Advertisment

RAJYASABHA ELECTION କଂଗ୍ରେସ ଖେଳିଲା ବୁଦ୍ଧିଜୀବୀ କାର୍ଡ,ଭକ୍ତ ଗଲେ ଦିଲ୍ଲୀ, ବିଜେଡି ଉପରେ ଚାପ

ଯଦି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଭଳି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଏକାଠି ହୋଇପାରୁଛନ୍ତି, ତେବେ ରାଜ୍ୟର ସ୍ୱାର୍ଥ ପାଇଁ ବୁଦ୍ଧିଜୀବୀ ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ଅସୁବିଧା କେଉଁଠି ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି ।

author-image
Prakaash Sethi
Cong-BJD

ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ଉଷ୍ମତା ମଧ୍ୟରେ କଂଗ୍ରେସ ନିଜର କାର୍ଡ ଖେଳିଛି। ସଂଖ୍ୟାଗଣିତରେ ପଛରେ ଥାଇ ମଧ୍ୟ ରାଜ୍ୟସଭା ନିର୍ବାଚନ ମଇଦାନରେ ରାଜ୍ୟର ବୁଦ୍ଧିଜୀବୀଙ୍କୁ ପ୍ରାର୍ଥୀ କରି ପ୍ରସଙ୍ଗଭିତ୍ତିକ ସମର୍ଥନ ପାଇଁ ବିଜେଡିକୁ ଆହ୍ୱାନ କରି ପିସିସି ସଭାପତି ଭକ୍ତ ଦାସ ନୂଆ ଗୋଟିଚାଳନା କରିଛନ୍ତି।

Advertisment

 ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଭକ୍ତଙ୍କ ବୟାନ ରାଜନୀତିକ ପାଣିପାଗକୁ ଉଷ୍ମ କରିଛି। ସଂଖ୍ୟା ଗଣିତରେ କଂଗ୍ରେସ ପଛରେ ଥିଲେ ମଧ୍ୟ ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ଭକ୍ତଙ୍କ ଦିଲ୍ଲୀ ଗସ୍ତ ଓ ପ୍ରାର୍ଥୀ ଚୟନରେ ବୁଦ୍ଧିଜୀବୀଙ୍କୁ ଗୁରୁତ୍ୱ ଦେବା ଏକ ନୂଆ ସମୀକରଣର ସଙ୍କେତ ଦେଉଛି ବୋଲି ଚର୍ଚ୍ଚା।


କଂଗ୍ରେସର ବୁଦ୍ଧିଜୀବୀ କାର୍ଡ ଓ ଦିଲ୍ଲୀ ଗଲେ ଭକ୍ତ

ରାଜ୍ୟସଭା ପାଇଁ କଂଗ୍ରେସ ଏଥର କୌଣସି ପାରମ୍ପରିକ ରାଜନେତାଙ୍କ ପରିବର୍ତ୍ତେ ରାଜ୍ୟର ପ୍ରମୁଖ ବୁଦ୍ଧିଜୀବୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଧାନସଭାରେ ଦଳର ସଂଖ୍ୟା ନଥାଇ ମଧ୍ୟ ଚଳିତ ରାଜ୍ୟସଭା ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇବାକୁ ଭକ୍ତ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଭକ୍ତ ରାଜ୍ୟର ୫ଜଣ ବୁଦ୍ଧିଜୀବୀଙ୍କ ନାଁ ଘୋଷଣା କରି ଚକିତ କରିଛନ୍ତି। ସେ କହିଛନ୍ତି ଯେ, ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ କଲେ ଓଡ଼ିଶାର ସ୍ୱାର୍ଥ ରହିବ। ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଯାଉଛି।

