Advertisment

ଓବିସି ଗଣନା ତ୍ରୁଟିପୂର୍ଣ୍ଣ, ଶୀଘ୍ର ଜାତିଭିତ୍ତିକ ଜନଗଣନା କରନ୍ତୁ ରାଜ୍ୟ ସରକାର: କଂଗ୍ରେସ

ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର କାଳବିଳମ୍ବ ନକରି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରନ୍ତୁ ।

ଅଦ୍ୟତନ ହୋଇଛି
Congress

Congress

Advertisment

ରାଜ୍ୟରେ ଓବିସି ଗଣନାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଶୀଘ୍ର ଜାତିଭିତ୍ତିକ ଜନଗଣନା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ନଚେତ୍ କଂଗ୍ରେସ ୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିଲେ ନିଶ୍ଚିତ ଭାବେ ଜାତିଭିତ୍ତିକ ଜନଗଣନା କରିବ ବୋଲି ସୂଚନା ଦେଇଛି ।

Advertisment

ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର କାଳବିଳମ୍ବ ନକରି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରନ୍ତୁ । ଦୀର୍ଘ ୨୩ ବର୍ଷର ନିରନ୍ତର ସରକାରର ରାଜ୍ୟରେ ଯେଉଁ ସାମଗ୍ରିକ ଏବଂ ସନ୍ତୁଳିତ ବିକାଶ ହେବା କଥା ତାହା ଆଜି କୌଣସି କ୍ଷେତ୍ରରେ ପରିଲକ୍ଷିତ ହେଉନାହିଁ । ସ୍ୱର୍ଣ୍ଣଗଭା ଓଡ଼ିଶାର ୩୦ଲକ୍ଷରୁ ଅଧିକ ପରିବାର ଆଜି ଦାଦନ ଖଟିବାକୁ ଯାଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗଙ୍କର  ବିକାଶ ଆବଶ୍ୟକ ମୁତାବକ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜାତିଭିତକ ଜନଗଣନା ପାଇଁ ଗୋଟିଏ ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଇ ଏହାର ମୂଳ ରୂପରେଖା କ\'ଣ ହେବ ଏବଂ କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ତା’ର ବିସ୍ତୃତ ଆଲୋଚନା ବିଧାନସଭା ଭିତରେ କରି ସଂକଳ୍ପ ପ୍ରସ୍ତାବ ପାରିତ କରନ୍ତୁ ଏବଂ ଘରକୁ ଘର ବୁଲି ଜାତିଭିତ୍ତିକ ଜନଗଣନା ନିର୍ଭୁଲ ଭାବରେ କରାନ୍ତୁ । ନଚେତ୍ ୨୦୨୪ରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିଲେ ନିଶ୍ଚିତ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ବିହାର ଯେଉଁଭଳି ଭାବରେ ଜାତିଭିତିକ ଜନଗଣନା କରି ତା'ର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କଲା, ଅନୁରୁପ ଭାବରେ ଓଡ଼ିଶାରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସେ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା କେବଳ କେଉଁ ଜାତିରେ କେତେ ଜନସଂଖ୍ୟା ଅଛନ୍ତି ତାହା ଜାଣିବାର ମୂଳ ଉଦ୍ଦେଶ୍ୟ ନୁହେଁ । ବରଂ ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଏକ ସରକାର ଥାଇ ମଧ୍ୟ ରାଜ୍ୟରେ କେଉଁ ନିର୍ଦ୍ଦିଷ୍ଟ ଜାତି ଓ ବର୍ଗ ବହୁ କ୍ଷେତ୍ରରେ ପଛରେ ରହିଯାଇଛନ୍ତିି ଏବଂ ଏହାର ମୂଳ କାରଣ କ'ଣ ତାକୁ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି । ଓଡ଼ିଶାର ପଛୁଆବର୍ଗ ଓ ଅତି ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର କେତେ ପ୍ରତିଶତ ତା'ର କୌଣସି ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ରାଜ୍ୟରେ ପଛୁଆବର୍ଗ (ଓବିସି) ଏବଂ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ (ଏସଇବିସି)ଙ୍କ ସଂଖ୍ୟା ପାଖାପାଖି ୫୪ ପ୍ରତିଶତ ବୋଲି ଅନୁମାନ କରାଯାଉଛି କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଯେ, ରାଜ୍ୟରେ ପଛୁଆବର୍ଗ କମିଶନ ଗଠନ ଓ ପଛୁଆବର୍ଗଙ୍କ ଜନଗଣନା କରିବା ପାଇଁ  ରାଜ୍ୟ ସରକାର ଖୁବ ଆତ୍ମପ୍ରଚାର କରି ମଧ୍ୟ ଆଜିସୁଦ୍ଧା ଉକ୍ତ ରିପୋର୍ଟକୁ ସାର୍ବଜନୀନ କଲେନି । ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ବିଜ୍ଞପ୍ତି ଝୁଲାଇ ଦେଇ ଲୋକମାନଙ୍କୁ ନିଜ ପ୍ରମାଣ ପତ୍ର ଧରି ଆସି ଓବିସି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ନିର୍ଦ୍ଦେଶ ଦେଇ ବସିଗଲେ । ଯେଉଁଥିପାଇଁ ଏହି ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କରିପାରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମଥର ପାଇଁ ହୋଇଥିବା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଚିହ୍ନଟ ନିମନ୍ତେ ସର୍ଭେ ରିପୋର୍ଟକୁ ରାଜ୍ୟ ପଛୁଆବର୍ଗ କମିଶନ ଗତକାଲି ଅର୍ଥାତ୍ ମଙ୍ଗଳବାର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି । ଏଥିରେ ରାଜ୍ୟର ମୋଟ ୫୩ଲକ୍ଷ ୯୬ହଜାର ୧୩୨ଟି ପରିବାରର ୧କୋଟି ୯୪ଲକ୍ଷ ୮୮ହଜାର ୬୭୧ଜଣ ପଛୁଆ ବର୍ଗର ବୋଲି ଉଲ୍ଲେଖ କରାଯାଇଛି । ରାଜ୍ୟରେ ଓବିସି(ପଛୁଆ ବର୍ଗ) ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ ବୋଲି ଆଶା କରାଯାଉଥିବାବେଳେ ୨୦୨୩ ଜନସଂଖ୍ୟା ଏହି ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୩୯.୩୧% ବୋଲି ଆକଳନ ହୋଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟା ୪କୋଟି ୧୯ଲକ୍ଷ ୫୦ହଜାର ୯୫୧ ଥିବାବେଳେ ୨୦୨୩ରେ ଏହି ଜନସଂଖ୍ୟା ୪କୋଟି ୯୫ଲକ୍ଷ ୬୫ହଜାର ୦୪୫ବୋଲି ଆକଳନ ହୋଇଛି ।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe