ଫିରିଙ୍ଗିଆ ଥାନା ପୋଡ଼ିର ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ପ୍ରଦେଶ କଂଗ୍ରେସ ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ  କହିଛନ୍ତି ଯେ, ନିରୀହ ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରୁଛି ।

ଓଡ଼ିଶା କଂଗ୍ରେସ କାର୍ଯ୍ୟାଳୟ

  • Published: Monday, 07 August 2023
  • , Updated: 07 August 2023, 10:25 PM IST

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଏପର୍ଯ୍ୟନ୍ତ ୧୯ଜଣ ଗିରଫ ହୋଇଥିବାବେଳେ କେଉଁ ପରିସ୍ଥିତିରେ ଫିରିଙ୍ଗିଆ ଥାନା ପୋଡ଼ିଲା ତା’ର ବିଚାର ବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ  କହିଛନ୍ତି ଯେ, ନିରୀହ ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରୁଛି । ଫିରିଙ୍ଗିଆରେ ଥାନା ପୋଡ଼ି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଥିବାର ଏକ ଜ୍ୱଳନ୍ତ ଉଦାହାରଣ । ତେବେ କେଉଁ ପରିସ୍ଥିତିରେ ସାଧାରଣ ଲୋକେ ଥାନା ପୋଡ଼ି ଭଳି ପଦକ୍ଷେପ ନେଲେ ତା'ର ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ । ଲୋକେ ଏଭଳି ଉତ୍ତ୍ୟକ୍ତ ହୋଇ ଥାନା ପୋଡ଼ିବା ଭଳି ଘଟଣା ଭିଆଇଲେ ତାହା କିପରି ଜିଲ୍ଲା ପୁଲିସର ଗୁଇନ୍ଦା ବିଭାଗ ଜାଣିପାରିଲା ନାହିଁ , ତାହା ବି ଏକ ବଡ଼ ପ୍ରଶ୍ନବାଚୀ । ଏହି  ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୁଲିସ୍ ଯେଉଁ ଆତଙ୍କରାଜ ସୃଷ୍ଟି କରିଛି ତାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରିଛି । କଲ୍ୟାଣସିଂହପୁରର ଡଙ୍ଗରିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କଂଗ୍ରେସ ନିନ୍ଦା କରିବା ସହ ରାଜ୍ୟ ସରକାର ଆଦିବାସୀମାନଙ୍କ ମାନସିକତାକୁ ନ ବୁଝି ଯେଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ତା'ର ପରିଣତି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି କଂଗ୍ରେସ ଚେତାଇ ଦେଇଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପଂଚାନନ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ମୁଖପାତ୍ର ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର ଓ କୃଷ୍ଣଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Related story