Advertisment

କଂଗ୍ରେସ କନ୍ଦଳ ବଢ଼ିଲା, ସମର୍ଥକଙ୍କୁ ଧରି ଦିଲ୍ଲୀ ଗଲେ ତାରା

କୋରାପୁଟ ଜିଲ୍ଲା ସଭାପତି ଭାବେ ଗତ ୫ଦିନ ପୂର୍ବରୁ ଦୁର୍ଗାଶଙ୍କର ସାହୁଙ୍କୁ ନିଯୁକ୍ତି ମିଳିଛି । ୨୦୦୯ ମସିହାରୁ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଥିବା ମିନାକ୍ଷୀ ବାହିନୀପତିଙ୍କୁ ଗତ ମାସରେ ପିସିସି ସାଧାରଣ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଥିଲା ।

author-image
Ordigital Desk
Tara Prasad Bahinipati

Tara Prasad Bahinipati

କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଦା କରି ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି ମିଳିବା ପରେ କୋରାପୁଟରେ କଂଗ୍ରେସ କନ୍ଦଳ ବଢ଼ିବାରେ ଲାଗିଛି । ତାରା ଆଜି ନିଜର ପ୍ରାୟ ୧୦୦ରୁ ଅଧିକ ସମର୍ଥକଙ୍କ ସହ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ପତ୍ନୀ ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯିବାକୁ ତାରା ଓ ତାଙ୍କ ସମର୍ଥକମାନେ ସହଜରେ ହଜମ କରିପାରିନାହାନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ସଭାପତି ଭାବେ ଗତ ୫ଦିନ ପୂର୍ବରୁ ଦୁର୍ଗାଶଙ୍କର ସାହୁଙ୍କୁ ନିଯୁକ୍ତି ମିଳିଛି । ୨୦୦୯ ମସିହାରୁ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଥିବା ମିନାକ୍ଷୀ ବାହିନୀପତିଙ୍କୁ ଗତ ମାସରେ ପିସିସି ସାଧାରଣ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଜିଲ୍ଲା ସଭାପତି ପଦ ଛାଡ଼ିବାକୁ ମିନାକ୍ଷୀ ଓ ତାରା ଚାହୁଁନଥିବାରୁ ତାରା ନିଜର ସମର୍ଥକଙ୍କ ସହ ଭୁବନେଶ୍ୱରର କଂଗ୍ରେସ ଭବନକୁ ଆସି ଶକ୍ତି ପ୍ରଦର୍ଶନ କରିଥିଲେ । ଏହାର କିଛିଦିନ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ନିଜର କିଛି ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସି ଶକ୍ତି ଦେଖାଇଥିଲେ । ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ବିଧାୟକ ଶ୍ରୀ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମୁହାଁମୁହିଁ ହୋଇଥିବାବେଳେ ଗତ ୫ଦିନ ତଳେ ସାଂସଦ ଶ୍ରୀ ଉଲାକାଙ୍କ ସମର୍ଥକ ଶ୍ରୀ ସାହୁଙ୍କୁ ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଯାହାକୁ ତାରାଙ୍କ ସମର୍ଥକମାନେ ଖୋଲାଖୋଲି ବିରୋଧ କରିଛନ୍ତି । ତେବେ ଏହି ନିଯୁକ୍ତିକୁ ନେଇ ନିରବ ଥିବା ତାରା ଦିଲ୍ଲୀ ଯାଇ ଏଆଇସିସି କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀଙ୍କ ସମେତ ୧୦୦ରୁ ଅଧିକ କଂଗ୍ରେସ ନେତା ଓ କର୍ମୀ ବିଶାଖାପାଟଣା ଓ ରାୟଗଡ଼ାରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଏଆଇସିସିର ବରିଷ୍ଠ ନେତାମାନଙ୍କୁ ଭେଟି କୋରାପୁଟ କଂଗ୍ରେସରେ ଚାଲିଥିବା କନ୍ଦଳ ଓ ସାଂସଦ ଶ୍ରୀ ଉଲାକାଙ୍କ ବିରୁଦ୍ଧରେ ଫେରାଦ ହେବେ ବୋଲି ଜଣାପଡ଼ିଛି ।

Advertisment

ଏପଟେ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାରା ଓ ତାଙ୍କ ସମର୍ଥକମାନେ ଦିଲ୍ଲୀ ଯିବା ଖବର ତାଙ୍କ ପାଖରେ ନାହିଁ । ଦିଲ୍ଲୀ ଯିବାରେ କାହାକୁ ମନା ନାହିଁ । ଯଦି ଦିଲ୍ଲୀର ଲଡ଼ୁ ମିଠା ଲାଗିବ ତା’ହେଲେ ଆମେ ବି ଖାଇବୁ କହି ଶ୍ରୀ ସାହୁ ତାତ୍ସଲ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ କୋରାପୁଟ ଜିଲ୍ଲାରେ ଭଲ ସ୍ଥିତିରେ ଅଛି । ବିଜେଡିର ପ୍ରଭାବ ସତ୍ତ୍ୱେ ସେଠାରେ ତାରାଙ୍କ ପ୍ରଭାବ ରହିଛି ଓ କଂଗ୍ରେସକୁ ସଫଳତା ମିଳିଛି । ତଥାପି ତାରାଙ୍କୁ ଅଡ଼ୁଆରେ ପକାଇ କଂଗ୍ରେସ ସେହି ଜିଲ୍ଲାରେ ନିଜର ଗୋଡ଼ରେ କୁରାଢ଼ୀ ମାରିବାକୁ ପଛାଇ ନାହିଁ, ଯାହାକି ଜିଲ୍ଲାରେ କଂଗ୍ରେସର ପତନର କାରଣ ହେବ ବୋଲି ଚର୍ଚ୍ଚା ।

Congress Odisha Congress Koraput