
ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନୂଆ ଆଂଚଳିକ ରାଜନୀତିକ ଦଳ ଗଠନର ସମ୍ଭାବନା ଜୋର ଧରିଥିବାବେଳେ ବିଜେଡିରେ ଅସନ୍ତୁଷ୍ଟ ନେତାମାନେ ମଧ୍ୟ ଅନୁରୂପ ପ୍ଲାଟଫର୍ମ ସନ୍ଧାନରେ ରହିଥିବା ଚର୍ଚ୍ଚା ହେଉଛି । ମୋକିମଙ୍କ ସମ୍ଭାବ୍ୟ ଆଂଚଳିକ ଦଳ ପଛରେ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରିତ କରୁଥିବା କିଛି କର୍ପୋରେଟ ହାଉସ୍ ଓ ସେମାନଙ୍କର ପୃଷ୍ଠପୋଷକମାନେ ଥିବା ସନ୍ଦେହ କରାଯାଉଛି । ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ଏପ୍ରିଲ ମାସ ପୂର୍ବରୁ ସେଭଳି କୌଣସି ବଡ଼ଧରଣର ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ହଲଚଲ୍ ଓଡ଼ିଶାରେ ହେବାର ନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି ।
ମୋକିମଙ୍କ ଦକ୍ଷତାକୁ ପ୍ରଶଂସା, ଭକ୍ତ କହିଲେ ନୂଆ କାହାଣୀ
ଦଳବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କାର କରିବା ପରେ କଂଗ୍ରେସ ଏବେ ଦୁଇଭାଗରେ ବିଭକ୍ତ ହୋଇଛି । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଶରତ କୁମାର ରାଉତ ପ୍ରମୁଖ ବୁଲେଇବଙ୍କେଇ ଏଭଳି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ମୋକିମଙ୍କ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି । ଏହି ୩ଜଣ ବରିଷ୍ଠ ନେତାଙ୍କ ସହ ଆଜି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ସ୍ୱର ମିଳାଇଛନ୍ତି । ମୋକିମଙ୍କ ଦକ୍ଷତାକୁ ସେ ପ୍ରଶଂସା କରିଥିଲେ ମଧ୍ୟ ତାଙ୍କର ଚିଠି ଲେଖାକୁ ନାପସନ୍ଦ କରିଛନ୍ତି । ତେବେ ଭକ୍ତ ଦାସ ପିସିସି ସଭାପତି ହେବାପରେ ଦଳରେ ସୃଷ୍ଟି ହୋଇଥିବା ନୂଆ ଗୋଷ୍ଠୀ ଓ ସମୀକରଣ ଏବେ ଧୀରେଧୀରେ ଅଧିକ ଉଗ୍ର ହେବାରେ ଲାଗିଛି ।
ମୋକିମଙ୍କ ସହ ରାଜ୍ୟର କିଛି ଦଳୀୟ ବିଧାୟକ ଓ ପ୍ରଭାବଶାଳୀ ଯୁବ ନେତାମାନେ ମଧ୍ୟ ସିଧାସଳଖ ଯୋଗସୂତ୍ରରେ ରହିଥିବା ଜଣାପଡ଼ିଛି । ଯାହା କଂଗ୍ରେସକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ଭକ୍ତ ନିଜର ପତିଆରା ପ୍ରଦର୍ଶନ କରାଇବା ଓ ଏଆଇସିସି ଏହାକୁ ନିରବ ସମର୍ଥନ କରିବା ଏବେ ରାଜ୍ୟରେ କଂଗ୍ରେସକୁ ଅନିଶ୍ଚିତତା ଭିତରକୁ ଠେଲି ଦେବାରେ ଲାଗିଥିବା ଚର୍ଚ୍ଚା ହେଉଛି ।
