Advertisment

ସାହୁ ବ୍ରଦର୍ସଙ୍କ କଳାଟଙ୍କା: ଜୁଡିସିଆଲ ତଦନ୍ତ ଦାବି କଲା କଂଗ୍ରେସ

ରାଜ୍ୟ ସରକାର ଏନେଇ ଏସଆଇଟି ଗଠନ କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି ।

author-image
Ordigital Desk
odisha congress bhawan

odisha congress bhawan

ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ଏନେଇ ଏସଆଇଟି ଗଠନ କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି ।

Advertisment

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆୟକର ବିଭାଗ ଦ୍ୱାରା ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର ଇତ୍ୟାଦି ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଅଫିସ, କାରଖାନା, କର୍ମଚାରୀମାନଙ୍କ ଘର ଏବଂ ସେମାନଙ୍କ ବିଭିନ୍ନ ଠିକଣାରେ ଏକାଥରକେ ଚଢ଼ାଉ କରି ୩୦୦ କୋଟି ଟଙ୍କାରୁ ଅଧିକ ଜବତ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଦୀର୍ଘ ଚାରିଦିନ ପରେ ମଧ୍ୟ ଗଣତି ଏବଂ ଚଢ଼ାଉ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ । ଆୟକର ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ତରରେ ପ୍ରକୃତର କେତେ କୋଟି ଟଙ୍କା ଜବତ କରାଯାଇଛି ଏବଂ କେଉଁ କେଉ ମଦବ୍ୟବସାୟୀଙ୍କ ପାଖରୁ କେତେ କୋଟି ଟଙ୍କା ଜବତ କରାଯାଇଛି ତାହାକୁ ପ୍ରକାଶ କରାଯାଇ ନାହିଁ । ଓଡ଼ିଶାର ମଦବ୍ୟବସାୟୀ ରାଜକିଶୋର ସାହୁ, ଦେବରାଜ ସାହୁ, ବଳଦେବ ସାହୁ ଆଣ୍ଡ ସନ୍ସ, କାମେଶ୍ୱର ତିୱାରୀ, ରାଜକିଶୋର ଜୟସୁଆଲ ଓ ଅନ୍ୟମାନଙ୍କ ମଦ କାରଖାନା ଉପରେ ଚଢ଼ାଉ ଜାରି ରହିଛି । ଏହି କଳାଟଙ୍କାର ପ୍ରକୃତ ଉତ୍ସ କଣ ଏବଂ କିଭଳି ଏତେଗୁଡ଼ିଏ କଳାଟଙ୍କା ଏହି ମଦବ୍ୟବସାୟୀମାନେ କାହିଁକି ଠୁଳ କରିଥିଲେ ଏହାର ସତ୍ୟାସତ୍ୟ ରାଜ୍ୟବାସୀଙ୍କୁ ଜଣାଯାଉ ବୋଲି କଂଗ୍ରେସ ଦାବି କରୁଛି ।

ଯଦି ପ୍ରକୃତରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ଆୟକର ବିଭାଗ ରାଜ୍ୟବାସୀଙ୍କୁ ଏହାର ସଂପୂର୍ଣ୍ଣ ତଥ୍ୟ ତଥା ଏ କଳାଟଙ୍କାର ଉତ୍ସକୁ ଖୁଲାସା କରିବାକୁ ଚାହୁଁଛନ୍ତି ତାହାଲେ ତୁରନ୍ତ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରନ୍ତୁ ଏବଂ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ । କିଭଳି ସ୍ୱଳ୍ପ ଦିନ ଭିତରେ ଶହ ଶହ କୋଟି ଟଙ୍କା ମଦବ୍ୟବସାୟୀମାନେ ନିଜ ଘରେ ଏବଂ ନିଜ କାର୍ଯ୍ୟାଳୟରେ ଠୁଳ କରିପାରିଲେ । ଏହାର କାଣିଚାଏ ଖବର ରାଜ୍ୟ ସରକାରଙ୍କର ଅବକାରୀ ବିଭାଗର ଅଧିକାରୀ, ପୁଲିସ କିମ୍ବା ଗୁଇନ୍ଦା ବିଭାଗ ଏପରିକି କେନ୍ଦ୍ର ସରକାରଙ୍କର ଆୟକର ବିଭାଗ, ରେଭିନ୍ୟୁ ଇଂଟିଲିଜେନ୍ସ ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ କେହି କିଛି ଜାଣିପାରିଲେ ନାହିଁ, ତାହା ଆଶ୍ଚର୍ଯ୍ୟ କରୁଛି ।

Advertisment

ଯଦି ଏସବୁ ବିଭାଗ ପାଖରେ କିଛି ଖୋଜଖବର ନାହିଁ ତାହା ପରୋକ୍ଷରେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଜୁ ଜନତା ଦଳ ସରକାର ମଦ ବ୍ୟବସାୟୀଙ୍କୁ ବହୁ ମାତ୍ରାରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏସବୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବୁଝାମଣା ଭିତିରେ ଏ କାରବାର ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେ ଅଭିଯୋଗ କରିଛନ୍ତି ଯେ ଉଭୟ ବିଜେପି ଓ ବିଜେଡିର ନେତାମାନେ ଏହି ମଦ ବ୍ୟବସାୟୀଙ୍କ ସଂଗଠନରେ ଲାଭାର୍ଥୀ ଥିଲେ । ତେଣୁ ବିଚାରବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିପାରିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Congress ITRaid