୯ଦଫା ଦାବି ନେଇ ରାଜ୍ୟବ୍ୟାପୀ ବ୍ଲକ ଅଫିସ୍ ଘେରାଉ କଲା କଂଗ୍ରେସ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ୯ ଦଫା ଦାବି ନେଇ କଂଗ୍ରେସ କର୍ମୀମାନେ ଆଜି ବ୍ଲକ ଅଫିସ୍ ଘେରାଉ କରିଥିଲେ ।

ବ୍ଲକ ଅଫିସ୍‌ ଘେରାଉ କରୁଛନ୍ତି କଂଗ୍ରେସ କର୍ମୀ

  • Published: Friday, 18 August 2023
  • , Updated: 18 August 2023, 09:41 PM IST

ରାଜ୍ୟରେ ବଢ଼ି ଚାଲିଥିବା ପିସିି କାରବାର ଓ ବେକାର ସମସ୍ୟା, ଦରବୃଦ୍ଧି ଆଦି ୯ଦଫା ଦାବିରେ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ୍ ଅଫିସ୍ ଆଗରେ ଆଜି କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଛନ୍ତି । ରାଜ୍ୟର ବିଜେଡି ସରକାରକୁ ପିସି କାରବାରର ସରକାର ବୋଲି କହିବା ସହ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ଏନଡିଏ ସରକାରଙ୍କ ଜନମାରଣ ନୀତି ଯୋଗୁ ଗାଁ ଗହଳିରେ ବିକାଶ ହୋଇପାରିନି ବୋଲି କଂଗ୍ରେସ ଅଭିଯୋଗ କରିଛି । ସମସ୍ତ ବ୍ଲକ ଅଫିସ୍ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ଧାରଣା ଓ ବିକ୍ଷୋଭ ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବ୍ଲକ ବିଡିଓଙ୍କୁ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ୯ ଦଫା ଦାବି ନେଇ କଂଗ୍ରେସ କର୍ମୀମାନେ ଆଜି ବ୍ଲକ ଅଫିସ୍ ଘେରାଉ କରିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଆଳୀ ବ୍ଲକ ଅଫିସ୍ ସମ୍ମୁଖରେ କଂଗ୍ରେସ କର୍ମୀମାନଙ୍କ ସହ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେଠାରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ବିଜେଡ଼ି ସରକାର  ଓ କେନ୍ଦ୍ରରେ ବିଜେପି ସରକାର ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇପାରି ନାହିଁ । ସାଧାରଣ ଲୋକଙ୍କର ସ୍ୱାର୍ଥ ସାଧନ ମଧ୍ୟ ହୋଇପାରିନାହିଁ । ପଂଚାୟତ ଠାରୁ ବ୍ଲକ ଅଫିସ ଓ ଡିଆରଡ଼ିଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି । ସବୁଠାରେ ୧୫% ରୁ ୫୦ % ପି.ସି. କାରବାର ଚାଲିଛି ।  ଉଭୟ ସରକାର ଶହ ଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିବାବେଳେ ଗାଁର ଗରିବ ଲୋକ ମୁହଁ ମାଡ଼ି ପଡ଼ିଛି । ଚାଷୀ ତା\'ଅମଳର ମୂଲ୍ୟ ପାଉନି । ଓଡ଼ିଆ ଯୁବକ ହାତକୁ କାମ ନାହିଁ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛି ।

ମା'କୁ ସମ୍ମାନର ନାରା ଦିଆଯାଉଛି । ଓଡ଼ିଶାରେ ନାରୀ ନିର୍ଯାତନା ବଢ଼ିଚାଲିଛି ।  ପଛୁଆବର୍ଗ, ଜନଜାତି ସମୁଦାୟଙ୍କ ପାଖରେ ବିକାଶ ଏବେ ବି ଅପହଂଚ । ବିଜେପିଶାସିତ ମଣିପୁରରେ ହୋଇଥିବା ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଅର୍ଥାତ ବିଜେପିକୁ ସମର୍ଥନ କରି ରାଜ୍ୟ ବିଜେଡ଼ି ସରକାର ନିଜର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ବ୍ଲକ ଅଫିସ ପାଲଟିଛି ଦୁର୍ନୀତିର ଗନ୍ତାଘର । ଦଲାଲ ମାନଙ୍କର ଆଡ୍ଡାସ୍ଥଳୀ । ସରକାରୀ ଅଫିସରମାନେ ଦଲାଲମାନଙ୍କ ସହ ସଲାସୁତୁରା କରି ସରକାରୀ ଅର୍ଥ ହରିଲୁଟ କରୁଛନ୍ତି । ଯୋଗ୍ୟ ହିତାଧିକାରୀ ନିଜ ପ୍ରାପ୍ୟରୁ ବଂଚିତ ହେଉଛନ୍ତି ।

