କଂଗ୍ରେସ ଇତିହାସରେ ପ୍ରଥମ: ସବୁଠାରୁ କମ ସଂଖ୍ୟକ ଆସନରେ ଲଢ଼ିବ ଦଳ, କିନ୍ତୁ..

୨୦୦୪ରେ ଦଳ ନିଜର ସହଯୋଗୀମାନଙ୍କ ପାଇଁ କମ ସଂଖ୍ୟକ ଆସନରେ ଲଢ଼ିଥିଲା। ଏଥିସହ ସହଯୋଗୀ ଦଳଗୁଡ଼ିକ ସହ ମିଶି ବିଜେପି ନେତୃତ୍ୱାଧୀନ ଏନଡିଏକୁ ଗାଦିଚ୍ୟୁତ କରିଥିଲା।

Representational image

  • Published: Thursday, 18 April 2024
  • , Updated: 18 April 2024, 05:01 PM IST

ଦୀର୍ଘ ୨୦ ବର୍ଷ ପରେ..। ଏହି ଡାଏଲଗ ଏବେ କଂଗ୍ରେସ ପାଇଁ ଲାଗୁ ହେବାକୁ ଯାଉଛି। କାରଣ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ତା’ ଇତିହାସରେ ସବୁଠାରୁ କମ ସଂଖ୍ୟକ ଆସନରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି। କମ ସଂଖ୍ୟକ ଆସନରେ ଦଳ ଲଢ଼ିବାକୁ ଯାଉଥିବା ବେଳେ ଆଶା କିନ୍ତୁ ଅଧିକ ରଖିଛି। ୨୦୦୪ ଭଳି ସ୍ଥିତି ସହ ଦଳ ନିଜର ରଣନୀତିକୁ ତୁଳନା କରିଛି।

୨୦୦୪ରେ ଦଳ ନିଜର ସହଯୋଗୀମାନଙ୍କ ପାଇଁ କମ ସଂଖ୍ୟକ ଆସନରେ ଲଢ଼ିଥିଲା। ଏଥିସହ ସହଯୋଗୀ ଦଳଗୁଡ଼ିକ ସହ ମିଶି ବିଜେପି ନେତୃତ୍ୱାଧୀନ ଏନଡିଏକୁ ଗାଦିଚ୍ୟୁତ କରିଥିଲା। ୨୦ ବର୍ଷ ପରେ ଦଳ ପୁଣି ସମାନ ରଣନୀତି ଆପଣାଇବାକୁ ଯାଉଛି। କଂଗ୍ରେସ ୨୦୨୪ରେ ୫୪୩ ଲୋକସଭା ଆସନରୁ ୩୩୦ଟି ସ୍ଥାନରେ ପ୍ରାର୍ଥୀ ଦେବାର ଆକଳନ କରାଯାଉଛି।

୨୦୦୪ ତୁଳନାରେ ମଧ୍ୟ ଏହା କମ। ଦଳ ୨୦୦୪ରେ ଦେଶର ୪୧୭ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିଲା। ଏ ସମ୍ପର୍କରେ ଏଆଇସିସି ମୁଖପାତ୍ର ଜୟରାମ ରମେଶ କହିଛନ୍ତି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଇଣ୍ତିଆ ବ୍ଲକର ପାର୍ଟନରମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଦଳ ନିଜର ଆସନ ସଂଖ୍ୟା ହ୍ରାସ କରିଛି। ଏନସିପ, ଶିବସେନା, ବାମପନ୍ଥର ଓ ସମାଜବାଦୀ ପାର୍ଟି ସହ କଂଗ୍ରେସ ଏସବୁ ରାଜ୍ୟରେ ମେଣ୍ଟ କରିଥିବାରୁ ପୂର୍ବାପେକ୍ଷା କମ ଆସନରେ ପ୍ରାର୍ଥୀ ଦେଇଛି।

ରମେଶ କହିଛନ୍ତି, “୨୦୦୪ରେ ଯେଉଁ ସ୍ଥିତି ଥିଲା ୨୦୨୪ରେ ସେଇଆ ରହିଛି। ଏକଥା ଆପଣ ଲେଖିକି ରଖନ୍ତୁ। ଆମେ ଜାଣିଶୁଣି ଉପରୋକ୍ତ ୩ ରାଜ୍ୟରେ କମ ସଂଖ୍ୟକ ଆସନରେ ଲଢ଼ୁଛୁ।

