Advertisment

ଛତିଶଗଡ଼ ବିଧାନସଭା ନିର୍ବାଚନ: କଟିବ 25 କଂଗ୍ରେସ ବିଧାୟକଙ୍କ ଟିକେଟ!

25 ବିଧାୟକଙ୍କୁ ଏଥର ଟିକେଟ ନଦେବା ପାଇଁ ହେଉଥିବା ବିଚାର ଉପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହମତି ମଧ୍ୟ ଥିବା ଜଣାପଡ଼ିଛି।

author-image
Jitendra Garnayak
Bhupesh Baghel

Bhupesh Baghel

ଛତିଶଗଡ଼ରେ ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାସନ ଗାଦିରେ ବସିଥିବା କଂଗ୍ରେସ ଏହାର 25 ବିଧାୟକଙ୍କୁ ଟିକେଟ ଦେବ ନାହିଁ ବୋଲି ସୂଚନା ମିଳିଛି। ନକାରାତ୍ମକ ଭାବମୂର୍ତ୍ତି ଯୋଗୁ ସେମାନଙ୍କୁ ଟିକେଟ ନଦେବାକୁ ଦଳ ବିଚାର କରୁଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ ବିଧାୟକଙ୍କ ପ୍ରଦର୍ଶନ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟରେ ଏକାଧିକ ଥର ସର୍ଭେ କରାଯାଇଥିଲା। ସମସ୍ତ ସର୍ଭେ ପରେ ଦଳ ଜାଣିବାକୁ ପାଇଛି ଯେ ଏହାର 25 ଜଣ ବିଧାୟକଙ୍କ ଉପରେ ଲୋକେ ସନ୍ତୁଷ୍ଟ ନାହାନ୍ତି। ଜନମାନସରେ ସେମାନଙ୍କର ଭଲ ଭାବମୂର୍ତ୍ତି ନାହିଁ। ଦଳୀୟ ନେତୃତ୍ବ ଏ ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଉକ୍ତ 25 ବିଧାୟକଙ୍କୁ ଏଥର ଟିକେଟ ନଦେବା ପାଇଁ ହେଉଥିବା ବିଚାର ଉପରେ ଶ୍ରୀ ବାଘେଲ ହିଁ ଭରିଛନ୍ତି। ଯାହା ଦଳ ପାଇଁ ଭଲ ହେବ, ତାହା କରାଯିବା ଦରକାର ବୋଲି ସେ ଦଳୀୟ ନେତୃତ୍ବଙ୍କୁ କହିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲଙ୍କ ସବୁଜ ସଙ୍କେତ ପରେ ଦଳୀୟ ନେତୃବୃନ୍ଦ ଉତ୍ସାହିତ ହୋଇଯାଇଛନ୍ତି ଓ 25 ବିଧାୟକଙ୍କ ଟିକେଟ କାଟିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହା ଦଳ ପାଇଁ ଏତେ ସହଜ ହୋଇନପାରେ ବୋଲି କୁହାଯାଉଛି। ଛତିଶଗଡ଼ରେ କଂଗ୍ରେସର 71 ଜଣ ବିଧାୟକ ଥିବା ବେଳେ ସେମାନଙ୍କ ମଧ୍ୟରୁ 25 ଜଣଙ୍କ ଟିକେଟ କାଟିଲେ ଦଳୀୟ ନେତୃବୃନ୍ଦଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉକ୍ତ ବିଧାୟକ ଓ ସେମାନଙ୍କ ସମର୍ଥକମାନେ ଦଳ ବିରୋଧରେ ବିଦ୍ରୋହ କରିପାରନ୍ତି, ଯାହା ନିର୍ବାଚନ ସମୟରେ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ। ଏହାବାଦ୍ 25ଟି ଆସନରେ ଟାଣୁଆ ବିକଳ୍ପ ପ୍ରାର୍ଥୀ ଦେବା ଦଳ ପାଇଁ କାଠିକର ପାଠ ହୋଇପାରେ। 

Advertisment

90ଟି ଆସନ ବିଶିଷ୍ଟ ଶତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ (ନଭେମ୍ବର 7 ଓ 17) ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର 20 ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୩୦ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି।

Congress Chhattisgarh Assembly Election