Advertisment

କଳାବେଲୁନ୍ ଦେଖାଇ କଂଗ୍ରେସ କଲା ବିକ୍ଷୋଭ: ବିଜେପି କହିଲା ଦୁର୍ଭାଗ୍ୟଜନକ, ଏବେ ପକ୍ଷାଘାତରେ ଶିକାର ହୋଇଛି ଦଳ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଚାଲିଛି

Congress

Congress

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତକୁ ଆଜି ବିରୋଧ କରିଛି କଂଗ୍ରେସ । ମୁଣ୍ଡରେ କଳାପଟି ବାନ୍ଧି କଳା ବେଲୁନ୍ ଦେଖାଇ କଂଗ୍ରେସ ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । କଂଗ୍ରେସ ଏବେ ସମଗ୍ର ଦେଶରେ ପକ୍ଷାଘାତର ଶିକାର ହୋଇଛି ଓ ଦଳର ଅସ୍ତିତ୍ୱ ଏବେ ହଜିବାରେ ଲାଗିଛି ବୋଲି ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି ।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଚାଲିଛି । ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଆଉ ଏଭଳି ସମୟରେ କଂଗ୍ରେସର ବିକ୍ଷୋଭ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମଗ୍ର ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି । ଏଭଳି ସମୟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ନିନ୍ଦନୀୟ । ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାରେ ମୋହନ ମାଝିଙ୍କ ସରକାର ମଧ୍ୟ ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତିି ।  କଂଗ୍ରେସ ଦଳ ଏବେ ଲୋକ ବିରୋଧୀ ହୋଇଯାଇଛି । ଦେଶ ଏବଂ ଓଡ଼ିଶାର ଲୋକେ କ'ଣ ଚାହୁଁଛନ୍ତି ସେଥିପ୍ରତି କଂଗ୍ରେସ ଦଳର ନଜର ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଆମ ରାଜ୍ୟରେ ୩ଦିନ ରହିବା ସମସ୍ତଙ୍କ ପାଇଁ ଗୌରବର ବିଷୟ । ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଏହା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ି ହେବାକୁ ଯାଉଛି । ମାତ୍ର କଂଗ୍ରେସ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛି । 

କଂଗ୍ରେସ ଦଳର ଅସ୍ତିତ୍ୱ ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି ।ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି । ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡ଼ିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି । ତଥାପି ପ୍ରକୃତି ଛାଡୁନାହିଁ । କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ । ସେହିପରି କଂଗ୍ରେସ ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାପରେ ଯାଇ ଏହି ପ୍ରକୃତି ଛାଡ଼ିବ । ୩ଟି ଖରାପ୍ ତତ୍ୱ କଂଗ୍ରେସର ଜିନ୍‌କୁ ଏବେ ପଶିଆସଛି ।  ସେଗୁଡ଼ିକ ହେଲା, ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ । ସାରା ଦେଶ ଯେତେବେଳେ ଓଡ଼ିଶା ଉପରେ ଦୃଷ୍ଟି ନିକ୍ଷେପ କରିଛି ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇ ନିଜଦଳକୁ ଧ୍ୱଂସ ଅଭିମୁଖେ ଟାଣି ନେଉଛି ।  ଏଭିଳ ଘଟଣା ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ କେବେ ଦେଖିବାକୁ ମିଳି ନଥିଲା । ବହୁ ଲୋକଙ୍କ ବଳିଦାନରେ ତିଆରି ହୋଇଥିବା ଦେଶକୁ ଅପନିନ୍ଦିତ କରିବାକୁ କାହାରିକୁ ସୁଯୋଗ ଦିଆଯିବନାହିଁ । କଂଗ୍ରେସ ଦଳର ଯେଉଁ ଛାମୁଆ ସଂଗଠନ ଏଭଳି କାର୍ଯ୍ୟ କରୁଛି ତାଙ୍କ ଦଳର ଶୀର୍ଷ ନେତୃତ୍ୱ ଏଥିପ୍ରତି ନଜର ଦିଅନ୍ତୁ । କଂଗ୍ରେସ ନିଜକୁ ଆହୁରି ଧ୍ୱଂସ ଆଡ଼କୁ ନନେଇ ଅନ୍ତତଃ ବଂଚିବାର ପ୍ରୟାସ କେମିତି କରିହେବ ସେ ବାବଦରେ ଚିନ୍ତା କରିବା ଜରୁରୀ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭିଳି କରି ଦଳ ତଳକୁ ତଳ ଯିବ ସିନା ଉପରକୁ ଉଠିପାରିବ ନାହିଁ । ଡିଜିପି ସମ୍ମିଳନୀ ଜାରି ରହିଥିବାବେଳେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି । ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍‌ରେ ଖରାପ ଗୁଣବତ୍ତା ପଶିବା ଆରମ୍ଭ କରିଛି । ଜଣେ ଲୋକର ଚରିତ୍ର ପରବର୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ପରିବର୍ତନ ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଥିଲେ । କଂଗ୍ରେସ ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ ବିକ୍ଷୋଭ ଯାତ୍ରାବେଳେ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ପ୍ରୟାସ କରିବାବେଳେ ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବାବେଳେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ କରିବାରେ ଲାଭ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Bhubaneswar Bjp Congress Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe