/odisha-reporter/media/post_attachments/uploadimage/library/16_9/16_9_0/Bhakta_Das_1739544147.jpg)
Bhakta Das
ରାଜ୍ୟର କଲେଜଗୁଡ଼ିକରେ ଗଣତାନ୍ତ୍ରିକ ପରମ୍ପରାକୁ ପୁନଃପ୍ରତିଷ୍ଠା କରିବା ପାଇଁ ଦୀର୍ଘ ୮ବର୍ଷ ଧରି ବନ୍ଦ ରହିଥିବା ଛାତ୍ରସଂସଦ ନିର୍ବାଚନକୁ ରାଜ୍ୟ ସରକାର ତୁରନ୍ତ ସମ୍ପନ୍ନ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଦଶହରା ଛୁଟି ପାଖେଇ ଆସୁଥିବାବେଳେ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ସରକାର କେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ୨୦୧୭-୧୮ ମସିହାରୁ ରାଜ୍ୟର କଲେଜଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ହୋଇ ରହିଛି । ବର୍ତ୍ତମାନର ବିଜେପି ସରକାର ଓ ପୂର୍ବ ବିଜେଡି ସରକାର ଉଭୟ ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରି ଦେଶନିର୍ମାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି । ଛାତ୍ର ରାଜନୀତି କଷ୍ଟସହିଷ୍ଣୁତା, ଆତ୍ମବିଶ୍ୱାସ, ପାରସ୍ପରିକ ସହଯୋଗ, ସେବା ମନୋଭାବ, ଦେଶପ୍ରେମ ଓ ଶୃଙ୍ଖଳା ଭଳି ମୂଲ୍ୟବାନ ଗୁଣଗୁଡ଼ିକୁ ବିକଶିତ କରେ, ଯାହା ଯୁବକମାନଙ୍କୁ ଦେଶର ପ୍ରକୃତ ନିର୍ମାଣକାରୀ ଭାବେ ଗଢ଼ି ତୋଳେ । ଛାତ୍ର ନିର୍ବାଚନ କେବଳ କ୍ୟାମ୍ପସ ନେତୃତ୍ୱ ନୁହେଁ, ଏହା ଯୁବକମାନଙ୍କୁ ଦେଶ ନିର୍ମାଣର ନେତା ଭାବେ ପ୍ରସ୍ତୁତ କରେ । ସ୍ୱାଧୀନ ଛାତ୍ର ନେତୃତ୍ୱର ଉତଥାନକୁ ଭୟ କରି ବିଜେଡି ଓ ବିଜେପି ଏହି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।
ସେହିପରି ପିସିସି ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ କହିଛନ୍ତି ଯେ, ଅତୀତରେ ଛାତ୍ରସଂସଦ ନିର୍ବାଚନରୁ ଜେବି ପଟ୍ଟନାୟକ, ଶ୍ରୀବଲ୍ଲଭ ପାଣିଗ୍ରାହୀ, ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ପଂଚାନନ କାନୁନଗୋ, ପ୍ରସାଦ ହରିଚନ୍ଦନ, ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସାହୁ, ପ୍ରତାପ ଜେନା, ସୁରେଶ ପୂଜାରୀ ଓ ମନମୋହନ ସାମଲ ଭଳି ନେତାମାନେ ଉଭା ହୋଇଛନ୍ତି । ଛାତ୍ର ରାଜନୀତି କେବଳ ରାଜନୈତିକ ନେତୃତ୍ୱ ନୁହେଁ, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶର ନେତୃତ୍ୱ ସୃଷ୍ଟି କରେ । ତେଣୁ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ସେ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକଙ୍କ ସମେତ ମନୋଜ ବିଶ୍ୱାଳ, ମନିଷା ଦାସପଟ୍ଟନାୟକ, ଅଶୋକ ସ୍ୱାଇଁ, ବିଭୂତି ମହାପାତ୍ର ଓ ଆଦିତ୍ୟ ପ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦିବଂଗତ ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିଲା ।
ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ର ବିଦା
ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଭଦ୍ରକ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଯାହାକି କଲେଜ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି କରିଛି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର କ୍ୟାମ୍ପସରେ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିବା ପାଇଁ ଦୀର୍ଘ ଦିନରୁ ଦାବି ଜାରି ରହଥିବାବେଳେ ଆଜି ହଷ୍ଟେଲଗୁଡ଼ିକ ବୁଲି କଲେଜ କର୍ତ୍ତୃକ୍ଷ ଓ ଅଧ୍ୟାପକମାନେ ପୁଲିସ ସହାୟତାରେ ଅଣଛାତ୍ରମାନଙ୍କୁ ବିଦା କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଅଣ-ଛାତ୍ରମାନଙ୍କୁ ବାହାର କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଣଛାତ୍ରମାନେ ବର୍ଷ ବର୍ଷ ଧରି ହଷ୍ଟେଲରେ ରହି ଆସୁଥିବା ଯୋଗୁଁ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ କମୁଥିବା ଅଭିଯୋଗ ହୋଇଛି । ସୁରକ୍ଷା ପାଇଁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅଣଛାତ୍ରମାନେ ହଷ୍ଟେଲ ଛାଡ଼ି ଦେଇ ଶିକ୍ଷଣୀୟ ବାତାବରଣ ତିଆରି କରିବାରେ ସହଯୋଗ କରନ୍ତୁ । ହଷ୍ଟେଲ ଫାଙ୍କା କରାଯାଇ ସିଲ କରାଯିବ, ପରେ ମରାମତି କରି ଛାତ୍ରମାନଙ୍କୁ ପୁନଃ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
