ଡିଏନ ଗ୍ରୁପ୍ ଓ ବରିଷ୍ଠ ସରକାରୀ ଅଫିସରଙ୍କ ସହଭାଗିତାରେ ଶହୀଦ ନଗରରେ ୧୫୦କୋଟିର ଜମି ଦୁର୍ନୀତି: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ପାରମିତା ସ୍ମାଟ ଇନ୍‌ଫ୍ରା କମ୍ପାନୀ ଶାନ୍ତିି ନଗର ଆବାସ ଯୋଜନା ପ୍ରକଳ୍ପର ଅଳ୍ପ କିଛି କାମ ଆରମ୍ଭ କରି କାମ ବନ୍ଦ କରି ଚାଲିଗଲା । ସରକାର ସେ ସମୟରେ ଏହି ଚୁକ୍ତିପତ୍ରକୁ ବାତିଲ କଲେ ନାହିଁ କାହିଁକି?

ଜଗଦୀଶ ପ୍ରସାଦ ନାଏକ

  • Published: Saturday, 08 July 2023
  • , Updated: 08 July 2023, 08:50 PM IST

ରାଜ୍ୟ ସରକାରଙ୍କ ବରିଷ୍ଠ ଅଫିସରମାନଙ୍କ ସହଭାଗିତାରେ ଡିଏନ ଗ୍ରୁପ୍ ରାଜଧାନୀ ଭୁବନେଶ୍ୱରରେ ଶହ ଶହ କୋଟି ଟଙ୍କାର ସରକାରୀ ଜମିକୁ ଶାଗମାଛ ହାତେଇଛି ଓ ଏହା ଓଡ଼ିଶା ସରକାରଙ୍କ ଡିଏନ ହୋମସ କମ୍ପାନୀ ପ୍ରୀତିକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ବସ୍ତିବାସିନ୍ଦାଙ୍କୁ ଘର ଦେବା ପାଇଁ ଶହୀଦନଗରର ୧୫୦ କୋଟି ଟଙ୍କାରୁ ଅଧିକ ଦରର ମୂଲ୍ୟବାନ ଜମିକୁ କିଭଳି ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପକୁ ଦିଆଯାଇଛି ତା’ର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଅମୀୟ ପାଣ୍ଡବ ମିଳିତ ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ଜମି ଦୁର୍ନୀତି ନବୀନ ପଟ୍ଟନାୟକ ସରକାର ଦ୍ୱାରା କରାଯାଇଛି ବୋଲି ତଥ୍ୟପ୍ରମାଣ ସହ କଂଗ୍ରେସ ଦାବି ରଖିଛି ।

କଂଗ୍ରେସ ଅଭିଯୋଗ କରିଛି ଯେ, ରାଜଧାନୀ ଭୁବନେଶ୍ୱରର ଶହୀଦନଗର ମହର୍ଷି କଲେଜ ପାଖରେ ଥିବା ୭ ଏକର ୭୯୭ ଡିସିମିଲ ଜମି ମଧ୍ୟରୁ ୪ ଏକର ୧୪୬ ଡିସିମିଲ ଜମି ଉପରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଘର ଦେବା ପାଇଁ ପିପିପି ମୋଡରେ ଶାନ୍ତି ନଗର ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତିି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ କର୍ତ୍ତୃପକ୍ଷ ଓ ପାରମିତା ସ୍ମାର୍ଟ ଇନଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏହି ଆବାସ ଯୋଜନା ପାଇଁ ଯେଉଁ ପ୍ରାଇଭେଟ ପାଟର୍ନର( ପାରମିତା ସ୍ମାର୍ଟ ଇନଫ୍ରା)କୁ ସ୍ଥିର କରିଛନ୍ତିି ସେ କମ୍ପାନୀଟି ୨୦୧୭ ମସିହା ମେ’ ୪ ତାରିଖ ଦିନ ରେଜିଷ୍ଟରର ଅଫ କମ୍ପାନୀ ଆକ୍ଟରେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଭାବେ ପଞ୍ଜିକୃତ ହୋଇଥିଲା । ରିଅଲ ଇଷ୍ଟେଟ କ୍ଷେତ୍ରରେ ବଡ଼ ବଡ଼ କୋଠା ବନାଇବାର କୌଣସି ପ୍ରକାରର ପୂର୍ବ ଅଭିଜ୍ଞତା ବି ଏହି କମ୍ପାନୀର ନଥିଲା । ଏ କମ୍ପାନୀର ମୁଖ୍ୟ କାମ ବଡ଼ ବଡ଼ ମେସିନକୁ ଭଡ଼ା ସୂତ୍ରରେ ଲଗାଇବା । ଏହି କମ୍ପାନୀର ସମୁଦାୟ ପୁଞ୍ଜି ଏକଲକ୍ଷ ଟଙ୍କା । କିନ୍ତୁ ସହଦୀନଗର ଶାନ୍ତିନଗର ଆବାସ ଯୋଜନା ପ୍ରକଳ୍ପରେ ୧୩ଟି ଫ୍ଲାଟ ଯେଉଁଥିରେ କି