କେତେ ଥର ବାହା ହେଲା ବିଜେଡି!

ରାଜ୍ୟ କଂଗ୍ରେସର ଏପରି ରାଜନୀତିକ ତାମସା ପରେ ସ୍ୱାଭାବିକ ଭାବେ ଏକ ପ୍ରଶ୍ନ ଉଠିଛି- କେତେ ଥର ବାହା ହେବ କି ବିଜେଡି?

ବିଜେଡି- ବିଜେପି ବାହାଘର ।

  • Published: Friday, 26 January 2024
  • , Updated: 26 January 2024, 10:18 AM IST

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିବିଡ଼ ସଂପର୍କ ରହିଛି ବୋଲି ଅଭିଯୋଗ କରି ରାଜ୍ୟ କଂଗ୍ରେସ ନେତାମାନେ ବିଜେପି ଓ ବିଜେଡି ମଧ୍ୟରେ ଏକ ତାମସା ଆକାରେ ରାଜନୀତିକ ବିବାହ କରାଇଛନ୍ତି। କଂଗ୍ରେସ ନେତାମାନେ କହୁଛନ୍ତି ଯେ ଓଡ଼ିଶାରେ ବର ହେଉଛି ବିଜେପି ଓ କନ୍ୟା ହେଉଛି ବିଜେଡି। ବର ଯେମିତି କନ୍ୟାର ସମସ୍ତ ଦୋଷାଦୋଷ କ୍ଷମା କରେ ସେହିପରି ବିଜେଡିର ସମସ୍ତ ଦୁର୍ନୀତିକୁ କ୍ଷମା କରି ଦେଉଛି ବିଜେପି। କନ୍ୟା ଯେମିତି ବରର ସମସ୍ତ ଅତ୍ୟାଚାରକୁ ସହିଯାଏ ସେହିପରି ବିଜେପିର ସମସ୍ତ ଅତ୍ୟାଚାରକୁ ସହି ଯାଉଛି ବିଜେଡି। ତେଲଙ୍ଗନା ରାଜ୍ୟରୁ ଏପରି ଏକ ରାଜନୀତିକ ତତ୍ତ୍ୱ ଉଧାର ଆଣି ୨୦୨୪ ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ କଂଗ୍ରେସ ନେତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି ଓ ବିଜେଡି ମଧ୍ୟରେ ଏକ ବାହାଘର ତାମସା ଅଭିନୀତ କରାଇଛନ୍ତି।

ରାଜ୍ୟ କଂଗ୍ରେସର ଏପରି ରାଜନୀତିକ ତାମସା ପରେ ସ୍ୱାଭାବିକ ଭାବେ ଏକ ପ୍ରଶ୍ନ ଉଠିଛି- କେତେ ଥର ବାହା ହେବ କି ବିଜେଡି?

୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର କ୍ଷମତାସୀନ ହେବା ପରଠାରୁ ଜାତୀୟ ସ୍ତରରେ ବିଜେପି ଓ ବିଜେଡି ମଧ୍ୟରେ ସୁସଂପର୍କ ରହିଆସିଛି ବୋଲି ଓଡ଼ିଶାରେ କଂଗ୍ରେସ ପାର୍ଟି ଅଭିଯୋଗ କରିଚାଲିଛି। କେତେବେଳେ ବିଜେପିକୁ ବିଜେଡିର ‘ବି’ ଟିମ୍‌ ବୋଲି କୁହାଯାଉଛି ତ କେତେବେଳେ ବିଜେଡିକୁ ବିଜେପିର ‘ବି’ ଟିମ୍‌ ବୋଲି କୁହାଯାଉଛି। ସେମାନଙ୍କ ମଧ୍ୟରେ ଲିଭ୍‌ ଇନ୍‌ ରିଲେସନ ବା ସହବାସ ସଂପର୍କ ରହିଛି ବୋଲି ମଧ୍ୟ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କର ପ୍ରାୟ ସମସ୍ତ ବିଲ୍‌କୁ ବିଜେଡି ଅକୁଣ୍ଠ ସମର୍ଥନ ଦେବା, ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିବା, ଜାତୀୟ ସ୍ତରରେ ଏନଡିଏ ବିରୋଧୀ ନାନା ପ୍ରକାର ମେଳି ଓ ମହାମେଳିଠାରୁ ଦୂରେଇ ରହିବା, କେନ୍ଦ୍ର ସରକାରଙ୍କ କୌଣସି ନୀତି ଓ ନିଷ୍ପତ୍ତିକୁ ବିଜେଡି ବିରୋଧ ନକରିବା ଆଦି ଘଟଣାରୁ ସମାଲୋଚନା କରିବା ପାଇଁ କଂଗ୍ରେସ ଏପରି ଖିଅ ବାହାର କରିଛି। ସେହିପରି ସାରା ଭାରତରେ ଅଣବିଜେପି ତଥା ଅଣଏନଡିଏ ଦଳଗୁଡ଼ିକର ନେତାମାନଙ୍କ ବିରୋଧରେ ନାନାଦି ଦୁର୍ନୀତି ଓ ଅପରାଧ ଅଭିଯୋଗ ନେଇ କେନ୍ଦ୍ର ସରକାରଙ୍କ ଅଧୀନସ୍ତ ସିବିଆଇ ଓ ଇଡି ଆଦି ଅଭିଯାନ ଚଳେଇଥିଲେ ମଧ୍ୟ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେଲା ଶାସନରେ ଥିବା ବିଜୁ ଜନତା ଦଳର କୌଣସି ନେତା କିମ୍ବା ଏହି ସରକାରକୁ ନାନା ଭାବେ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା ଅଫିସରମାନଙ୍କ ବିରୋଧରେ ସେପରି ଅଭିଯାନ ନଚାଲିବା ଘଟଣାରୁ ମଧ୍ୟ ବିଜେଡି ପ୍ରତି ବିଜେପିର ଦରଦ ରହିଛି ବୋଲି କଂଗ୍ରେସ ଅଭିଯୋଗ କରୁଛି।

ତେବେ ୨୦୦୪-୧୪ ମଧ୍ୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଡକ୍ଟର ମନମୋହନ ସିଂହଙ୍କ ଉପା ସରକାର ଥିଲାବେଳେ ମଧ୍ୟ କଂଗ୍ରେସ ଓ ବିଜେଡି ମଧ୍ୟରେ ଏହିପରି ସଂପର୍କ ରହିଥିବା ଚର୍ଚ୍ଚାକୁ ଆସିଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ବିଜେଡି ଏନଡିଏର ଅଂଶୀଦାର ଥାଇ ମଧ୍ୟ କେନ୍ଦ୍ରରେ କଂଗ୍ରେସ ସହିତ ସଂପର୍କ ରଖିଥିଲା। ସୋନିଆ ଓ ନବୀନ ବ୍ୟକ୍ତିଗତ ବନ୍ଧୁ ହୋଇଥିବାରୁ ଏହା ସମ୍ଭବ ହୋଇଥିଲା। ରାଜ୍ୟରେ କେନ୍ଦ୍ର ଅବହେଳା କଥା ଉଠାଇ ନବୀନବାବୁ କଂଗ୍ରେସ ସହିତ ସଂପର୍କ ନାହିଁ ବୋଲି ବିଜେପି ନେତାମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ। ୨୦୦୯ ପରେ ରାଜ୍ୟ ଓ କେନ୍ଦ୍ରରେ ବିରୋଧୀ ଦଳରେ ଥିବା ଭାରତୀୟ ଜନତା ପାର୍ଟିର ନେତାମାନେ କଂଗ୍ରେସ ଓ ବିଜେଡିକୁ ପରସ୍ପରର ‘ବି’ ଟିମ୍‌ ଆଖ୍ୟା ଦେଉଥିଲେ। ସେତେବେଳେ କେନ୍ଦ୍ରରୁ ଓଡ଼ିଶା ଗସ୍ତରେ ଆସୁଥିବା କଂଗ୍ରେସ ମନ୍ତ୍ରୀମାନେ ନବୀନ ପଟ୍ଟନାୟକ ସରକାରକୁ ଭୂୟସୀ ପ୍ରଶଂସା କରୁଥିଲେ। ୨୦୦୮ କନ୍ଧମାଳ ଦଙ୍ଗା ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ତତ୍କାଳୀନ କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରି ନଥିଲେ। ପରେ ପରେ ୨୦୦୯ ମସିହାରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା ଓ ନବୀନ ସରକାରକୁ ବିଜେପି ସମର୍ଥନ ପ୍ରତ୍ୟାହାର କରିଥିଲା। ସେତେବେଳେ ନବୀନଙ୍କ ବିଜେଡି ସରକାର ସଂଖ୍ୟାଲଘୁ ହୋଇଯାଇଥିଲା। ବିଜେଡିର ମାତ୍ର ୬୧ ବିଧାୟକ ଥିଲେ। କିନ୍ତୁ କଂଗ୍ରେସ ସମେତ ତଥାକଥିତ ଅନ୍ୟ ଧର୍ମନିରପେକ୍ଷ ଦଳଗୁଡ଼ିକ ବିଜେଡିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ଯୋଗାଇବା ଫଳରେ ନବୀନ ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠି ରହିଲେ। ଉପା ସରକାରର ୧୦ ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟରେ ଅଣବିଜେପି ଅଣକଂଗ୍ରେସ ବିରୋଧୀ ଦଳଗୁଡ଼ିକ ଗୋଟିଏ ସ୍ଲୋଗାନ ଚଳାଇଥିଲେ- ନବୀନଙ୍କ ସ୍ଥାୟିତ୍ୱ, ସୋନିଆଙ୍କ ଦାୟିତ୍ୱ। ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟ ବିଜେପି ନେତାମାନେ ମଧ୍ୟ ସେହି ସ୍ଲୋଗାନ ଦୋହରାଇଥିଲେ।

