Advertisment

ମୋଦିଙ୍କ ‘ମୁସଲିମ ଲିଗ’ ବୟାନ ବିରୋଧରେ ଇସିରେ ପହଞ୍ଚିଲା କଂଗ୍ରେସ

ମୋଦି ଦେଇଥିବା ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

author-image
Hemant Lenka
PM Modi

PM Modi

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲିମ ଲିଗ୍‌ ଚିନ୍ତାଧାରା ସହ ତୁଳନା କରିଥିବାରୁ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସ ବିଧିବଦ୍ଧ ଭାବେ ଏପରି ବୟାନ ବିରୋଧରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ମୋଦି ଦେଇଥିବା ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

Advertisment

ରାଜସ୍ଥାନର ଆଜମେରରେ ମୋଦି ଏପ୍ରିଲ ୬ରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ମିଛର ଗନ୍ଥା ଘର ଓ ଏହାର ପ୍ରତିଟି ପୃଷ୍ଠା ଭାରତକୁ ଭାଗଭାଗ କରିବା ପାଇଁ ପ୍ରସ୍ତୁତ ହୋଇଛି ବୋଲି ଦାବି କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ବୟାନକୁ କଂଗ୍ରେସ ଜୋରଦାର ବିରୋଧ କରିଛି। ଦଳ କହିଛି ଯେ ବିଜେପି ଲୋକସଭା ନିର୍ବାଚନରେ ୧୮୦ ସିଟ୍‌ ପାର ହେବାକୁ ସଂଘର୍ଷ କରୁଥିବାରୁ ମୋଦି ଭୟଭୀତ ହୋଇ ପଡ଼ିଛନ୍ତି। ତେଣୁ କରି ସେ ହିନ୍ଦୁ-ମୁସଲିମ ସଂଳାପ ଆରମ୍ଭ କରି ଦେଇଥିବା ଦଳ ଅଭିଯୋଗ କରିଛି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମୋଦି-ଶାହଙ୍କ ରାଜନୀତିକ ଓ ବିଚାରଧାରାର ବଂଶଜମାନେ ବ୍ରିଟିଶ ଓ ମୁସଲିମ ଲିଗକୁ ସମର୍ଥନ କରିଥିଲେ। ସେମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଯାଇ ବ୍ରିଟିଶ ଓ ମୁସଲିମ ଲିଗକୁ ସମର୍ଥନ କରୁଥିଲେ।

ଆଜି ବି କଂଗ୍ରେସର ନ୍ୟାୟ ପତ୍ରକୁ ସେମାନେ ମୁସଲିମ ଲିଗ ସହ ଯୋଡ଼ୁଛନ୍ତି। ସାଧାରଣ ଭାରତୀୟଙ୍କ ଆଶା, ବିଶ୍ୱାସ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନ୍ୟାୟ ପତ୍ର ପ୍ରସ୍ତୁତ କରାଯାଇଥିବା ଖଡଗେ କହିଛନ୍ତି।

ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିଜର ଇତିହାସ ବୋଧେ ଜାଣି ନାହାନ୍ତି। ଆଉ କେହି ନୁହେଁ, ବରଂ ହିନ୍ଦୁ ମହାସଭାର ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ହିଁ ବେଙ୍ଗଲରେ ମୁସଲିମ ଲିଗ ସହ ଗଠନ ହୋଇଥିବା ମେଣ୍ଟ ସରକାରରେ ରହିଥିଲେ। କଂଗ୍ରେସ ନୁହେଁ, ବିଜେପି ହିଁ ବିଭେଦତା ରାଜନୀତିରେ ବିଶ୍ୱାସ କରେ।”

Congress PM Modi Eci Lok Sabha Election 2024