Advertisment

ବିଜେଡିରେ ମିଶିବେ ତାରା, ଚାଲିଛି କ୍ଷେତ୍ର ପ୍ରସ୍ତୁତି

ତାରାଙ୍କ ଏଭଳି ଆଭିମୁଖ୍ୟ ପରେ କୋରାପୁଟ କଂଗ୍ରେସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ତାରାଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି

author-image
Ordigital Desk
ଅଦ୍ୟତନ ହୋଇଛି
BJD

BJD

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜୟପୁରକୁ ସରକାରୀ ଗସ୍ତ ସମୟରେ ସଭା ମଂଚରୁ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଗୁଣଗାନ ସହ ଯେଉଁ କିଛି ଦାବି ସେ ନିଜ ଭାଷଣରେ ରଖିଥିଲେ ତାକୁ ପୂରଣ ଦିଗରେ ସରକାରଙ୍କ ଦ୍ୱାରା ତତ୍କାଳ ପଦକ୍ଷେପ ନିଆଯିବା ଏବଂ ବିଶେଷକରି ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦଙ୍କୁ ମଂଚରୁ ଠେଲି ବିଦା କରାଯିବା ଘଟଣା ହିଁ ତାରାଙ୍କ ବିଜେଡିରେ ମିଶିବା ନିମନ୍ତେ ଚାଲିଥିବା କ୍ଷେତ୍ର ପ୍ରସ୍ତୁତିର ଅଂଶବିଶେଷ ବୋଲି ଚର୍ଚ୍ଚା । ଆଉ ତାରାଙ୍କ ଏଭଳି ଆଭିମୁଖ୍ୟ ପରେ କୋରାପୁଟ କଂଗ୍ରେସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ତାରାଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ପ୍ରାୟ ୧୬୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ସାମିଲ ହୋଇଥିଲେ । ସାଧାରଣତଃ ଯାହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେନି ସେଭଳି ଦୃଶ୍ୟ ପ୍ଲାଟିନମ ଜୁବୁଲି ଉତ୍ସବରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ମାତ୍ରାଧିକ ଗୁରୁତ୍ୱ ମିଳିଥିଲା । ତାରା ନିଜ ଭାଷଣରେ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ବିକ୍ରମଦେବ କଲେଜକୁ ଗୋଟିଏ ଅଡ଼ିଟୋରିୟମ, ଗୁପ୍ତେଶ୍ୱର ମନ୍ଦିରର ଉନ୍ନତିକରଣ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗରର ଉଦ୍ଧାର ଆଦି ନିମନ୍ତେ ଦାବି କରିଥିଲେ ।

ବିକ୍ରମଦେବ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥାଇ ବି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଗସ୍ତ ପୂର୍ବରୁ ଗତକାଲି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଘୋଷଣା କରିଥିଲେ ଓ ଯାହାକୁ ଅବିଭକ୍ତ କୋରାପୁଟବାସୀ ଦଳମତ ନିର୍ବିଶେଷରେ ପ୍ରଶଂସା କରିଥିଲେ । ଆଉ ଆଜି ତାରାଙ୍କ ଗୁରୁତ୍ୱ ବଢ଼ାଇବାକୁ ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ବିକ୍ରମଦେବ କଲେଜ ପରିସରରେ ଏକ ୧୦୦୦ସିଟ୍ ବିଶିଷ୍ଟ ଅଡିଟୋରିୟମ ନିମନ୍ତେ ମୁଖ୍ୟମନ୍ତ୍ରୀ ୮କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିବା ଘୋଷଣା କରିଥିଲେ । କେବଳ ସେତିକି ନୁହେଁ ତାରା ଯେଉଁ ସବୁ ଦାବି ରଖିଥିଲେ ସେଥିରୁ ଅଧିକାଂଶ ପୂରଣ ପାଇଁ ସରକାରୀସ୍ତରରେ ପ୍ରତିଶ୍ରୁତି ଦିଆଯାଇଛି । ଶ୍ରୀ ପାଣ୍ଡିଆନ ଆଜି ଗୁପ୍ତେଶ୍ୱର ଗୁପ୍ତେଶ୍ୱର ମନ୍ଦିର, ଶାବରୀ ଘାଟ, ଦମୟନ୍ତୀ ସାଗର, ଜଗନ୍ନାଥ ସାଗର ଆଦି ଗସ୍ତ କରି ଏସବୁର ଉଦ୍ଧାର ଓ ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଅନ୍ୟପଟେ ତାରାଙ୍କ କଟ୍ଟର ବିରୋଧୀ ତଥା ବିଜେଡିର ପୁରୁଖା ନେତା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କୁ ଯେଭଳି ଅପମାନିତ କରି ସଭାମଂଚରୁ ଠେଲି ଠେଲି ତଳକୁ ବିଦା କରାଗଲା ତାହା ବି କେବଳ ତାରାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି । ସରକାରୀ କାର୍ଯ୍ୟକ୍ରମରେ ତାରାଙ୍କ ଦ୍ୱାରା ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶ୍ରୀ ପାଣ୍ଡିଆନଙ୍କୁ ବାରମ୍ବାର ନମସ୍କାର ସହ ସମ୍ବର୍ଦ୍ଧନା ଦେବା ଓ ବବି ଦାସଙ୍କ ନାଁ ଉଚ୍ଚାରଣ ବାରମ୍ବାର କରିବାକୁ ନେଇ ମଧ୍ୟ ଜିଲ୍ଲା କଂଗ୍ରେସ ଶିବିରରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ କର୍ମୀମାନେ ଖୋଲାଖୋଲି ଭାବେ ତାରାଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିବାବେଳେ ବିଜେଡି ଆଗାମୀ ୨୦୨୪ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଏଭଳି ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।

ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଆଦି ଏବେ କେସିଆରଙ୍କ ବିଆରଏସ୍ ପାର୍ଟିରେ ସାମିଲ ହୋଇଥିବାରୁ ବିଜେଡି ସେଠାରେ ନିଜର ଗଡ଼ ବଂଚାଇବା ପାଇଁ ଏବେ ତାରାଙ୍କ ଉପରେ ନଜର ପକାଇଛି। ସମ୍ଭବତଃ ବିଜେଡିର ସହ ତାରାଙ୍କ ଡିଲ୍ ଚୂଡ଼ାନ୍ତ ହେବା ପରେ ସେ ଆଜି ଏଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।

BjD Congress Koraput Bjd Koraput