ଭକ୍ତ ଆଜି ଭୁବନେଶ୍ୱରରେ ପହଂଚିବା ପରେ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ମୋକିମ୍ ଦଳ ଛାଡ଼ିବା ପାଇଁ ମାନସିକତା ପ୍ରସ୍ତୁତ କରିସାରିଛନ୍ତି । ମୋକିମ ଯେଉଁ ଚିଠି ଲେଖିଛନ୍ତି ତା’ର ବିଷୟବସ୍ତୁ ବିଜେପିର କୌଣସି ବଡ଼ ନେତୃତ୍ୱ ଦ୍ୱାରା ଡ୍ରାଫ୍ଟିଂ କରାଯାଇଛି । ତାଙ୍କର ଏହି ବୟାନ ହିଁ ମୋକିମଙ୍କ ବ୍ୟକ୍ତିଗତ ପଦକ୍ଷେପ ପଛରେ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଥିବାର ସଙ୍କେତ ଦେଉଛି ।
ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯଦିଓ ମୋକିମଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି କିନ୍ତୁ କଂଗ୍ରେସ ହାଇକମାଣ୍ଡଙ୍କୁ ଚ୍ୟାଲେଞ୍ଜ କରି ଲେଖିଥିବା ଚିଠିକୁ ଗଣମାଧ୍ୟମରେ ପ୍ରଚାର କରିବା ଶୃଙ୍ଖଳାହୀନତା ବୋଲି କହିଛନ୍ତି । ମୋକିମ୍ ଦଳ ପାଇଁ ସମ୍ପତି ଥିଲେ କିନ୍ତୁ କିନ୍ତୁ ଶୃଙ୍ଖଳା ଭଙ୍ଗ ହେଲେ ବ୍ୟକ୍ତିଗତ ସମ୍ପର୍କର କୌଣସି ମୂଲ୍ୟ ରହେନାହିଁ ।
ରାଜନୀତିକ ପାଣିପାଗକୁ ଉଷ୍ମ କଲେ ଅମର
ବରିଷ୍ଠ ନେତା ଅମର ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି, ବିଜେଡି ଓ କଂଗ୍ରେସ—ସମସ୍ତେ ଅନିଶ୍ଚିତତା ତଥା ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ବିକାଶ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ଆବଶ୍ୟକ, ଏହି ରାଜନୈତିକ ଅସ୍ଥିରତା ଯୋଗୁଁ ତାହା ବାଧାପ୍ରାପ୍ତ ହେଉଛି ଓ ଲୋକମାନେ ତା’ର କୁପରିଣାମ ଭୋଗୁଛନ୍ତି । ଆଗାମୀ ଦିନର ରାଜନୈତିକ ସ୍ଥିତି କଷ୍ଟକର ହେବାର ସମ୍ଭାବନା ରହିଛି, କାରଣ ବ୍ୟକ୍ତିଗତ ନିଷ୍ପତ୍ତିି ବଦଳରେ ଦଳୀୟ ରାଜନୀତିରେ ସମୀକରଣ ବଦଳିବାର ଆବଶ୍ୟକତା ରହିଛି । ଯଦିଓ ସେ ସିଧାସଳଖ ନୂଆ ଦଳ ଗଠନ ସମ୍ପର୍କରେ କିଛି କହିନାହାନ୍ତି ମାତ୍ର ବିଜେଡିରେ ବିଭାଜନର ସମ୍ଭାବନା ରହିଥିବାର ସଙ୍କେତ ଦେଇଛନ୍ତି । ସେ ଦିଲ୍ଲୀ ଯାଇ କିଛି ବରିଷ୍ଠ ନେତାମାନଙ୍କ ସହ ରାଜନୀତିକ ଆଲୋଚନା କରିଥିବାକୁ ସ୍ୱୀକାର କରିଛନ୍ତି । ଅମର ଏବେ ବିଜେଡିକୁ ନିଜକୁ ଦୂରେଇ ରଖିଛନ୍ତି ।
ମୋକିମଙ୍କ ସମ୍ଭାବ୍ୟ ଦଳ ଗଠନ ପଛରେ କିଏ?
