Advertisment

ଶେଷ ମୁହୂର୍ତ୍ତରେ ଓହରିଗଲେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ଆସିଲେ କହିବେ!

ରାହୁଲ ଗାନ୍ଧିଙ୍କ ବଦଳରେ କଂଗ୍ରେସ ପକ୍ଷରୁ ଅନାସ୍ଥା ବିତର୍କ ଗୌରବ ଗୋଗୋଇ ଆରମ୍ଭ କରିଥିଲେ। ସେ ମଣିପୁରଠାରୁ ଆରମ୍ଭ କରି ହରିଆଣା ହିଂସା, ପୁଲୱାମା ହମଲା ଓ ଚାଷୀ ଆନ୍ଦୋଳନ କଥା ଉଠାଇ ବିଜେପି ସରକାରଙ୍କୁ ଘେରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ଲୋକସଭାରେ ବିଜେପିକୁ ଶେଷ ମୁହୂର୍ତ୍ତରେ ଜଳକା କରିଛନ୍ତି ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ ବୋଲି କୁହାଯାଇଥିଲା। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ନୋଟିସ ଦେଇଥିଲେ।

Advertisment

ଲାଗୁଥିଲା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଅନାସ୍ଥା ପ୍ରସ୍ତାବର ବିତର୍କ ଆରମ୍ଭ କରିବେ। ବିଜେପି ସାଂସଦମାନେ ମଧ୍ୟ ରାହୁଲ ଗାନ୍ଧିଙ୍କ ସମ୍ବୋଧନକୁ ଅପେକ୍ଷା କରି ରହିଥିଲେ। ହେଲେ ଶେଷ ମିନିଟରେ ରାହୁଲ ଗାନ୍ଧି ଓ କଂଗ୍ରେସ, ସେମାନଙ୍କର ଯୋଜନା ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ରାହୁଲ ଗାନ୍ଧିଙ୍କ ବଦଳରେ କଂଗ୍ରେସ ପକ୍ଷରୁ ଅନାସ୍ଥା ବିତର୍କ ଗୌରବ ଗୋଗୋଇ ଆରମ୍ଭ କରିଥିଲେ। ସେ ମଣିପୁରଠାରୁ ଆରମ୍ଭ କରି ହରିଆଣା ହିଂସା, ପୁଲୱାମା ହମଲା ଓ ଚାଷୀ ଆନ୍ଦୋଳନ କଥା ଉଠାଇ ବିଜେପି ସରକାରଙ୍କୁ ଘେରିଥିଲେ। ସେହିପରି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ ମଧ୍ୟ ସେ ଜୋରଦାର ବର୍ଷିଥିଲେ।

Advertisment

ତେବେ ଗୋଗୋଇଙ୍କ ସମ୍ବୋଧନ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଜବାବ ରଖିବାକୁ ଛିଡ଼ା ହୋଇଥିଲେ। ସେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ, “ଆମେ ଭାବିଥିଲୁ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ। ସମ୍ଭବତଃ ସେ ବିଳମ୍ବରେ ଉଠିଛନ୍ତି।” ଏହାର ଅର୍ଥ ବିଜେପି ମଧ୍ୟ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରି ନଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଛି। 

ଦୁବେଙ୍କ ବୟାନକୁ ନେଇ ବେଶ ହଙ୍ଗାମା ମଧ୍ୟ ହୋଇଥିଲା। ବିଜେପି ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଥିଲେ ହେଁ କଂଗ୍ରେସର ଅସଲ ଯୋଜନାକୁ ବୁଝିବାକୁ ସକ୍ଷମ ହୋଇନି। ପ୍ରକୃତରେ କଂଗ୍ରେସ ତାଲିକା ଅନୁଯାୟୀ, ରାହୁଲ ଗାନ୍ଧି ଆଜି ଭାଷଣ ଆରମ୍ଭ କରିବାର ଥିଲା।

ହେଲେ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନଥିବାରୁ ରାହୁଲ ଗାନ୍ଧି ନିଜର ପକ୍ଷ ରଖିନାହାନ୍ତି। ମୋଦି ଲୋକସଭାରେ ଉପସ୍ଥିତ ଥିବାବେଳେ ହିଁ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ତେଣୁ କଂଗ୍ରେସ ମୋଦିଙ୍କ ପାଇଁ ରାହୁଲଙ୍କ ସମୟ ବଞ୍ଚାଇ ରଖିଛି।

ମୋଦି ଲୋକସଭାକୁ ଆସିବା ମାତ୍ରେ ରାହୁଲ ଗାନ୍ଧି ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆଜି ମୋଦି ଲୋକସଭାକୁ ଆସିବାର କାର୍ଯ୍ୟକ୍ରମ ନାହିଁ। ତେଣୁ ଆଜି ଗୃହରେ ରାହୁଲ ଗାନ୍ଧିଙ୍କ ଭାଷଣ ଶୁଣିବାକୁ ମିଳିବ ନାହିଁ। 

ଅନାସ୍ଥା ପ୍ରସ୍ତାବ ଉପରେ ମୋଟ ୧୫ ଘଣ୍ଟା ବିତର୍କ ହେବ। ବିଜେପିକୁ ୭ ଘଣ୍ଟାର ସମୟ ମିଳିଥିବା ବେଳେ କଂଗ୍ରେସକୁ ୧ ଘଣ୍ଟା ୧୫ ମିନିଟ ସମୟ ମିଳିଛି। ଏହାବାଦ ୱାଇଏସଆର କଂଗ୍ରେସ, ଶିବସେନା, ଜେଡିୟୁ, ବିଜେଡି, ବିଏସ୍‌ପି, ବିଆରଏସ ଓ ଏଲଜେପିକୁ ୨ ଘଣ୍ଟାର ସମୟ ବଣ୍ଟା ଯାଇଛି। ସ୍ୱାଧୀନ ଓ ଅନ୍ୟ ପାର୍ଟିର ସାଂସଦମାନେ ୧ ଘଣ୍ଟା ୧୦ ମିନିଟ କାଳ ନିଜର ପକ୍ଷ ରଖିବେ।

Congress PM Modi Rahul Gandhi Parliament No Confidence Motion