Advertisment

୨୮ରେ BJDକୁ ଯାଇଥିଲେ, ୩୧ରେ କଂଗ୍ରେସକୁ ଫେରିଲେ, ନୂଆବର୍ଷରେ ପୁଣି ବିଜେଡିକୁ ଆସିଲେ

ବାଲେଶ୍ୱରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି। ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ପୁଣି ଥରେ ଭବ୍ୟ ସ୍ୱାଗତ କରାଯାଇଛି।

BJD

BJD

Advertisment

କୁହାଯାଏ ଏଣ୍ଡୁଅ ରଙ୍ଗ ବଦଳାଏ। ହେଲେ ଜଣେ ରାଜନେତା କ’ଣ ଏତେ ଶୀଘ୍ର ରଙ୍ଗ ବଦଳାଇପାରେ? ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ଗତ ୫ ଦିନ ଭିତରେ ଜଣେ ନେତା କଂଗ୍ରେସ ଓ ବିଜେଡି ଭିଡରେ ଡିଆଁ ମାରୁଛନ୍ତି। ଆଉ ତାଙ୍କୁ ନେବା ପାଇଁ ନେତାଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ଏମିତି ବାରମ୍ୱାର ରଙ୍ଗ ବଦଳାଉଥିବା ନେତା ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ଶ୍ରୀରାମପୁର ପଞ୍ଚାୟତର ଦେବ କୁମାର ଦେ।

Advertisment

ପୂରା ଘଟଣାଟି ଏମିତି। ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଦେବ କୁମାର ଦେ। ଏହାଛଡ଼ା ସେ ହେଉଛନ୍ତି ବାଲିଆପାଳ ବ୍ଲକ୍‌ ସରପଞ୍ଚ ସଂଘର ସଭାପତି। ତା’ସହ ବାଲେଶ୍ୱର-ଭଦ୍ରକ ସେବା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। କହିବାକୁ ଗଲେ ବସ୍ତା ନିର୍ବାଚନମଣ୍ଡଳୀରେ ସେ ଜଣେ ଜଣାଶୁଣା କଂଗ୍ରେସ ନେତା। ଦୀର୍ଘ ଦିନଧରି କଂଗ୍ରେସର ସ୍ୱାଦ ଚାଖିବା ପରେ ଶ୍ରୀ ଦେ’ ବିଜେଡିରେ ମିଶି ଥିଲେ। ଗତ ୨୮ରେ ସେ ବହୁ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଥିଲେ।

ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଶ୍ରୀ ଦେ’ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ତାଙ୍କ ପତ୍ନୀ ତଥା ବିଜେଡି ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ସ୍ୱାଗତ କରିଥିଲେ। ବିଜେଡିରେ ମିଶିବା ପରେ ନିଜ ସମର୍ଥକଙ୍କୁ ଧରି ବସ୍ତା ଫେରିଥିଲେ ଦେବ କୁମାର ଦେ। ହେଲେ ୪ ଦିନରେ ତାଙ୍କର ମୋହ ଭାଙ୍ଗି ଗଲା।

Advertisment

ରବିବାର ଶ୍ରୀ ଦେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସକୁ ଫେରିଥିଲେ। ଆଉ ବିଜେଡି ଉପରେ ବର୍ଷିଥିଲେ। କଂଗ୍ରେସର ଭାତୃତ୍ୱ ବନ୍ଧନ ଯୋଗୁ ଫେରିଆସିଥିବା ବାହାନା କରିଥିଲେ। ହେଲେ ସେ ଆଜି ପୁଣି ଥରେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବାଲେଶ୍ୱରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି। ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ପୁଣି ଥରେ ଭବ୍ୟ ସ୍ୱାଗତ କରାଯାଇଛି। ଯାହା ଏବେ ବାଲେଶ୍ୱର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ଦେ ଆଜି ବିଜେଡିକୁ ଫେରିଲେ ସତ, ହେଲେ କେତେ ଦିନ ରହୁଛନ୍ତି, ତାହା ଦେଖିବାର ବାକି ରହିଲା।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe