Advertisment

ନବନିର୍ବାଚିତ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇବା ମୁଡରେ କଂଗ୍ରେସ

ଡିସେମ୍ବର ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସ୍ଥିତିକୁ ଦେଖି କଂଗ୍ରେସ ତା’ ବିଧାୟକମାନଙ୍କୁ ବେଙ୍ଗାଲୁରୁ ପଠାଇବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବ।

author-image
Hemant Lenka
Congress

Congress

ତେଲେଙ୍ଗାନାରେ କେସିଆରଙ୍କ ଶାସନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଫେଲ ମାରିବ ବିଜେପିର ସବୁ ରଣନୀତି। ବାଜିମାରିବ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକଜିଟ୍‌ ପୁଲରେ ଏପରି ଆକଳନ କରାଯିବା ପରେ ସବୁ ଦଳର ହୃଦସ୍ପନ୍ଦନ ବଢ଼ି ଯାଇଛି।

Advertisment

ଅଧିକାଂଶ ସଂସ୍ଥା କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ତେଲେଙ୍ଗାନାରେ ସରକାର ଗଠନ କରିବ ବୋଲି କହିଛନ୍ତି। ତଥାପି କ୍ଷମତାସୀନ କେସିଆର କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ କଂଗ୍ରେସ ସବୁ ପ୍ରକାରର ବିକଳ୍ପର ଦ୍ୱାର ଖୋଲା ରଖିଛି।

ଯଦି ତେଲେଙ୍ଗାନାରେ କେସିଆରଙ୍କ ବିଆରଏସ୍‌ ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ, ତା’ହେଲେ କଂଗ୍ରେସ ତା’ର ନବନିର୍ବାଚିତ ବିଧାୟକମାନଙ୍କୁ ବେଙ୍ଗାଲୁରୁ ପଠାଇ ଦେବ। ଘୋଡ଼ା ବେପାର ଆଶଙ୍କା କରି କଂଗ୍ରେସ ହାଇକମାଣ୍ଡ ଏପରି ଯୋଜନା କରିଛନ୍ତି।

Advertisment

ଡିସେମ୍ବର ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସ୍ଥିତିକୁ ଦେଖି କଂଗ୍ରେସ ତା’ ବିଧାୟକମାନଙ୍କୁ ବେଙ୍ଗାଲୁରୁ ପଠାଇବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବ।

ଏକଜିଟ ପୋଲ କଂଗ୍ରେସ ସପକ୍ଷରେ ରହିଥିବା ବେଳେ ଦଳର ରାଜ୍ୟ ସଭାପତି ଏ ରେବନ୍ଥ ରେଡ୍ଡୀ ମଧ୍ୟ ବିଜୟ ନେଇ ଦମ୍ଭୋକ୍ତି କରିଛନ୍ତି। କଂଗ୍ରେସ ବିଜୟ ହେବ ବୋଲି କୁହାଯାଉଥିଲେ ହେଁ ଦଳକୁ ଘୋଡ଼ା ବେପାର ଭୟ ମଧ୍ୟ ଘାରିଛି।

ଜଣେ ବରିଷ୍ଠ ନେତା କହିଛନ୍ତି, “ଯଦି କଂଗ୍ରେସ ୭୦ରୁ କମ ଆସନ ଜିତିବ, ତା’ହେଲେ ନବନିର୍ବାଚିତ ବିଧାୟକମାନଙ୍କୁ ବେଙ୍ଗାଲୁରୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ପଠାଯିବ। ସେମାନଙ୍କୁ ହୋଟେଲରେ ଏକାଠି ରଖାଯିବ।”

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୬୦। କିଛି ସଂସ୍ଥା କଂଗ୍ରେସ ବହୁତ କଷ୍ଟରେ ମ୍ୟାଜିକ ନମ୍ବର ହାସଲ କରିବ କହିଥିବା ବେଳେ ଆଉ କିଛି ଦଳ ଏକତରଫା ବିଜୟ ହାସଲ କରିବ ବୋଲି ଆକଳନ କରିଛନ୍ତି। ଏକଜିଟ ପୋଲ ପ୍ରକାଶ ପାଇବା ପରେ କଂଗ୍ରେସ ଦୁଇ ଜଣ ସଂଯୋଜକଙ୍କୁ ତେଲେଙ୍ଗାନା ପଠାଇଛି।

ବିଶେଷ କରି ଜିତିବାକୁ ଥିବା ନେତାଙ୍କ ନିର୍ବାଚନ ମଣ୍ଡଳୀ ଉପରେ ସଂଯୋଜକମାନଙ୍କ ନଜର ରହିବ। ପ୍ରଥମେ ନବନିର୍ବାଚିତ ବିଧାୟକମାନଙ୍କୁ ଗୁପ୍ତ ସ୍ଥାନକୁ ନିଆଯିବ। ସେଠାରୁ କାର ଯୋଗେ ସମସ୍ତେ ବେଙ୍ଗେଲୁରୁ ଯାଇପାରନ୍ତି।

Congress Telengana