ପାଖାପାଖି ୬୦୦ ପରିବାର ରହିବେ ତାହା କିଭଳି ଏକଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରି ନିର୍ମାଣ କାମ କରିଥାନ୍ତା? କାହିଁକି ଓ କେଉଁ ପରିସ୍ଥିତିରେ ବିଡ଼ିଏ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏଭଳି ଏକ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କଲେ? ଏହା ପଛରେ ପ୍ରକୃତ ରହସ୍ୟ କ'ଣ? ଏ କମ୍ପାନୀ ଗଠନ ହେବାର ଅଳ୍ପ କେଇଦିନ ପରେ ଏହି କମ୍ପାନୀକୁ  କିପରି ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ହୋମସ୍ ଲିମିଟେଡ ଅଧିଗ୍ରହଣ କରିନେଲା ଏବଂ ଏ କମ୍ପାନୀର ପରିଚାଳନା ସଂପୂର୍ଣ୍ଣ ଦାୟିତ୍ୱ ଜଗଦୀଶ ନାଏକଙ୍କ ପାଖକୁ ଗଲା ତାହା ସବୁଠୁ ବଡ଼ ରହସ୍ୟମୟ ଓ ସନ୍ଦେହଜନକ । ଆଶ୍ଚର୍ଯ୍ୟର କଥା ଏହି କମ୍ପାନୀର ତିନି ଜଣ ନିର୍ଦ୍ଦେଶକଙ୍କର ମୋବାଇଲ ନମ୍ବର ସମାନ ଏବଂ ମେଲ୍ ଆଇଡି ମଧ୍ୟ ସମାନ । ଏହି ନୂଆ କମ୍ପାନୀ ଗଠନ ସମୟରେ ଯେଉଁ ମେଲ୍ ଆଇଡି ଦିଆଯାଇଥିଲା ତାହା ଡିଏନ ହୋମସର ଥିଲା । ଏହା କିଭଳି ସମ୍ଭବପର ହେଲା? ପାରମିତା ସ୍ମାଟ ଇନ୍‌ଫ୍ରା କମ୍ପାନୀ ଶାନ୍ତିି ନଗର ଆବାସ ଯୋଜନା ପ୍ରକଳ୍ପର ଅଳ୍ପ କିଛି କାମ ଆରମ୍ଭ କରି କାମ ବନ୍ଦ କରି ଚାଲିଗଲା । ସରକାର ସେ ସମୟରେ ଏହି ଚୁକ୍ତିପତ୍ରକୁ ବାତିଲ କଲେ ନାହିଁ କାହିଁକି? ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଡିଏନ୍ ହୋମସ୍ ଏହି କମ୍ପାନୀକୁ ଅଧିଗ୍ରହଣ କଲା ତାପରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି କାହିଁକି ଦେଲେ? ଏଥିରେ କ\'ଣ ସ୍ୱାର୍ଥ ଜଡ଼ିତ ରହିଛି ?  ସରକାର ଏବଂ ସରକାରୀବାବୁ ମାନେ ପ୍ରକୃତରେ ଏଥିପାଇଁ ଏକ ବୃହତ୍ ଷଡ଼ଯନ୍ତ୍ର ରଚନା କରିଛନ୍ତି କି? ପ୍ରକୃତ ଉଦ୍ଦେଶ୍ୟ ଡିଏନ ହୋମସ୍ ହାତରେ ଏହି ପ୍ରକଳ୍ପକୁ ଟେକିଦେବା ଏବଂ ଏହି ପ୍ରକଳ୍ପ ମାଧ୍ୟମରେ ଡିଏନ ହୋମସ୍‌କୁ ସହୀଦନଗର ଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ୨ଏକର ୧୦୦ ଡେସିମିଲି ଜମି ସେହି ପ୍ରୋଜେକ୍ଟରୁ ଦେବା ଏବଂ ବହୁତଳ ପ୍ରାସାଦ ନିର୍ମାଣ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ଖୋଦ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଏ ସମସ୍ତ ଘଟଣା ଜାଣି ମଧ୍ୟ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପଂହଚାଇବାର ଷଡ଼ଯନ୍ତ୍ର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଡିଏ କର୍ତ୍ତୃପକ୍ଷ ୨୦୨୨ ସେପ୍ଟେମ୍ବର ୨୦ତାରିଖରେ ଚିଠି ସଂଖ୍ୟା ୩୩୭୩୨ରେ ପାରମିତା ସ୍ମାଟ ଇନ୍‌ଫ୍ରା ଏସଏନଏ ପ୍ରାଇଭେଟ ଲିମିଟେଡକୁ (ଡିଏନ ହୋମସ)ର ୩୬ ମହଲା ବିଶିଷ୍ଟ ଘର କରିବାପାଇଁ ଅନୁମତି ପ୍ରଦାନ କରିଛନ୍ତିି । ଏଠି ଦୁଇଟି ଟାୱାର କରାଯିବ । ଗୋଟେ ଗୋଟେ ଟାୱାରରେ ପାଖାପାଖି ୧୦୦ରୁ ଅଧିକ ୪ କୋଠରି