Advertisment

ପାଣ୍ଡିଆନଙ୍କ ଭିଆରଏସ୍ : କଂଗ୍ରେସ ବର୍ଷିଲା, ମାପିଚୁପି କହିଲା ବିଜେପି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆଗରୁ ସେ ଚାକିରିରେ ରହି ରାଜନୀତି କରୁଥିବାରୁ ତାଙ୍କୁ ବିରୋଧ କରାଯାଉଥିଲା। ଏବେ ତ ଖୋଲା ପଡ଼ିଆ ପଡ଼ିଛି । ରାଜ୍ୟର ସ୍ୱାର୍ଥ ଓ ନୈତିକତାକୁ ନେଇ ଲଢ଼େଇ ହେବ ।

Sarat Pattanayak

Sarat Pattanayak

Advertisment

ନିର୍ବାଚନୀ ବର୍ଷରେ ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ପାଣ୍ଡିଆନଙ୍କୁ ୩ଦିନ ମଧ୍ୟରେ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ନେବାକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ନେଇ କଂଗ୍ରେସ ବର୍ଷିଥିବାବେଳେ ବିଜେପି ମାପିଚୁପି ପ୍ରତିକ୍ରିୟା ରଖିଛି। ବିଜେଡି ଏସବୁ ବିବାଦରେ ଚୁପ୍ ରହି ରାଜ୍ୟରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ବୋଲି କହିଛି।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ବିଜେଡି ଓ ବିଜେପି ଏକ ହୋଇଥିବାରୁ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ ଏତେ ଶୀଘ୍ର କେନ୍ଦ୍ର ସରକାର ଅନୁମୋଦନ ଦେଇଦେଲେ। ଉଭୟ ଦଳ ଆଗୁଆ ଯୋଜନା କରିଥିଲେ ଓ ସେହି ଦୃଷ୍ଟିରୁ  ପାଣ୍ଡିଆନଙ୍କୁ ସଙ୍ଗେସଙ୍ଗେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଗଲା। ବିଜେଡି ଓ ବିଜେପିର ଏଭଳି ଯୋଜନା ଓଡ଼ିଶାର ସ୍ୱାର୍ଥବିରୋଧୀ ବୋଲି କହିଛନ୍ତି।  ସ୍ୱାଭିମାନୀ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପାଣ୍ଡିଆନଙ୍କ ଭିଆରଏସ୍ ମଞ୍ଜୁରୀ ହେବା ଆଉ ଏକ ଷଡ଼ଯନ୍ତ୍ର। ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ମିଳିତ ଭାବେ ବିରାଟ ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଖାଦାନ ଲୁଟ୍ ହୋଇଛି। ଖଣି, ପାଣି ଓ ଜମିକୁ ଅଣଓଡ଼ିଆ ଲୁଟ୍ କରିଛନ୍ତି।

ମାତ୍ର ୩ ଦିନ ଭିତରେ ତାଙ୍କର ଭିଆରଏସ୍ ଆବେଦନକୁ କେନ୍ଦ୍ରର ବିଜେପି ସରକାର ମଞ୍ଜୁର କରିଛନ୍ତି । ବିଜେଡି ଓ ବିଜେପି ଏକାସଙ୍ଗେ ଅଛନ୍ତି। ୨୦୨୪ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମିଶିକି ଲଢ଼ିବାକୁ ଚେଷ୍ଟା କରୁଛନ୍ତି। ଆଉ ପାଣ୍ଡିଆନ ହେଉଛନ୍ତି ଉଭୟ ଦଳର ପଲଟିକାଲ ଏଜେଣ୍ଟ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ଓ ବିଜେପି ଏକ। ସାରା ଓଡ଼ିଶାବାସୀ ଏକଥା ଜାଣିସାରିଲେଣି। ବିଜେଡି ଓ ବିଜେପିର ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ। ନବୀନ ପଟ୍ଟନାୟକ ଆଗରୁ ମଧ୍ୟ ଆଇଏଏସ୍ ଅଫିସରଙ୍କୁ ଭଡ଼ାରେ ସରକାର ଦେଉଥିଲେ ଶାସନ କରିବା ପାଇଁ। ଏବେ ପୁଣିଥରେ ସେହି ଅବସ୍ଥା ଉପୁଜିଛି। ଭଡ଼ାଘରକୁ ଆଉ ଥରେ ଭଡ଼ା ଦିଆଯାଉଛି। ଲିଜରେ ଦିଆଯାଉଛି ଓଡ଼ିଶାକୁ। ପୂର୍ବରୁ ପାଣ୍ଡିଆନ ମଧ୍ୟ ସବୁ ଆଇଏଏସଙ୍କ କ୍ଷମତାକୁ ନିଜ କବଜାରେ ରଖିଥିଲେ। ଏବେ ତାଙ୍କୁ ଅଧିକ ସୁଯୋଗ ମିଳିଲା। ଏଭଳି ଭଡ଼ାଟିଆ ଶାସନ ବ୍ୟବସ୍ଥାକୁ କଂଗ୍ରେସ ବିରୋଧ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହାସହିତ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅଘୋଷିତ ମେଂଟ ମଧ୍ୟ ପଦାରେ ପଡ଼ିଛି।

Advertisment

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆଗରୁ ସେ ଚାକିରିରେ ରହି ରାଜନୀତି କରୁଥିବାରୁ ତାଙ୍କୁ ବିରୋଧ କରାଯାଉଥିଲା । ଏବେ ତ ଖୋଲା ପଡ଼ିଆ ପଡ଼ିଛି । ରାଜ୍ୟର ସ୍ୱାର୍ଥ ଓ ନୈତିକତାକୁ ନେଇ ଲଢ଼େଇ ହେବ । ରାଜ୍ୟର ବିକୃତ ପ୍ରଶାସନିକ ବ୍ୟବସ୍ଥାକୁ ଆମେ ବିରୋଧ କରୁଛୁ । ପାଣ୍ଡିଆନ ଏବେ ଭିଆରଏସ୍ ନେଇସାରିଥିବାରୁ ସେ ରାଜନୀତି କଲେ ଆମର କିଛି ଆପତ୍ତି ନାହିଁ ।

ସେହିପରି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି । ରାଜ୍ୟରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପାଣ୍ଡିଆନ କାର୍ଯ୍ୟ କରୁଛନ୍ତି । ତେଣୁ ରାଜ୍ୟରେ  ବିକାଶ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ ହୋଇପାରିବ ।

State Bjp Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe