Congress
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କିଛିଦିନ ବ୍ୟବଧାନରେ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ମୁଖ୍ୟମନ୍ତ୍ରୀଙ୍କ ଶାରୀରିକ ଅସୁସ୍ଥତାକୁ ନେଇ ରାଜ୍ୟ ସରକାର ଜବାବ ରଖନ୍ତୁ ବୋଲି ଦାବି କରିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ରାଜ୍ୟସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନ ପଡ଼ିଆ ଭିତରେ ପାଳନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଜନସାଧାରଣ ବିଶେଷକରି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଛାଡ଼ିନଥିଲେ । ଦେଶର ସ୍ୱାଧୀନତା ଦିବସ ପର୍ବ ପାଳିତ ହେଉଥିଲାବେଳେ ଜନସାଧାରଣଙ୍କୁ ଏହି ପର୍ବରେ ସାମିଲ କରିବା ପରିବର୍ତେ ତାଙ୍କୁ ଦୂରେଇ ଦେବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମକୁ ସମାପନ କରି ଚାଲିଯାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିପାରିନାହାନ୍ତି । ସ୍କୁଲ ପିଲାମାନେ, ଏନସିସି, ସ୍କାଉଡ଼୍ ଓ କଲେଜ ପିଲାମାନେ ଏହି ପରେଡ଼ରେ ଆଦୌ ଅଂଶଗ୍ରହଣ କରିନାହାନ୍ତି ।
୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ପରେଡ୍ ଅଭିଭାବନ ଗ୍ରହଣ କଲେନି ତାହା କଂଗ୍ରେସକୁ ଆନ୍ଦୋଳିତ କରିଛି । ଯଦି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିକୋଣରୁ ପରେଡ଼ରେ ଅଭିବାଦନ ଗ୍ରହଣ କରିପାରୁନାହାନ୍ତିି ତା’ହେଲେ ଏକଥା କାହିଁକି ଲୁଚେଇ ରଖାଯାଉଛି । ଗଣମାଧ୍ୟମକୁ ସଭାସ୍ଥଳକୁ ନଛାଡ଼ିବା ଯୋଗୁଁ ପ୍ରକୃତ ତଥ୍ୟ ରାଜ୍ୟବାସୀ ଜାଣିପାରୁନାହାନ୍ତିି । ଏଭଳି ନିଷ୍ପତ୍ତି କାହିଁକି ଓ କାହାର ସ୍ୱାର୍ଥସାଧନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ନେଉଛନ୍ତିି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯଦି ପରେଡ଼୍ ହେବ ନାହିଁ, ଗଣମାଧ୍ୟମର ପ୍ରତିନିଧି ସାମିଲ ହେବେ ନାହିଁ, ତାହାଲେ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମ କାହିଁକି ପାଳନ କରାଯାଉଛି । ଏହା କଣ ନାମକୁ ମାତ୍ର ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ମୋବାଇଲରେ ଫଟୋ ଉଠାଇ ଗଣମାଧ୍ୟମ ପ୍ରତିନିଧିକୁ ପ୍ରକୃତ ଫଟୋ ପରିବର୍ତ୍ତେ ଫଟୋସପ୍ କରି ଫଟୋ ପଠାଇବା ଦ୍ୱାରା ପ୍ରକୃତ ସତ୍ୟ ଲୋକଙ୍କୁ ଜଣାଯାଉନାହିଁ ଏବଂ ଲୋକ ଜାଣିପାରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହା ରାଜ୍ୟବାସୀଙ୍କ ପ୍ରତି ଏକ ବଡ଼ ଷଡ଼ଯନ୍ତ୍ର । ଏବେ ତ କୋଭିଡ଼୍ ସମୟ ନୁହେଁ? କାହିଁକି ସାଧାରଣ ଲୋକମାନଙ୍କୁ ପ୍ରଦର୍ଶନ ପଡ଼ିଆକୁ ଛଡ଼ାଯାଉନଥିଲା ତା’ର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଏହାସହିତ ଆଜକୁ ୧୫ ବର୍ଷ ଧରି ସାମ୍ବାଦିକ ପାଇଁ ଉର୍ଦ୍ଦିଷ୍ଟ ଅଧିସ୍ୱୀକୃତି କମିଟି କାର୍ଯ୍ୟ କରୁନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଯେଉଁ ସାମ୍ବାଦିକମାନେ ସରକାର ବିରୁଦ୍ଧରେ ସାମାନ୍ୟତମ ଲେଖାଟିଏ ଲେଖିଲେ ବା ପଦୁଟିଏ କହିଲେ ତାଙ୍କୁ ଘର ଛାଡ଼ିବା ନୋଟିସଠାରୁ ଆରମ୍ଭ କରି ଜେଲ ପଠାଇବା ପର୍ଯ୍ୟନ୍ତ ଧମକ ଦିଆଯାଉଥିବା ଅଭିଯୋଗ କରିଛି । ଏହା ସରକାରଙ୍କର ସତ୍ୟ ଓ ନ୍ୟାୟ ପ୍ରତି କେତେ ନିଷ୍ଠା ରହିଛି ଏଥିରୁ ବୁଝାପଡ଼ୁଛି । ସାମ୍ବାଦିକମାନଙ୍କୁ କାହିଁକି ବିଧାନସଭା ଲବି ଭିତରକୁ, ସଚିବାଳୟକୁ, କୃଷି ଭବନକୁ ଛଡ଼ାଯାଉନାହିଁ । ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ କିପରି କରିବେ? ଏ ସରକାରଙ୍କର ଏତେ ଭୟ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।
ତେବେ କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜ୍ୟ ସରକାର କିମ୍ବା ଶାସକ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