ଏହା ପୂର୍ବରୁ ରାଜ୍ୟରେ ଜନତା ଦଳ ଭାଙ୍ଗି ବିଜୁ ଜନତା ଦଳ ଗଠନ ହେବା ପରଠାରୁ ରାଜ୍ୟ ଓ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ବିଜେଡି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଥିଲା। ନବୀନ ପଟ୍ଟନାୟକ ନିଜେ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। ଓଡ଼ିଶାରେ ମଧ୍ୟ ୨୦୦୦-୨୦୦୯ ଯାଏଁ ନବୀନବାବୁ ବିଜେଡି-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଥିଲେ। ପରେ ସେ କେବଳ ବିଜେଡି ମୁଖ୍ୟମନ୍ତ୍ରୀ ହେଲେ।

ଏସବୁ ରାଜନୀତିକ ପରିବର୍ତ୍ତନ ଭିତରେ ହିସାବ କଲେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିଜେପି ସହ ୧୯୯୯-୨୦୦୯ ପ୍ରଥମ ୧୦ ବର୍ଷ, ୨୦୦୪-୨୦୧୪ ପରୋକ୍ଷରେ କଂଗ୍ରେସ ସହ ଦ୍ୱିତୀୟ ୧୦ ବର୍ଷ ରହିବା ପରେ ୨୦୧୪ରୁ ୨୦୨୪ ମଧ୍ୟରେ କେନ୍ଦ୍ରର ମୋଦି ସରକାରଙ୍କ ସହ ଅଛି ବୋଲି ରାଜ୍ୟରେ ଗୋଟେ ଧାରଣା ସୃଷ୍ଟି ହୋଇଛି। ଅର୍ଥାତ କଂଗ୍ରେସ ତତ୍ତ୍ୱ ଅନୁସାରେ ବୁଝିଲେ ବିଜେଡି ଏହି ପ୍ରାୟ ତିନି ଦଶନ୍ଧି ମଧ୍ୟରେ ତିନି ଥର ବର ବଦଳାଇ ସାରିଛି!

Related story