Advertisment

‘ଜଗନ୍ନାଥଙ୍କୁ ଭିକାରୀ ସଜେଇ ଦେଲେଣି, ଟ୍ରକରେ ସୋଲ ମୂର୍ତ୍ତି ବସାଇ ଚାଉଳ ମାଗୁଛନ୍ତି’

‘ସରକାର କେବେ ବି ମହାପ୍ରଭୁଙ୍କ ପ୍ରତି ଥିବା ଓଡ଼ିଆଙ୍କ ଭାବାବେଗକୁ ବୁଝି ନାହାନ୍ତି। ବୁଝିଥିଲେ ସେ ମହାପ୍ରଭୁଙ୍କୁ ଏପରି ଭାବେ ଚିତ୍ରଣ କରି ନ ଥାନ୍ତେ।’

author-image
Niharika Rout
ଅଦ୍ୟତନ ହୋଇଛି
Bijay Patnaik

Bijay Patnaik

ଶୌଚାଳୟ ଉଦ୍‌ଘାଟନ ପାଇଁ ହେଉଛି ଗୁଆ ନିମନ୍ତ୍ରଣ। ଏଥିପାଇଁ ରାଜ୍ୟ ସାରା ବୁଲୁଛି ପରିକ୍ରମା ରଥ। ଆଉ ଏହି ରଥରେ ମହିଳାମାନେ ଗୁଆ, ଅରୁଆ ଚାଉଳ ଅର୍ପଣ କରୁଛନ୍ତି। ଏହାଠୁ ହାସ୍ୟାସ୍ପଦ କଥା କିଛି ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଉ ଦିନକ ପରେ ଲୋକାର୍ପଣ ହେବ। ଏଥିପାଇଁ ପୂଜାପାଠ ସହ ହୋମ ଯଜ୍ଞ ବି ଆରମ୍ଭ ହୋଇ ସାରିଛି। ଏପରି ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନସ୍ଥଳୀ ବୋଲି ଭାବୁଛନ୍ତି। ସରକାର କେବେ ବି ମହାପ୍ରଭୁଙ୍କ ପ୍ରତି ଥିବା ଓଡ଼ିଆଙ୍କ ଭାବାବେଗକୁ ବୁଝି ନାହାନ୍ତି। ବୁଝିଥିଲେ ସେ ମହାପ୍ରଭୁଙ୍କୁ ଏପରି ଭାବେ ଚିତ୍ରଣ କରି ନ ଥାନ୍ତେ। ମହାପ୍ରଭୁ କ’ଣ ତାହା ପ୍ରତିଟି ଓଡ଼ିଆ ବୁଝିଛନ୍ତି। ମହାପ୍ରସାଦର ପ୍ରଚାର, ପ୍ରସାରର କୌଣସି ଆବଶ୍ୟକତା ନାହିଁ। ତାହାକୁ ପାଇବା ପ୍ରତିଟି ଓଡ଼ିଆଙ୍କର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଆଶା ଥାଏ। ମାତ୍ର ତାହାର ପ୍ରଚାର, ପ୍ରସାର ପାଇଁ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ବଛାଗଲା। ମହାପ୍ରସାଦର ପ୍ରଚାର ପାଇଁ ଜଣେ ଗୋମାଂସ ଭକ୍ଷଣକାରୀ ମହିଳାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇଲେ। ଏହା ଓଡ଼ିଆଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ।