ଅନୁରୂପ ଅବସ୍ଥା ତହସିଲ, ଆରଡ଼ି, ଜଳସେଚନ ଠାରୁ ଆରମ୍ଭ କରି କୃଷି ଆଦି ସମସ୍ତ  ସରକାରୀ କାର୍ଯ୍ୟାଳୟରେ ଦେଖାଯାଉଛି । ପୁଲିସଥାନା ଦଳୀୟ ଧାରାରେ ଚାଲିଛି । ନିରୀହ ଲୋକଙ୍କ ଉପରେ ପୋଲିସ ଜୁଲମ୍ ବଢ଼ିଚାଲିଛି । ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । କୋଟି କୋଟି ଟଙ୍କାରେ ତିଆରି ବାହାରକୁ ଚକ୍ ଚକ ଦେଖାଯାଉଥିବା ୫-ଟି ସ୍କୁଲର ଛାତ କାନ୍ଥ ଭୁଷୁଡ଼ି ପଡ଼ୁଛି ।  ଚାଷୀକୁ ସମବାୟ ଋଣ ଠିକ୍ ସମୟରେ ମିଳୁନି । ଫସଲ ଉଜୁଡ଼ି ଗଲେ ବି ଚାଷୀକୁ ଫସଲବୀମା ମିଳୁନାହିଁ । ଏଣେ ସମବାୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପର ଟ୍ରାଞ୍ଜାକ୍‌ସନ୍ ରେ ଚାଲିଛି । ବିଧାନସଭାରେ ସରକାରୀ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କିରବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଇଥିଲେ ମଧ୍ୟ ନା କେନ୍ଦ୍ର ସରକାର ଏହାକୁ ବଢ଼ାଉଛନ୍ତିି ନା ରାଜ୍ୟ ସରକାର ବୋନସ୍ ଆକାରରେ ବଢ଼ାଉଛନ୍ତି । ଓଡ଼ିଶାରେ ବିଜୁଳି ସଂସ୍କାର କଂଗ୍ରେସ ସରକାର ଅମଳରେ ହୋଇଥିଲା । ଏବେ ବିଜୁଳି କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଥିବା ଓଡ଼ିଶାରେ ଘନଘନ ବିଜୁଳି କାଟ, ଅଧିକ ଦେୟ ଦେଉଥିବା ଗାଁ ଗହଳିରେ ଉପଭୋକ୍ତା ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛି ।  ଟାଟା କମ୍ପାନୀ ହାତରେ ବିଜୁଳି ଆଲୁଅ ଯୋଗାଣ ଦେଇ ଓଡ଼ିଶା ସରକାର ନିଘୋଡ଼ ନିଦ୍ରା ଯାଇଛନ୍ତି । ସେହିପରି ବେକାର ସମସ୍ୟା ବଢ଼ି ଚାଲିଛି ।

ସେହିପରି କେନ୍ଦ୍ରରେ ୟୁପିଏ ସରକାର ଅମଳରେ କାର୍ଯ୍ୟକାରୀ କରାଯାଇଥିବା ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଦି ଯୋଜନାର ନାମ ବଦଳାଇ ବର୍ତ୍ତମାନର କେନ୍ଦ୍ରର ବିଜେପି ସରକାର ବାହାଦୁରୀ ନେବାର ଭେଳିକି କରିଛନ୍ତିି । ପଂଚାୟତ ସ୍ତରରେ ଲୋକଙ୍କ ହାତକୁ କାମ ଦେବା ସହ ରାସ୍ତାଘାଟ, ପୋଖରୀ ଆଦି ବିକାଶ ମୂଳକ ଯୋଜନା ପାଇ ସେତେବେଳେ କାର୍ଯ୍ୟକାରୀ କରାଯାଉଥିବା ବିକାଶମୂଳକ ଯୋଜନାକୁ ସଙ୍କୁଚିତ କରି ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ ।

ଏହି ଘେରାଉ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଛି । ଦଳର ବରିଷ୍ଠ ନେତା,କର୍ମୀ ଓ ପଦାଧିକାରୀମାନେ ଏହି ଘେରାଉରେ ସାମିଲ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି ।

Related story