Congress
ଦେଶର ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ କେନ୍ଦ୍ର ସରକାର ବିଲ୍ ଆଣିଛନ୍ତି। ଏହି ବିଲ୍କୁ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି କିନ୍ତୁ ଏହାର ଓକିଲାତି କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ଉଦ୍ଦେଶ୍ୟ ରଖି କଂଗ୍ରେସ ବିଲକୁ ନେଇ ନାଟକ କରୁଥିବା ବିଜେପି କହିଛି।
ତେବେ କଂଗ୍ରେସ ଏହାକୁ କାଉଣ୍ଟର କରି ନିର୍ବାଚନ ବର୍ଷରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିର୍ବାଚନ କମିଶନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଅଭିଯୋଗ କରିଛି। ଏଥିସହ ଦଳ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ଗୋଟିଏ ଚିଠି ଦେଖାଇ ବିଜେପିକୁ ଟାର୍ଗେଟ କରିଛି।
୨୦୧୨ରେ ଆଡଭାନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଲେଖିଥିବା ଚିଠିକୁ କଂଗ୍ରେସ ନେତା ଜୟରାମ ରମେଶ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଆଡଭାନୀ ବିଭିନ୍ନ ସାମ୍ବିଧାନିକ ସଂସ୍ଥାରେ ନିଯୁକ୍ତି ନିର୍ଦ୍ଦଳୀୟ ଢାଞ୍ଚାରେ ହେବା ଦରକାର। ଏହାଦ୍ୱାରା ପକ୍ଷପାତିତା ଆଶଙ୍କା ରହିବ ନାହିଁ ବୋଲି କହିଥିଲେ।
ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପାଇଁ କେନ୍ଦ୍ର ସରକାର ଗୋଟିଏ ବିଲ୍ ରାଜ୍ୟସଭାରେ ଆଗତ କରିଛନ୍ତି। ସିଜେଆଇଙ୍କ ବଦଳରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା(ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ କମିଟିରେ ରହିବେ।
ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍ରେ ବ୍ୟବସ୍ଥା କରାଯାଇଛି।
ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ନିର୍ବାଚନ ହେବ। ଏହାପୂର୍ବରୁ ହିଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି। କିନ୍ତୁ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଜୟରାମ ରମେଶ ନିଜର ଟ୍ୱିଟର( ଏବେ ଏକ୍ସ) ଆକାଉଣ୍ଟରେ ଆଡଭାନୀଙ୍କ ଚିଠିର ଗୋଟିଏ କପି ଶେୟାର କରିଛନ୍ତି।
ସେ କହିଛନ୍ତି, ବିଜେପି ନେତା(ଆଡଭାନୀ) ପ୍ୟାନେଲରେ ସଜେଆଇ, ଉଭୟ ଗୃହର ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ରଖିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏବେ ବିଜେପି କ’ଣ କରୁଛି? ବର୍ତ୍ତମାନର ସିଇସି ବିଲ୍ କମିଟିରେ କାର୍ଯ୍ୟନିର୍ବାହୀର ଅଧିକାର ୨ ଅନୁପାତ ୧ ହେବ। ଏପରି ଏକ ବିଲ୍ ନିର୍ବାଚନ ବର୍ଷରେ ମୋଦି ସରକାର ଆଣିଛନ୍ତି। ଏହାର ଅର୍ଥ ମୋଦି ନିର୍ବାଚନ କମିଶନ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଚିଠିରେ ଆଡଭାନୀ ଲେଖିଛନ୍ତି ଯେ ଦେଶରେ ଏବେ ଜନମତ ପ୍ରକାଶ ପାଉଛି ଯେ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାରେ ନିଯୁକ୍ତି ପାଇଁ ଗଠିତ କମିଟି ନିର୍ଦ୍ଦଳୀୟ ହେବା ଦରକାର। ଏହାଦ୍ୱାରା ସମ୍ବିଧାନ ସଂସ୍ଥାର ନିଯୁକ୍ତିରେ ପକ୍ଷପାତିତା ଓ ଅନ୍ୟାନ୍ୟ ଅନିୟମିତତା ହେଉଥିବା ସନ୍ଦେହ ଦୂର ହୋଇପାରିବ। ତେଣୁ ପ୍ରଧାନମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ଆଡଭାନୀ ଚିଠିରେ ଉଲ୍ଲେ କରିଥିବା ଜୟରାମ ଦାବି କରିଛନ୍ତି।
ଜୟରାମ କହିଛନ୍ତି, “ମୋଦି ସରକାର ଆଣିଥିବା ସିଇସି ବିଲ୍ କେବଳ ଆଡଭାନୀଙ୍କ ପ୍ରସ୍ତାବକୁ ବିରୋଧ କରୁନାହିଁ, ବରଂ ୨୦୨୩ ମାର୍ଚ୍ଚ ୨ରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟର ବିରୋଧାଚରଣ କରୁଛି।
ନିର୍ବାଚନ କମିଶନଙ୍କୁ ନିରେପକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତିରେ କାର୍ଯ୍ୟନିର୍ବାହୀର ହସ୍ତକ୍ଷେପ କମ ରହିବା ଦରକାର।” ତେବେ ବିଜେପି କହିଛି ଯେ ସରକାର ସବୁ ପ୍ରକାରର ନିୟମ କାନୁନ ମଧ୍ୟରେ ବିଲ ଆଣିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Congress_1691759121.jpg)