Advertisment

ପରିକ୍ରମା ପ୍ରକଳ୍ପ ନାଁରେ କେବଳ ମେଘନାଦ ପାଚେରି ଚାରିପଟେ ଥିବା କିଛି ଘରକୁ ହଟାଇ ଦିଆଯାଇ ସେଠାରେ ୪ଟି ଶୌଚାଳୟ ନିର୍ମାଣ କରାଯାଇଛି। ଏବେ ଉକ୍ତ ଶୌଚାଳୟ ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିବା ହାସ୍ୟାସ୍ପଦ କଥା। ମନ୍ଦିରର ଫାଟ କିପରି ମରାମତି କରାଯିବ, ରାଜ୍ୟ ସରକାର ସେ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଶ୍ରୀ ପଟ୍ଟନାୟକ କହିଛନ୍ତି, ଜଗନ୍ନାଥଙ୍କୁ ଭିକାରୀ ସଜାଇ ସାରିଲେଣି ରାଜ୍ୟ ସରକାର। ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ବାହାନାରେ ମହାପ୍ରଭୁଙ୍କ ସୋଲ ନିର୍ମିତ ମୂର୍ତ୍ତିକୁ ଟ୍ରକରେ ବୁଲାଇ ଚାଉଳ ମଗାଯାଉଛି। ପ୍ରକୃତରେ ଓଡ଼ିଆଙ୍କ ଅସ୍ମିତା, ସ୍ୱାଭିମାନକୁ ବୁଝିଥିଲେ ସରକାର ଜଗନ୍ନାଥଙ୍କୁ ଭିକାରୀ କରିନଥାନ୍ତେ। ସଂଗ୍ରହ କରାଯାଉଥିବା ଚାଉଳରେ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

ଏହି ସବୁ ଭୁଲ ପାଇଁ ୧୭ ତାରିଖରେ ଶ୍ରୀମନ୍ଦିର ଆଗରେ ଠିଆ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗିବା ଉଚିତ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

କେବଳ ଏତିକି ନୁହେଁ, ରାଜ୍ୟ ସରକାର ସ୍କୁଲ, କଲେଜକୁ ବି ନିର୍ବାଚନୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ନିର୍ବାଚନୀ ପ୍ରକ୍ରିୟାକୁ ବି ନିଜ ଦଳ ସପକ୍ଷରେ ବ୍ୟବହାର କରୁଛନ୍ତି। କୌଣସି ଅନୁଷ୍ଠାନକୁ ଛାଡ଼ୁ ନାହାନ୍ତି। ସବୁ ଅନୁଷ୍ଠାନକୁ ନିଜ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।

ହସ୍ପିଟାଲ, ସ୍କୁଲକୁ ସବୁଜ ରଙ୍ଗ କଲେ, ପିଲାଙ୍କୁ ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧାଇଲେ, ଏବେ ମହାପ୍ରଭୁଙ୍କୁ ବି ଛାଡ଼ୁ ନାହାନ୍ତି। ମହାପ୍ରଭୁଙ୍କୁ ଟ୍ରକ୍‌ ପଛରେ ବସାଇ ବୁଲାଉଛନ୍ତି। ସେଥିରେ ଏକ ଗେଟ୍‌ ହୋଇଛି, ସେଥିରେ ନବୀନ ବାବୁ ଓ ପାଣ୍ଡିଆନ ବାବୁଙ୍କ ଫଟୋ ରହିଛି।

ଲୋକଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଦେବାକୁ ନବୀନ ବାବୁ କେବେ ବି ଭୃକ୍ଷେପ କରନ୍ତି ନାହିଁ। ସେ ଭାବୁଛନ୍ତି, ଟଙ୍କା ଦେଇ ଭୋଟ କିଣି ପୁଣି ନିର୍ବାଚିତ ହୋଇଯିବେ।

ବିଜେଡି ସବୁ ଦେବାଦେବୀଙ୍କୁ ନିଜ କାର୍ଯ୍ୟରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ମହାପ୍ରଭୁ, ସମଲେଶ୍ୱରୀ, କଟକ ଚଣ୍ଡୀଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି।

ବିଜୟଙ୍କ ସମାଲୋଚନା ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି। ଆଗରୁ ଅର୍ପଣ ରଥରେ ଜଗନ୍ନାଥଙ୍କୁ ବୁଲାଇବା ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

Congress Puri Shreemandir Srimandir Parikrama Project