ ହୋଇ ୧୯ ଓ ୨୦ତାରିଖ ଦୁଇଦିନ ଧରି ଚାଷୀଙ୍କ ସମସ୍ୟା ଓ ସାର ଅଭାବ, ୨୨ ଓ ୨୩ରେ ପଂଚାୟତିରାଜ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସ ଓ ୨୪ ଓ ୨୫ତାରିଖରେ ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବାକୁ ଦଳର କିଛି ବିଧାୟକ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ସହ ଆଲୋଚନା କରିଥିବା ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀରେ ଥିବା ନବୀନ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଏସମ୍ପର୍କରେ ଅବଗତ କରାଯିବ ଏବଂ ସେଠାରୁ ଯେଉଁ ନିଷ୍ପତ୍ତି ଆସିବ ସେହି ଆଧାରରେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ବିଜେଡିକୁ ଘାରିଛି ବିଭାଜନର ଭୟ
ବିଜେଡି ସୂତ୍ର ଅନୁସାରେ, କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଯଦି ଗୃହରେ ଆଲୋଚନା ହୁଏ, ତା’ହେଲେ ବିଜେଡିର ୨୪ବର୍ଷର ଶାସନକୁ ସମାଲୋଚନା କରିବାର ସୁଯୋଗକୁ ଉଭୟ କଂଗ୍ରେସ ଓ ଶାସକ ବିଜେପି ହାତଛଡ଼ା କରିବେ ନାହିଁ । ଆଉ ଯଦି ଅନାସ୍ଥା ଉପରେ ଭୋଟିଂ ହୁଏ ତା’ହେଲେ ତୀବ୍ର ଗୋଷ୍ଠୀକନ୍ଦଳ ଦେଇ ଗତି କରୁଥିବା ବିଜେଡିର କେଉଁ ବିଧାୟକ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ ତାହା ଜାଣିବା ମଧ୍ୟ ସମ୍ଭବପର ନୁହେଁ । ଯଦି ବାଚସ୍ପତି ଏହି ଅନାସ୍ଥାକୁ ନେଇ ଭୋଟିଂ କରନ୍ତି ଓ ବିଜେଡିର କେହି ବିଧାୟକ ଯଦି ଦଳର ଆଭିମୁଖ୍ୟ ବିରୁଦ୍ଧରେ ଯାଇ ଭୋଟ୍ ଦେବେ ତା’ହେଲେ ବିଜେଡିର ସବୁ ରଣନୀତି ପାଣିଚିଆ ହୋଇଯିବ । ତେଣୁ ଏହି ଅନାସ୍ଥାକୁ ଏଡ଼ାଇବା ପାଇଁ ନବୀନ ଜାଣିଶୁଣି ଆଗୁଆ ଦିଲ୍ଲୀ ପଳାଇ ସେଠାରେ ଡେରା ପକାଇଛନ୍ତି ଓ ବିଧାନସଭା ଅଧିବେଶନରୁ ନିଜକୁ ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି ।
ନିଜର ଅପକର୍ମକୁ ଲୁଚାଇବା ପାଇଁ ବିଗତ କିଛିବର୍ଷ ଧରି ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଉପରେ ପଡ଼ି ଖୁସି କରିବାକୁ ଲାଗିପଡ଼ିଥିବା ନବୀନ-ପାଣ୍ଡିଆନ ଯୋଡ଼ି ଏବେ ଏହି ଅନାସ୍ଥା ପ୍ରସ୍ତାବରେ ମଧ୍ୟ ବିଜେଡିକୁ ‘ମୁଖ୍ୟ ବିରୋଧୀ ଦଳ’ ଭୂମିକାର ଦାୟିତ୍ୱ ନିର୍ବାହ କରିବାର ସାମ୍ବିଧାନିକ କର୍ତ୍ତବ୍ୟରୁ ମଧ୍ୟ ବଂଚିତ କରିବାକୁ ଲାଗିପଡ଼ିଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳର ତୃଣମୂଳସ୍ତରର କର୍ମୀ ଓ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ବିଜେଡି ପ୍ରତି ଆସ୍ଥା ତୁଟିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।
ଓଡ଼ିଶା ବିଧାନସଭାରେ ‘ଅନାସ୍ଥା ପ୍ରସ୍ତାବ’ର ଇତିହାସ
ସ୍ୱାଧୀନତା ପରେ ଓଡ଼ିଶା ବିଧାନସଭାରେ ତୃତୀୟ ଥର ପାଇଁ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ତତକାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୩୦ମାସର ଶାସନକାଳର ଅରାଜକତା ବିରୁଦ୍ଧରେ ଜନତା ଦଳ ନେତା ଅଶୋକ ଦାସ, ବିଜେପି ନେତା ବିକ୍ରମକେଶରୀ ଦେଓ ଓ ଜେଏମଏମ୍ ନେତା ଜେ ଏମ ଏକ୍କା ପ୍ରମୁଖ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଯାହାକି ଗୃହରେ କାଟ୍ ଖାଇ ଯାଇଥିଲା । ସେହିପରି ୨୦୦୮ ଅଗଷ୍ଟ ୨୯ତାରିଖରେ ତତକାଳୀନ ବିଜେଡି-ବିଜେପି ମେଂଟ ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଆଣିଥିଲା । ଏହି ଅନାସ୍ଥା ଉପରେ ଆଲୋଚନା ପରେ ବାଚନିକ ଭୋଟରେ ତାହା ମଧ୍ୟ କାଟ୍ ଖାଇଥିଲା । ଆଜି ତୃତୀୟଥର ପାଇଁ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆସିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