ଚର୍ଚ୍ଚା ହେଉଛି ମୋକିମ୍ ନୂଆ ଆଂଚଳିକ ଦଳ ଗଠନ କରିବେ । କଂଗ୍ରେସ ଓ ବିଜେଡିର ଅସନ୍ତୁଷ୍ଟ ନେତାମାନେ ଏହି ଆଂଚଳିକ ଦଳରେ ସାମିଲ ହେବେ । ମାତ୍ର ରାଜନୀତିକ କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ ମୋକିମଙ୍କ ସମ୍ଭାବ୍ୟ ଦଳ ଗଠନ ପଛରେ ଯେଉଁମାନେ କାର୍ପେଟଦାର ଅଛନ୍ତି ସେମାନଙ୍କ ସହ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କର ମାନସିକତା ମେଳ ଖାଇବ ନାହିଁ । ବିଜେଡିର ଯେଉଁ ଅଘୋଷିତ ସର୍ବେସର୍ବାଙ୍କୁ ବିରୋଧ କରି ଦଳର ନେତାମାନେ ଏବେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ସେହି ପ୍ରାୟୋଜିତ ମଂଚରେ ଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିବା ସମ୍ଭାବନା କ୍ଷୀଣ । ଅବଶ୍ୟ କଂଗ୍ରେସରେ ଅସନ୍ତୁଷ୍ଟ ନେତାମାନଙ୍କୁ ମୋକିମଙ୍କ ନେତୃତ୍ୱରେ ଏକ ରାଜନୀତିକ ମଂଚ ମିଳିବାର ସମ୍ଭାବନା ବେଶ୍ ଅଧିକ ରହିଥିବା ଚର୍ଚ୍ଚା ହେଉଛି । ଭକ୍ତ ଦାସଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ମୋକିମ୍ ଏକାକୀ କାମ କରୁନାହାଁନ୍ତି । ତାଙ୍କୁ କୌଣସି ଏକ ଶକ୍ତିଶାଳୀ ଗୋଷ୍ଠୀ ବା ବାହ୍ୟ ରାଜନୈତିକ ଶକ୍ତିର ସମର୍ଥନ ମିଳୁଛି। ଯଦି ତାଙ୍କ ପଛରେ ବିଜେପିର ସମର୍ଥନ ରହେ, ତେବେ ଏହା କଂଗ୍ରେସ ପାଇଁ ଆହୁରି ଘାତକ ହେବ ଓ ଓଡ଼ିଶା ରାଜନୀତିକୁ ମଧ୍ୟ ଅଧିକ ଜଟିଳ କରିବ ।
ରାହା ଖୋଜୁଛନ୍ତି ବିଜେଡିର ଅସନ୍ତୁଷ୍ଟ
ମୋକିମଙ୍କ ସମ୍ଭାବ୍ୟ ଦଳ ଗଠନ ପଛରେ ଯେଉଁ ପ୍ରଭାବଶାଳୀ ଗୋଷ୍ଠୀ ରହିଛି ବୋଲି ଚର୍ଚ୍ଚା ହେଉଛି ସେମାନଙ୍କୁ ବିଜେଡିର ଅସନ୍ତୁଷ୍ଟ ନେତାମାନେ ଭରସା କରିବାର ସମ୍ଭାବନା କ୍ଷୀଣ । ଯଦିଓ ବିଜେଡିରେ ଅସନ୍ତୁଷ୍ଟ ନେତାମାନଙ୍କ ତାଲିକା ବେଶ୍ ଲମ୍ବା କିନ୍ତୁ ସେମାନେ ଦଳର ଅଘୋଷିତ ସର୍ବେସର୍ବା ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଜଡିତ ଥିବା କୌଣସି ରାଜନୀତିକ ଦଳ ବା ଫୋରମରେ ସାମିଲ ହେବାକୁ ଉଚିତ୍ ମଣିବେ ନାହିଁ ବୋଲି କୁହାଯାଉଛି । ତେଣୁ ବିଜେଡିର ଏହି ଅସନ୍ତୁଷ୍ଟ ନେତାମାନେ ନିଜର ରାଜନୀତିକ ଅସ୍ତିତ୍ୱ ଜାହିର ପାଇଁ ଏକ ସୁଦୃଢ଼ ପ୍ଲାଟଫର୍ମ ସନ୍ଧାନରେ ଅଛନ୍ତି । ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ଏହି ରାଜନୀତିକ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।
ତେବେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତାମାନଙ୍କ ଭିତରେ ବଢ଼ୁଥିବା ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମୋକିମଙ୍କ ପ୍ରସ୍ତାବିତ ଦଳ ଗଠନ ହେଲେ ତାହା ଉଭୟ ବିଜେଡି ଓ କଂଗ୍ରେସ ଉଭୟଙ୍କ ପାଇଁ ଏକ ବଡ଼ ରାଜନୈତିକ ଆହ୍ୱାନ ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