Advertisment

 ରାଜ୍ୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପିକେ ରାୟ, ପୂବର୍ତନ କୂଟନୀତିଜ୍ଞ ଲଳିତ ମାନସିଂହ, ବିଶିଷ୍ଟ ଚିକିତ୍ସକ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଡାକ୍ତର ଦତେ୍‌ତଶ୍ୱର ହୋତାଙ୍କ ଭଳି ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ କଂଗ୍ରେସ ରହିଛି। ଏଭଳି ହେଭିୱେଟ ଚେହେରାଙ୍କୁ ପ୍ରାର୍ଥୀ କରି କଂଗ୍ରେସ କେବଳ ଦଳୀୟ ସ୍ୱାର୍ଥ ନୁହେଁ ବରଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏକ ବଡ଼ ବାର୍ତ୍ତା ଦେବାକୁ ଚାହୁଁଛି। ଭକ୍ତଙ୍କ କହିବା କଥା ହେଉଛି, ଯଦି ଏହି ପ୍ରତିଭାବାନ ବ୍ୟକ୍ତିଙ୍କୁ ବିଜେଡି ସମର୍ଥନ କରେ, ତେବେ ରାଜ୍ୟର ସ୍ୱର ସଂସଦରେ ମଜବୁତ ହେବ ଓ ରାଜନୀତିରେ "ଘୋଡ଼ା ବେପାର" ରୋକାଯାଇପାରିବ।


ପ୍ରସଙ୍ଗଭିତ୍ତିକ ରାଜନୀତି ଓ ରାଜ୍ୟସଭା ପାଇଁ ମ୍ୟାଜିକ ନମ୍ବର

ଗତକାଲି ବିଜେଡି ୬ ସେଟ୍ ନାମାଙ୍କନ ଫର୍ମ ନେଇଥିବାବେଳେ କଂଗ୍ରେସ ଆଜି ୩ ସେଟ୍ ଫର୍ମ ନେଇ ରାଜ୍ୟସଭା ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇବ ବୋଲି ସଙ୍କେତ ଦେଇଛି । ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଫର୍ମ ନେବା ପରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏପଟେ ଭକ୍ତଦାସ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବା ପାଇଁ ବିଜେଡିକୁ ଆହ୍ୱାନ କରିବା ପରେ ବିଜେଡି ଉପରେ ଚାପ ସୃଷ୍ଟି ହେଶଇଛି । ଭକ୍ତ ନିଜର ଯୁକ୍ତିକୁ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ଯଦି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଭଳି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଏକାଠି ହୋଇପାରୁଛନ୍ତି, ତେବେ ରାଜ୍ୟର ସ୍ୱାର୍ଥ ପାଇଁ ବୁଦ୍ଧିଜୀବୀ ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ଅସୁବିଧା କେଉଁଠି ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି ।

 
ବିଧାନସଭାର ସ୍ଥିତି ଅନୁଯାୟୀ ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ପାଇଁ ଅତିକମରେ ୩୦ଟି ପ୍ରଥମ ପସନ୍ଦ ଭୋଟର ଆବଶ୍ୟକତା ରହିଛି। ବିଜେଡି ପାଖରେ ୪୮ ଜଣ ବିଧାୟକ ଥିବାରୁ ଜଣେ ପ୍ରାର୍ଥୀଙ୍କୁ ଜିତାଇବା ପରେ ସେମାନଙ୍କ ପାଖରେ ମାତ୍ର ୧୮ଟି ଭୋଟ ବଳକା ରହିବ।

 ଅନ୍ୟପଟେ ଶାସକ ବିଜେପି ପାଖରେ ୩ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ୍ ୮୨ ଜଣ ସଦସ୍ୟ ଥିବାରୁ ସେମାନେ ସହଜରେ ଦୁଇଜଣଙ୍କୁ ଜିତାଇବା ପରେ ବି ତୃତୀୟ ପ୍ରାର୍ଥୀଙ୍କ ପାଇଁ ୨୨ ଜଣଙ୍କ ସମର୍ଥନ ରଖିଛନ୍ତି। ଶାସକ ଦଳର ପ୍ରାର୍ଥୀଙ୍କ ବିଜୟ ମାର୍ଗରେ ପ୍ରତିବନ୍ଧକ ହେବା ପାଇଁ କଂଗ୍ରେସ ଏବେ ରାଜ୍ୟର ପ୍ରମୁଖ ବୁଦ୍ଧିଜୀବୀ ଚେହେରାଙ୍କୁ ଆଗକୁ ଆଣି ବିଜେଡଠୁ ସମର୍ଥନ ଲୋଡ଼ିଛି। ଯଦି ବିଜେଡି ଓ କଂଗ୍ରେସ ମିଳିତ ଭାବେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦିଅନ୍ତି ତା’ହେଲେ ତାଙ୍କର ଜିତିବା ସହଜ ହେବ। ଯଦିଓ ଏହା ଶୁଣିବାକୁ ସହଜ କିନ୍ତୁ ବିଜେଡିର ରାଜନୀତିକ ଆଭିମୁଖ୍ୟକୁ ଦେଖିଲେ ଏଭଳି ସମୀକରଣ ବାସ୍ତବ ରୂପ ନେବା ସମ୍ଭବପର ନୁହେଁ।


ବିଜେଡି ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ପାଇଁ ଭକ୍ତଙ୍କ ରଣନୀତି

ପିସିସି ସଭାପତି ଭକ୍ତ ଦାସଙ୍କୁ ନେଇ କଂଗ୍ରେସ ବିଧାୟକ ଦଳରେ ଫାଟ ଥିବା ଓ ଦଳର ୧୪ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬ଜଣ ଭକ୍ତଙ୍କ ସପକ୍ଷରେ ନଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଏପଟେ ଭକ୍ତ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅଘୋଷିତ ବୁଝାମଣାକୁ ପଦାରେ ପକାଇବା ଓ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ‘ବୁଦ୍ଧିଜୀବୀ କାର୍ଡ’ ଖେଳି ଚାପ ପକାଇବାକୁ ପ୍ରୟାସ କରିଛନ୍ତି।

ବିଜେଡି ସବୁବେଳେ କେନ୍ଦ୍ର ସହ ସମଦୂରତା ରଖିବା କଥା କହୁଥିବାରୁ, କଂଗ୍ରେସ ସେମାନଙ୍କୁ ଏହି ବୁଦ୍ଧିଜୀବୀ ପ୍ରାର୍ଥୀଙ୍କ ବାହାନାରେ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛି। ଯଦି ବିଜେଡି କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପିର ତୃତୀୟ ପ୍ରାର୍ଥୀଙ୍କ ବିଜୟ ସହଜ ହେବନାହିଁ। ଏହା ମଧ୍ୟ ରାଜ୍ୟରେ ବିରୋଧୀ ଦଳ ମଧ୍ୟରେ ଏକତାର ପ୍ରମାଣ ଦେବ ଓ ଶାସକ ବିଜେପିକୁ ମଧ୍ୟ ଚେକ୍ ଦେବାରେ ଦୁଇ ଦଳ ସକ୍ଷମ ହେବେ। କଂଗ୍ରେସର ଶୀର୍ଷ ନେତୃତ୍ୱ ମଧ୍ୟ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେଡି ନେତୃତ୍ୱଙ୍କ ସହ ଆଲୋଚନା କରିଥିବାର ଚର୍ଚ୍ଚା ହେଉଛି। ତେଣୁ ବିଜେପି ଓ ବିଜେଡି ରାଜ୍ୟସଭା ନିର୍ବାଚନରେ କେତେଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଉଛନ୍ତି ଓ ସେମାନଙ୍କର ତା’ଉପରେ ଆଭିମୁଖ୍ୟ କ’ଣ ରହୁଛି ତା’ ଉପରେ ଭକ୍ତଙ୍କ ଗୋଟିଚାଳନା ନିର୍ଭର କରୁଛି ବୋଲି ଚର୍ଚ୍ଚା।