Advertisment

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ପ୍ରାର୍ଥିପତ୍ର ଦାଖଲ କରିବା ପରେ ତରୁଣ ପାଣ୍ଡେ କହିଛନ୍ତି ଯେ ବିଜେଡି ସରକାରର ୨୩ ବର୍ଷର ଶାସନ ଭିତରେ ଝାରସୁଗୁଡ଼ାର କିଛି ବିକାଶ ହୋଇପାରିନାହିଁ।

ଅଦ୍ୟତନ ହୋଇଛି
Tarun Pandey

Tarun Pandey

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶନିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ନିକଟରେ ଦଳରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଆଜି ଦିନ ପ୍ରାୟ ୧୧ଟା ବେଳେ ତରୁଣ ପାଣ୍ଡେ ଦଳୀୟ ନେତା ଓ କର୍ମୀଙ୍କ ସହିତ ମନମୋହନ ସ୍କୁଲ ପଡ଼ିଆରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ପରେ ତରୁଣ ପାଣ୍ଡେ କହିଛନ୍ତି ଯେ ବିଜେଡି ସରକାରର ୨୩ ବର୍ଷର ଶାସନ ଭିତରେ ଝାରସୁଗୁଡ଼ାର କିଛି ବିକାଶ ହୋଇପାରିନାହିଁ। ଏଠାରେ ଏ ପର୍ଯ୍ୟନ୍ତ ଗୋଟିଏ ସରକାରୀ କଲେଜ ହୋଇପାରିଲା ନାହିଁ। ତା’ହେଲେ କି ବିକାଶ ହୋଇଛି? ବାପା ଏଠାରୁ ତିନି ଥର ବିଧାୟକ ହୋଇଥିଲେ। ସେ ବିଧାୟକ ଥିବା ସମୟରେ ବହୁ ସ୍କୁଲ୍ ଖୋଲିଥିଲେ। ପାନୀୟ ଜଳର ସମସ୍ୟା ରହିଛି। ଗଲା ୨୩ ବର୍ଷରେ କିଛି ବିକାଶ ହୋଇନି, କେବଳ ଦୁର୍ନୀତି ହୋଇଛି। ଖାଲି ରାସ୍ତାଘାଟ ତିଆରି କରି ଲାଇଟ ଲଗାଇ ଦେବାକୁ ବିକାଶ କୁହାଯିବ ନାହିଁ। ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ ହୋଇନି। ଏଠାରେ ଶିଳ୍ପ ଅଛି। କିନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି। ସେମାନେ ବେକାର ଅଛନ୍ତି। ସେହିପରି କଳକାରଖାନା ଗୁଡ଼ିକୁ ଠିକ ଭାବେ ପରିଚାଳନା କରାଯାଉ ନଥିବା ଯୋଗୁ ଝାରସୁଗୁଡ଼ା ପ୍ରଦୂଷଣ ଜନିତ ସମସ୍ୟାର ଶିକାର ହେଉଛି। ଏହି ସବୁ ପ୍ରସଙ୍ଗ ପ୍ରଚାର ବେଳେ ଉଠାଯିବ ବୋଲି ସେ କହିଛନ୍ତି। ଏହା ସହିତ ଭୋଟର ଏଥର ତାଙ୍କୁ ଭୋଟ ଦେଇ ବିଜୟୀ କରାଇବେ ବୋଲି ତରୁଣ ପାଣ୍ଡେ ଆଶା ରଖିଥିବା କହିଛନ୍ତି।

Advertisment

ବିଜେଡି ପକ୍ଷରୁ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଏପ୍ରିଲ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ସେ ଏପ୍ରିଲ ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ତରୁଣ ପାଣ୍ଡେଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଏହି ଆସନରୁ ୧୯୮୦, ୧୯୮୫ ଓ ୧୯୯୦ରେ ବିଧାନସଭାକୁ ନିର୍ବାଚି ହୋଇଥିଲେ। 

Congress Jharsuguda Jharsuguda Bypoll Tarun Pandey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe