Advertisment

ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ

୨୦୧୯ ନିର୍ବାଚନରେ ଜଳେଶ୍ଵରରୁ ପ୍ରାର୍ଥୀ ହୋଇଥିଲେ ସୁଦର୍ଶନ ଦାସ। କିନ୍ତୁ ଏଥର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ଜଳେଶ୍ଵରରୁ ଟିକେଟ ଦେଇଛି କଂଗ୍ରେସ ।

author-image
Manoj Swain
ଅଦ୍ୟତନ ହୋଇଛି
Congress Leader Sudarshan Das

Congress Leader Sudarshan Das

ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ। ଜଳେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ। ଜଳେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଦଳର ପ୍ରାର୍ଥୀ ଚୟନର ମାପକାଠିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

Advertisment

ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇ ପାରୁନାହିଁ। ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ଵର କଂଗ୍ରେସର ସେ ମଙ୍ଗ ଧରିଥିଲେ। ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନ ଗଢ଼ିଥିଲେ। ଜଳେଶ୍ଵର ବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଛନ୍ତି। ଚାଷୀଙ୍କ ଅଭାବୀ ଧାନ ବିକ୍ରି, ଟାଟା ପାୱାରର ଶୋଷଣ, ମଦ ଓ ନିଶାର ପ୍ରସାର, ଜଳ ନିଷ୍କାସନ ସମସ୍ୟା, ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେହିଭଳି ଭୂମିହୀନ ମାନଙ୍କୁ ଘରଡିହ ପଟ୍ଟା ଓ ବାସହୀନ ମାନଙ୍କୁ ଆବାସ ଯୋଜନାରେ ଘର, ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ଇତ୍ୟାଦିକୁ ନେଇ ଅନେକ କାର୍ଯ୍ୟକ୍ରମ ଜଳେଶ୍ଵରରେ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଲଗାତାର ଭାବରେ ବିଭିନ୍ନ କାର୍ଯ୍ୟକ୍ରମ କଲା ପରେ ଜଳେଶ୍ଵରରେ କଂଗ୍ରେସ ଦଳ ଶକ୍ତିଶାଳୀ ହୋଇଥିଲା ଓ ଜଳେଶ୍ଵର ବାସୀଙ୍କ ଭିତରେ ଦଳ ଜିତିବାର ଏକ ସମ୍ଭାବନା ସୃଷ୍ଟି ହୋଇଥିଲା। ରାଜ୍ୟର ପ୍ରବକ୍ତା ହିସାବରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଶାଣିତ ସ୍ୱର ଉଠାଇଥିଲେ। ରାଜୀବ ଗାନ୍ଧି ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ସଭାପତି ହିସାବରେ ରାଜ୍ୟ ତମାମ ବୁଲି ସଂଗଠନକୁ ସୁଦୃଢ କରିଥିଲେ। ପୁନଶ୍ଚ ନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ ସବୁ କାର୍ଯ୍ୟ କରିବାକୁ ଦଳ କହିଥିଲା ସେ ସବୁକୁ ଅତ୍ୟନ୍ତ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ମାତ୍ର ତାଙ୍କୁ ଦଳ ଟିକଟ ନଦେବା ପଛରେ କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

୨୦୨୩ ସେପ୍ଟେମ୍ବର ମାସରେ ତତ୍କାଳୀନ ଓଡ଼ିଶା ପାଇଁ ନିଯୁକ୍ତ ଏଆଇସିସି ପ୍ରଭାରୀ ଏ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓଡ଼ିଶାର ୪୨ ଜଣ ସମ୍ଭାବ୍ୟ ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସବୁଜ ସଂକେତ ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ଭୋଗରାଇ ପାଇଁ ସତ୍ୟଶିବ ଦାସ, ବସ୍ତା ପାଇଁ ବିଜନ ନାୟକ ଓ ଜଳେଶ୍ଵର ପାଇଁ ସୁଦର୍ଶନ ଦାସଙ୍କୁ ସଂକେତ ଦେଇ ନିର୍ବାଚନ ପ୍ରସ୍ତୁତିରେ ଆଗେଇ ଯିବାକୁ କହିଥିଲେ। ଏବେ ସେଥିରେ କାହିଁକି ପରିଵର୍ତନ ହେଲା ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି।

ତେବେ ଏହି ବିଷୟରେ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ପ୍ରମୁଖ ଦଳର ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଏକ ବିକଶିତ, ସ୍ଵାଭିମାନୀ ଓ ଦୁର୍ନୀତି ମୁକ୍ତ ଜଳେଶ୍ଵର ଗଢ଼ିବା ପାଇଁ ମୋର କାର୍ଯ୍ୟ ଜାରି ରହିବ। ରାହୁଲ ଗାନ୍ଧି ଯେଉଁ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି ସେଥିପ୍ରତି ଶତ ପ୍ରତିଶତ ଅଙ୍ଗୀକାରବଦ୍ଧ ହୋଇ କାମ କରିବାର ପ୍ରତିଶ୍ରୁତି ଦେବା ସହିତ ଦଳରେ ରହି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଓ ରାହୁଲ ଗାନ୍ଧିଙ୍କ ଆଦର୍ଶ ପ୍ରତି ବିଶ୍ଵାସ ଘାତକତା କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଶ୍ରୀ ଦାସ ସଂଗ୍ରାମ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏନେଇ ରାଜ୍ୟ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଜଳେଶ୍ଵରରୁ ପ୍ରାର୍ଥୀ ହୋଇଥିଲେ ସୁଦର୍ଶନ ଦାସ। କିନ୍ତୁ ଏଥର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ଜଳେଶ୍ଵରରୁ ଟିକେଟ ଦେଇଛି କଂଗ୍ରେସ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Odisha Congress Balasore