ବିଶିଷ୍ଟ ଏବଂ ୫ କୋଠରି ବିଶିଷ୍ଟ ଘର କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସହୀଦନଗର ଅଂଚଳର ଏକ ବର୍ଗଫୁଟ ଜମିର ବଜାର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ । ଦୁଇ ଏକର ୧୦୦ ଡିସିମିଲ ଜମିର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଏବଂ ଯେଉଁ ଘର ଗୁଡ଼ିକ ବନାଯାଉଛି ତାର ବିକ୍ରି ମୂଲ୍ୟ ୪କୋଟି ୬୦ଲକ୍ଷ ବୋଲି ଯାହା ଡିଏନ ହୋମସ ବିଜ୍ଞାପନ କରୁଛି । ପ୍ରୋଜେକ୍ଟର ନାମ କିଙ୍ଗସ୍ ଲ୍ୟାଣ୍ଡ ଦେଇଛି ।  ଏ ଅଳ୍ପ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଡିଏନ ହୋମସ ମାଲିକ ଜଗଦୀଶ ନାଏକଙ୍କୁ ସାଙ୍ଗରେ ନେଇ ବିଦେଶ ଗସ୍ତ କରିଥିଲେ । ରାଜ୍ୟ ସରକାର ଏହି ଡିଏନ ହୋମସ୍ ଗ୍ରୁପକୁ ୮ ନମ୍ବର ଅଂଚଳରେ ପୁରୁଣା ଓଇଆରସି ଅଫିସ୍ ନିକଟରେ ଏକ ହୋଟେଲ କରିବା ପାଇଁ ଏକର ପିଛା ୧ କୋଟି ଟଙ୍କାରେ ଜମି ଯୋଗାଇ ଦେଇଛନ୍ତି । ବାସ୍ତବରେ ସେ ଅଂଚଳ ଜମିର ସରକାରୀ ମୂଲ୍ୟ ଢ଼େର ଅଧିକ । ଏପରିକି ସେହି ଜମି ସାମନାରେ ଥିବା ସରକାରୀ କାର୍ଯ୍ୟାଳୟକୁ ରାଜ୍ୟ ସରକାର ମଧ୍ୟ ଭାଙ୍ଗି ଦେଇ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛିି । ଶ୍ରୀ ପାଣ୍ଡବ ଅଭିଯୋଗ କରିଛନ୍ତି ଯେ, ଡିଏନ୍ ଗ୍ରୁପ୍  ମାଲିକଙ୍କର ରାଜ୍ୟ ଶିଳ୍ପ ସଚିବ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଯେଉଁ ଦିଆନିଆ ସଂପର୍କ ରହିଛି ତାହାର ସମସ୍ତ ତଦନ୍ତ ହେବା ଉଚିତ । ରାଜ୍ୟରେ ରିଏଲ ଇଷ୍ଟେଟକୁ ଠିକ୍ ଢ଼ଙ୍ଗରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ‘ରେରା’ ଗଠନ କଲେ ।  କୋଟି କୋଟି ଟଙ୍କା ଡିଏନ ହୋମସ୍‌ରୁ ଠାବ ହେଲାପରେ ମଧ୍ୟ ଏପରିକି ଶହୀଦନଗର ପ୍ରୋଜେକ୍ଟର କାମ ଆରମ୍ଭ ପୂର୍ବରୁ ଗ୍ରାହକମାନଙ୍କ ପାଖରୁ ଅଗ୍ରୀମ ଟଙ୍କା ରଖିବା ଭଳି ବେଆଇନ କାର୍ଯ୍ୟର ତଦନ୍ତ କାହିଁକି ରେରା ନକରି ଚୁପ୍ ବସିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ରାଜଧାନୀର ହଜାର ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିଗୁଡ଼ିକ ଦୁର୍ନୀତି କଦାପି ଜଣେ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ । ଏଥିରେ ବହୁ ମୁଖ୍ୟମନ୍ତ୍ରୀଙ୍କ ଚର୍ତୁପାଶ୍ୱରେ ବୁଲୁଥିବା ଅଧିକାରୀ ଓ ରାଜନେତାମାନଙ୍କର ଷଡ଼ଯନ୍ତ୍ର ଯୋଗୁଁ ଏ କ୍ଷତି ହୋଇଛି । ଏଥିପାଇଁ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ଓ ସମସ୍ତ ଆର୍ଥିକ କାରବାରର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଗଲେ ରାଜ୍ୟର ସ୍ୱାର୍ଥ ରକ୍ଷା ହେବ ବୋଲି କଂଗ୍ରେସ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରଶ୍ମୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Related story