କାରଣ ଏବେ ଗୋଟିଏ ଶକ୍ତିଶାଳୀ ଓ ପ୍ରଭାବୀ ମେଣ୍ଟ ଚାହୁଁଛୁ। କଂଗ୍ରେସ ଓ ଇଣ୍ଡିଆ ବ୍ଲକ ସ୍ପଷ୍ଟ ବହୁମତ ନିର୍ବାଚନରେ ପାଇବେ। ଆମେ କୌଣସି ନୂଆ ଦଳ ଚାହୁଁ ନାହୁଁ। ଉତ୍ତର ପୂର୍ବରେ ବିଜେପି ଛାଡ଼ି ଅନେକ ଆଞ୍ଚଳିକ ଦଳ କଂଗ୍ରେସକୁ ସମର୍ଥନ କରିବେ।”

୨୦୧୪ ପରଠାରୁ ଦେଶରେ ନରେନ୍ଦ୍ର ମୋଦିଙ୍କ ସରକାର ଚାଲିଛି। ଏହି ୧୦ ବର୍ଷ ମଧ୍ୟରେ କଂଗ୍ରେସର ବିଜୟ ସୁଯୋଗ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରରେ ହ୍ରାସ ପାଇଛି। ଏହି ସବୁ ରାଜ୍ୟ ମୋଟ ଲୋକସଭା ଆସନର ୪୦% ।

ବିଜୟ ପ୍ରତିଶତ ହ୍ରାସ ପାଇବା ଯୋଗୁ କଂଗ୍ରେସ ବାଧ୍ୟ ହୋଇ ମେଣ୍ଟରେ ଥିବା ଦଳଗୁଡ଼ିକୁ ଅଧିକ ସୁଯୋଗ ଦେଇଛି। ମହାରାଷ୍ଟ୍ର ଓ ବିହାରରେ ଦଳ ହାରିବା ସିଟ୍‌ ସହଯୋଗୀ ଦଳକୁ ଛାଡ଼ି ଦେଇଛି।

୧୯୫୧ରେ କଂଗ୍ରେସ ୪୭୯ ସ୍ଥାନରେ ପ୍ରାର୍ଥୀ ଦେଇଥିବା ବେଳେ ୩୬୪ରେ ଜିତିଥିଲା।

୧୯୫୭ରେ କଂଗ୍ରେସ ୪୯୦ ଆସନରେ ପ୍ରାର୍ଥୀ ଦେଇଥିବେ ବେଳେ ୩୭୧ଟିରେ ଜିତିଥିଲା।

୧୯୬୨ରେ ଦଳ ୪୮୮ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୬୧ଟିରେ ଜିତିଥିଲା।

୧୯୬୭ରେ ଦଳ ୫୧୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୮୩ଟିରେ ଜିତିଥିଲା।

୧୯୭୧ରେ ଦଳ ୪୪୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୫୨ଟିରେ ଜିତିଥିଲା।

୧୯୭୭ରେ ଦଳ ୪୯୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୫୪ଟିରେ ଜିତିଥିଲା।

୧୯୮୦ରେ ଦଳ ୪୯୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୫୩ଟିରେ ଜିତିଥିଲା।

୧୯୮୪ରେ ଦଳ ୫୧୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୪୧୪ଟିରେ ଜିତିଥିଲା।

୧୯୮୯ରେ ଦଳ ୫୧୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୯୭ଟିରେ ଜିତିଥିଲା।

୧୯୯୧-୯୨ରେ ଦଳ ୫୦୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୪୪ଟିରେ ଜିତିଥିଲା।

୧୯୯୬ରେ ଦଳ ୫୨୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୪୦ଟିରେ ଜିତିଥିଲା।

୧୯୯୮ରେ ଦଳ ୪୭୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୪୧ଟିରେ ଜିତିଥିଲା।

୧୯୯୯ରେ ଦଳ ୪୫୩ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୧୪ଟିରେ ଜିତିଥିଲା।

୨୦୦୪ରେ ଦଳ ୪୧୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୪୫ଟିରେ ଜିତିଥିଲା।

୨୦୦୯ରେ ଦଳ ୪୪୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୦୬ଟିରେ ଜିତିଥିଲା।

୨୦୧୪ରେ ଦଳ ୪୬୪ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୪୪ଟିରେ ଜିତିଥିଲା।

୨୦୧୯ରେ ଦଳ ୪୨୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୫୨ଟିରେ ଜିତିଥିଲା।

Related story