Advertisment

ନିଜ ପିଠି ନିଜେ ଥାପୁଡ଼ାଇଲା କଂଗ୍ରେସ, ଉପ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

୨୦୨୪ରେ ବିଜେପିର ସ୍ମୃତି ଇରାନୀଙ୍କୁ କଂଗ୍ରେସ ଭେଟରାନ କିଶୋରୀ ଲାଲ ଶର୍ମା ଚ୍ୟାଲେଞ୍ଜ ଦେବେ।

Rahul Gandhi

Rahul Gandhi

Advertisment

ନାମାଙ୍କନର ଶେଷ ଦିନରେ କଂଗ୍ରେସ ତବରିଆ ଭାବେ ଉତ୍ତର ପ୍ରଦେଶର ରାଏବରେଲୀ ଓ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧି ନିଜର ପାରମ୍ପରିକ ଆମେଠି ଆସନ ବଦଳରେ ଗାନ୍ଧି ପରିବାର ଗଡ଼ ରାଏବରେଲୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

୨୦୧୯ରେ ତାଙ୍କୁ ଆମେଠିରେ ହାରିବାକୁ ପଡ଼ିଥିଲା। ୨୦୨୪ରେ ବିଜେପିର ସ୍ମୃତି ଇରାନୀଙ୍କୁ କଂଗ୍ରେସ ଭେଟରାନ କିଶୋରୀ ଲାଲ ଶର୍ମା ଚ୍ୟାଲେଞ୍ଜ ଦେବେ। ଦୀର୍ଘ ୨୫ ବର୍ଷ ପରେ ଆମେଠିରୁ ପ୍ରଥମଥର ପାଇଁ ଗାନ୍ଧି ପରିବାରର କୌଣସି ସଦସ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ଚର୍ଚ୍ଚାରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଛି। 

ରାହୁଲ ଗାନ୍ଧି ପରାଜୟ ଭୟରେ ଆମେଠିରୁ ଲଢ଼ୁ ନଥିବା କୁହାଯାଉଥିବା ବେଳେ କଂଗ୍ରେସ ଏପରି ନିଷ୍ପତ୍ତିର ଓକିଲାତି କରିଛି। ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ନିଜର ପିଠି ନିଜେ ଥାପୁଡ଼ାଇଛି। ଏଥିସହ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ରାହୁଲ ଗାନ୍ଧିଙ୍କୁ ରାଏବରେଲୀରୁ ପ୍ରାର୍ଥୀ କରାଯାଇଥିବା କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହାବାଦ ଏପରି ନିଷ୍ପତ୍ତି ବିଜେପି ନେତା ଓ ସମର୍ଥକଙ୍କୁ ଚକିତ କରି ଦେଇଛି। ବିଜେପିର ଚାଣକ୍ୟ ଅମିତ ଶାହ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଥିବା ମଧ୍ୟ ସେ ଦାବି କରିଛନ୍ତି।

Advertisment

ସେ କହିଛନ୍ତି, “ରାହୁଲ ଗାନ୍ଧି ରାଏବରେଲୀରୁ ଲଢ଼ିବାକୁ ଯାଉଥିବାରୁ ଅନେକ ଲୋକ ଅନେକ ମତ ରଖୁଛନ୍ତି। ସମସ୍ତେ ମନେ ରଖନ୍ତୁ ରାହୁଲ ଜଣେ ଅଭିଜ୍ଞ ରାଜନେତା ଓ ଚେସ ଖେଳାଳି। ଦଳର ନେତୃବୃନ୍ଦ ଅନେକ ଆଲୋଚନା ଦୀର୍ଘ ମିଆଦ ରଣନୀତି ଆଧାରରେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଗୋଟିଏ ନିଷ୍ପତ୍ତି ବିଜେପି, ଏହାର ସମର୍ଥକ ଓ ଏହାର ଚାପଲୁସି କରୁଥିବା ଲୋକମାନଙ୍କୁ ହତବାକ କରି ଦେଇଛି।”

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଚ୍ଛଲ୍ୟ କରି ରମେଶ କହିଛନ୍ତି, “ବିଜେପିର ଆତ୍ମଘୋଷିତ ଚାଣକ୍ୟ ଯିଏ ସବୁବେଳେ ପାରମ୍ପରିକ ସିଟ କଥା କହୁଥିଲେ ଏବେ ସେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛନ୍ତି। ସେ କେମିତି ଜବାବ ଦେବେ ଜାଣି ପାରୁ ନାହାନ୍ତି। ରାଏବରେଲୀ କେବଳ ସୋନିଆଜୀଙ୍କ ସିଟ ନଥିଲା। ଇନ୍ଦିରା ଗାନ୍ଧି ମଧ୍ୟ ଏହି ସିଟରେ ଜିତିଥିଲେ। ଏହା ଉତ୍ତରାଧିକାର ନୁହେଁ। ଏହା ଦାୟିତ୍ୱବୋଧ ଓ କର୍ତ୍ତବ୍ୟ।

କେବଳ ଆମେଠି-ରାଏବରେଲୀ ନୁହେଁ ପୂରା ଦେଶ ଅର୍ଥାତ ଉତ୍ତରରୁ ଦକ୍ଷିଣ ହେଉଛି ଗାନ୍ଧି ପରିବାରର ଗଡ଼। ରାହୁଲ ଗାନ୍ଧି ଉତ୍ତର ପ୍ରଦେଶରୁ ୩ଥର ଓ କେରଳରୁ ଥରେ ସାଂସଦ ହୋଇଛନ୍ତି।”

ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ନ ଲଢ଼ିବା ସମ୍ପର୍କରେ ମଧ୍ୟ ଜୟରାମ ରମେଶ ମତ ରଖିଛନ୍ତି। ସେ କହିଛନ୍ତି, “ପ୍ରିୟଙ୍କାଜୀ ଜୋରଦାର ପ୍ରଚାର କରୁଛନ୍ତି ଓ ଏକାକୀ ନରେନ୍ଦ୍ର ମୋଦିଙ୍କ ମିଛର ପର୍ଦ୍ଦାଫାସ କରିଛନ୍ତି।

ଉତ୍ତରାଧିକାର ଆଇନ ଉଚ୍ଛେଦକୁ ନେଇ ମୋଦି କହିଥିବା ମିଛକୁ ସେ ବେଶ ଚମତ୍କାର ଢଙ୍ଗରେ ଖୁଲାସା କରିଥିଲେ। ତେଣୁ ତାଙ୍କୁ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ନ ରଖିବା ଗୁରୁତ୍ୱପୂର୍ଣ୍ଣ। ସେ ପୂରା ଦେଶରେ ପ୍ରଚାର କରିବେ। ପ୍ରିୟଙ୍କା ଗାନ୍ଧି ଯେକୌଣସି ଉପ ନିର୍ବାଚନ ଲଢ଼ି ଲୋକସଭାରେ ପହଞ୍ଚିବେ।”

Uttar Pradesh Rahul Gandhi Amethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe