୨୯ରେ ‘ଓଡ଼ିଶା ବଂଚାଅ’ ସମାବେଶ କରି ଦମ୍ ଦେଖାଇବ କଂଗ୍ରେସ

ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ରାଜ୍ୟର ୫୨% ଲୋକ ଦରିଦ୍ର ହୋଇ ରହିଛନ୍ତ । ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜିକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି ।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ(ଫାଇଲ ଫଟୋ)

  • Published: Saturday, 27 January 2024
  • , Updated: 27 January 2024, 10:27 PM IST

ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ୨୯ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶ କରି ଦମ୍ ଦେଖାଇବ କଂଗ୍ରେସ । ଏହି ସମାବେଶରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ଏନେଇ ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପିସିସି ମିଡିଆ ସେଲ୍ ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ, ଆସନ୍ତା ୨୯ତାରିଖରେ ଭୁବନେଶ୍ୱରର ଲୋଏର ପିଏମଜିଠାରେ ଓଡ଼ିଶା ବଂଚାଅ ସମାବେଶ ଆୟୋଜନ କରାଯାଇଛି । ଏଥିରେ କଂଗ୍ରେସ କର୍ମୀ ଓ ନେତାମାନଙ୍କ ସହ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ଯୋଗ ଦେବେ । କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଉଥିବା ଲୋକମାନେ ଏହି ସମାବେଶରେ ସାମିଲ ହେବାକୁ ଦଳର ନେତାମାନେ ଆହ୍ୱାନ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡଗେ ଏହି ସମାବେଶକୁ ସମ୍ବୋଧିତ କରିବେ । ଏଆଇସିସି ଅଧ୍ୟକ୍ଷ ହେବାପରେ ଶ୍ରୀ ଖଡଗେଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।

ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ରାଜ୍ୟର ୫୨% ଲୋକ ଦରିଦ୍ର ହୋଇ ରହିଛନ୍ତ । ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜିକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି । ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଦୁର୍ନୀତି ଚରମସୀମାରେ ପହଂଚିଛି । ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡ଼ଯନ୍ତ୍ର ରଚାଯାଉଛି । ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ । ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି । ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ ବୋଲି ଦଳ ନେତାମାନେ କହିଛନ୍ତି ।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ । ଏବେ ଉଭୟ ବିଜେଡି ଓ ବିଜେପର ଚୋରା ପୀରତି ଧରାପଡ଼ି ଯାଇଛି । ୧୦ ବର୍ଷ ମିଶି ସରକାର କରିବା ପରେ ଏବେ ଦୁଇ ଦଳର ଲିଭ୍ ଇନ୍ ରିଲେସନସିପ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେଡି ୨୪ ବର୍ଷ ପରେ ନୂଆ-ଓଡ଼ିଶା ଗଢ଼ିବା କଥା କହୁଛି । ୨୩ବର୍ଷ ଧରି କାହିଁକି ଗଢ଼ି ପାରିଲେନି । ଏବେ ଉଭୟ ବିଜେପି ଓ ବିଜେଡିର ଚିତ୍ର ଓ ଚରିତ୍ରକୁ ରାଜ୍ୟବାସୀ ବୁଝିସାରିଲେଣି ଓ ସେମାନଙ୍କୁ ହଟାଇବାର ସମୟ ଆସିଯାଇଛି ବୋଲି କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପିସିସି ସହପ୍ରଭାରୀ ସାହାନାୱାଜ ଚୌଧୁରୀ ଏବଂ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

Related story